ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ହିର୍ମା ପଞ୍ଚାୟତ ୫ ଦିନ ପାଇଁ ସଟଡାଉନ୍
Advertisement

ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ହିର୍ମା ପଞ୍ଚାୟତ ୫ ଦିନ ପାଇଁ ସଟଡାଉନ୍

 ପଞ୍ଚାୟତରେ କେବଳ ଔଷଧ ଦୋକାନକୁ ବାଦ ଦେଇ ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ସରପଞ୍ଚ । ଅନ୍ୟ ପକ୍ଷରେ SMC କର୍ତ୍ତୃପକ୍ଷ ଠିକ ସମୟରେ ଗାଁକୁ ବିଶୋଧନ ମଧ୍ୟ ନ କରୁଥିବା ଅଭିଯୋଗ ହୋଇଛି । 

ଫାଇଲ ଫଟୋ

ମୁକେଶ ପ୍ରଧାନ, ଝାରସୁଗୁଡା: ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଅନେକ ପଦକ୍ଷେପ ନେବା ସହ ସାପ୍ତାହିକ ଶନିବାର ଏବଂ ରବିବାର ସଟଡାଉନ୍ ଘୋଷଣା କରୁଛନ୍ତି । କିନ୍ତୁ ଝାରସୁଗୁଡାରେ ଥମୁନି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨ ଦିନ ମଧ୍ୟରେ ଝାରସୁଗୁଡା ଜିଲ୍ଲା ହିର୍ମା ପଞ୍ଚାୟତ ଅଧିନସ୍ଥ ଏସଏମସି(SMC) କାରଖାନାରେ ଛଅ ଜଣ କାର୍ଯ୍ୟରତ ଶ୍ରମିକଙ୍କ କୋରୋନା ପଜିଟିଭ ଆସିବା ପରେ ପଞ୍ଚାୟତବାସୀ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ।

ଆଜି ପଞ୍ଚାୟତର ଶତାଧିକ ମହିଳା କାରଖାନା ପରିସରରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯେହେତୁ କୋରୋନା ଧୀରେ ଧିରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ମହିଳାମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖି ପ୍ରତିବାଦ କରିଛନ୍ତି । ଘଟଣା ସ୍ଥଳରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପହଞ୍ଚି ବୁଝାସୁଝା କରିଛନ୍ତି । ପରେ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ସ୍ଥାନୀୟ ସରପଞ୍ଚ ହିର୍ମା ପଞ୍ଚାୟତକୁ ପାଞ୍ଚ ଦିନ ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି ।

ଏହି ପଞ୍ଚାୟତରେ କେବଳ ଔଷଧ ଦୋକାନକୁ ବାଦ ଦେଇ ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ସରପଞ୍ଚ । ଅନ୍ୟ ପକ୍ଷରେ SMC କର୍ତ୍ତୃପକ୍ଷ ଠିକ ସମୟରେ ଗାଁକୁ ବିଶୋଧନ ମଧ୍ୟ ନ କରୁଥିବା ଅଭିଯୋଗ ହୋଇଛି । ହେଲେ ଏହାକୁ ଖଣ୍ଡନ କରିଛନ୍ତି SMCର ଅଧିକାରୀ ।