କୋରପୁଟ: ଖରିଫ ଧାନ ମଣ୍ଡି ଆରମ୍ଭ ହଉ ହଉ କେତେବେଳେ FAQ ମାନର ଧାନକୁ ନେଇ ତ ଆଉ କେତେବେଳେ କଟନୀ ଛଟନୀକୁ ନେଇ ଚାଷୀଙ୍କ ଅସନ୍ତୋଷ ଯୋଗୁ ଜାରି ରହୁଥିଲା ଅଚଳାବସ୍ଥା । ଏଭଳି ସ୍ଥିତିରେ ଚଳିତ ବର୍ଷ ସରକାର ଟୋକେନ ବ୍ୟବସ୍ଥା କରିଛନ୍ତି । ଯାହାକୁ ନେଇ ସାରା ରାଜ୍ୟରେ ଚାଷୀ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏଥିରୁ ବାଦ ପଡିନି କୋରାପୁଟ ଜିଲ୍ଲା ।
ଖରିଫ ଧାନ ମଣ୍ଡି ଆରମ୍ଭରୁ ହିଁ ଅଚଳାବସ୍ଥା ଲାଗି ରହିଛି । ମଣ୍ଡି ନଭେମ୍ୱର ୧୫ରୁ ଖୋଲିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଧାନ ବିକ୍ରି କରିପାରିନାହାନ୍ତି ଚାଷୀ । କୋରପୁଟରେ ଖରଫି ଧାନ ମଣ୍ଡି ବ୍ୟବସ୍ଥା କରାଯାଇଛି । କିନ୍ତୁ ଟୋକେନ ବ୍ୟବସ୍ଥାକୁ ବିରୋଧ କରି ମଣ୍ଡିକୁ ଧାନ ଆଣୁ ନାହାନ୍ତି ଚାଷୀ । ଫଳରେ ମଣ୍ଡିରେ ଲାଗି ରହିଛି ଅଚଳାବସ୍ଥା । ଏହାସହ ଧାନକିଣା ଠପ୍ ପଡିଛି ।
ପ୍ରଥମ ଦିନରେ ଜିଲ୍ଲାର ଜୟପୁର ନିୟନ୍ତ୍ରଣ ବଜାର କମିଟି ଓ କୋଟପାଡ଼ ବ୍ଲକର କୁଶମୀ ଠାରେ ମଣ୍ଡି ଖୋଲିଥିଲା । କିନ୍ତୁ ଟୋକେନ୍ ବ୍ୟବସ୍ଥାକୁ ବିରୋଧ କରି ମଣ୍ଡିକୁ ଧାନ ଆଣୁନାହାନ୍ତି ଚାଷୀ । ଫଳରେ ଧାନ କିଣା ଠପ ହେବା ସହ ଅଚଳାବସ୍ଥା ଜାରି ରହିଛି । ଜୟପୁର ଉପଖଣ୍ଡର ଶହ ଶହ ଚାଷୀ ଚାଷୀ ଟୋକନକୁ ବିରୋଧ କରି ନାରା ବାଜି କରିଛନ୍ତି । ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତିକୁ ବିରୋଧ କରିଛନ୍ତି ଜୟପୁର ଚାଷୀ ସଂଘ ।
ଜୟପୁର ନିୟନ୍ତ୍ରିତ ବଜାର କମିଟି ଅଫିସ ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଟୋକେନ୍ ବ୍ୟବସ୍ଥା ଉଚ୍ଛେଦ, ଧାନ ମଣ୍ଡିରେ vender ରସିଦ ବ୍ୟବସ୍ଥା ଲାଗୁ କରିବା, ଜଳସେଚିତ ଓ ଅଣ ଜଳସେଚିତ ଜମିରେ ଉତ୍ପାଦିତ ଧାନର ତାରତମ୍ୟ ଉଛେଦ କରାଯିବା ସହ ଧାନ ମଣ୍ଡିରେ ଭିତ୍ତିଭୂମିର ଉନ୍ନତି କରିବା ପାଇଁ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ଚାଷୀଙ୍କ ସମସ୍ୟା ପ୍ରତି ସରକାର ଦୃଷ୍ଟି ନଦେଲେ ଚାଷୀ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି ଚାଷୀମାନେ ।
ଚଳିତ ମାସ ୧୫ରୁ ଖରିଫ ଋତୁରେ ଧାନ ମଣ୍ଡି ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟୟରେ ୧୩ ଲକ୍ଷ ୫୩ ହଜାର କ୍ୱିଣ୍ଟାଲ ଧାନ କିଣିବାକୁ ଧାର୍ଯ୍ୟ ରଖିଛନ୍ତି ସରକାର । ମଣ୍ଡିରେ ଚାଷୀ ୫୦ କ୍ୱିଣ୍ଟାଲରୁ ୧୦୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ ବିକ୍ରି କରିବାର ସୁବିଧା ରହିଛି । ହେଲେ ଏପର୍ଯ୍ୟନ୍ତ ଧାନକିଣା ଆରମ୍ଭ ହୋଇନାହିଁ । ସେପଟେ ଚାଷୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଟୋକନ ବ୍ୟବସ୍ଥା କରାଯାଇଛି । ଏହା ଧାନ କିଣାରେ ସ୍ୱଚ୍ଛତା ଆଣିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ।