Trending Photos
)
ମୁକେଶ ପ୍ରଧାନ, ଝାରସୁଗୁଡ଼ା: ଜିଲ୍ଲା ବ୍ରଜରାଜନଗର ଅଂଚଳରେ ହୋମ କ୍ବାରେଣ୍ଟିନରେ ଥିବା ଜଣେ ମହିଳାଙ୍କ ଶିଶୁ ପୁତ୍ରର ଜନ୍ମଦିନର ପାର୍ଟିରେ ସାମିଲ ହୋଇ ୧୭ ଜଣ କୋରୋନା ସଂକ୍ରମିତ ହୋଇଛନ୍ତି । ଜିଲ୍ଲାରେ ଆଗରୁ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଥିଲା ୨୧ ଥିଲା । ଯାହା ଏବେ ୨୫ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪୬ରେ ପହଂଚିଛି । ଜିଲ୍ଲାରେ ବର୍ତ୍ତମାନ ସକ୍ରିୟ କୋରୋନା ମାମଲା ୨୮ ରହିଛି ।
ସୂଚନାମୁତାବକ, ଗତ ୬ ତାରିଖରେ ଗୁଡ଼ଗାଓଁରୁ ନିଜ ସ୍ୱାମୀ ଓ ଛୁଆଙ୍କର ସାଙ୍ଗରେ ଆସିଥିବା ମହିଳା ଜଣକ ବ୍ରଜରାଜନଗରରେ ତାଙ୍କର ମାମୁଁଙ୍କ ଘରେ ହୋମ କ୍ବାରେଣ୍ଟିନରେ ଥିଲେ । ତେବେ ହୋମ କ୍ବାରେଣ୍ଟିନରେ ଥିବା ସତ୍ତ୍ୱେ ତାଙ୍କର ଛୁଆଙ୍କର ଜନ୍ମ ଦିନର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏବଂ ସେହି କାର୍ଯ୍ୟକ୍ରମରେ ଆଖପାଖ ପଡ଼ୋଶୀ ସାମିଲ ହୋଇଥିଲେ । ସାମିଲ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୧୭ ଜଣ ବ୍ୟକ୍ତିଙ୍କର କୋରୋନା ପଜିଟିଭ ବାହାରିଛି ।
ଜନ୍ମ ଦିନ ପାଳନ ଅବସରରେ ସାମିଲ ହୋଇଥିବା ବ୍ୟକ୍ତିମାନେ ସେହି ଦିନ ପୁଣି ଏକ ପଡ଼ୋଶୀ ଘରକୁ ୨୫ ବର୍ଷ ବାହାଘର ପୂର୍ତ୍ତି ଅବସରରେ ହେଉଥିବା ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ତେଣୁ ୨ ପରିବାରଙ୍କର ବିରୁଦ୍ଧରେ ପ୍ରାକୃତିକ ବିପର୍ଯ୍ୟୟ ଆଇନ ଏବଂ ଆଇପିସି ଧାରା ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାପ୍ରଶାସନ ତରଫରୁ ମାମଲା ରୁଜୁ କରାଗଲାଣି । ଏହି ଘଟଣା ଆଗରୁ ଜିଲ୍ଲାରେ କୋରୋନା ପରିସ୍ଥିତି ଠିକ ଥିଲା । ଏବଂ ଏହି ଘଟଣା ପରେ ସ୍ଥିତି ବିଗିଡି ଯାଇଛି । ଯଦି ଆଇନ ଖିଲାପି ଆଉ କେହି ବ୍ୟକ୍ତି କରିବେ ଜିଲ୍ଲା ପ୍ରଶାସନ ଆହୁରି ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।