close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପିଲାଙ୍କ ଠାରୁ ଶିଖନ୍ତୁ ସଞ୍ଚୟ କରିବାର କଳା

ବୌଦ୍ଧ ଛାତ୍ରଛାତ୍ରୀଙ୍କ ଅଭିନବ ପଦକ୍ଷେପ ସ୍କୁଲରେ ଘଡ଼ି କରି ସଞ୍ଚୟ କରୁଛନ୍ତି ଟଙ୍କା ଚାରିଆଡୁ ଛାତ୍ରଛାତ୍ରୀଙ୍କୁ ମିଳୁଛି ପ୍ରଶଂସା

ପିଲାଙ୍କ ଠାରୁ ଶିଖନ୍ତୁ ସଞ୍ଚୟ କରିବାର କଳା

ଜୀବନରେ ପଇସା ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଜିନିଷ ନୁହେଁ, କିନ୍ତୁ ହଁ ଏହା ସବୁ ମହତ୍ତ୍ୱପୂର୍ଣ୍ଣ ଜିନିଷରୁ ଗୋଟିଏ ଅଟେ । ଏହି ଆଧୁନିକ ଯୁଗରେ ସବୁ ଗତିବିଧି ପଇସା ଉପରେ ହିଁ ନିର୍ଭର କରୁଛି । ବିନା ପଇସା ଏବଂ କମ୍ ପଇସାରେ ଜୀବନ ସମ୍ଭବ , କିନ୍ତୁ ଏହା ଅତ୍ୟନ୍ତ କଷ୍ଟସାଧ୍ୟ ।

ଶାସ୍ତ୍ରରେ ଅଛି ଆୟ ଠାରୁ ବ୍ୟୟ ଅଧିକ କରୁଥିବା ବ୍ୟକ୍ତି ନିର୍ବୋଧ ବା ମୁର୍ଖ । ଅର୍ଥ ସଞ୍ଚୟ ନଥିଲେ ଜୀବନ ବିପଦରେ ଅତିବାହିତ ହୋଇଥାଏ । ରୋଜଗାର ଯେତେ କମ୍ ହୋଇଥାଉ ପଛେ କିନ୍ତୁ ଅର୍ଥ ସଞ୍ଚୟ କରିବା ନିହାତି ଆବଶ୍ୟକ । ହେଲେ ଅର୍ଥ ସଞ୍ଚୟ କରିବା ଏକ କଳା ଆଉ ଏହି କଳା ସମସ୍ତଙ୍କୁ ଜଣା ନଥାଏ । ମଣିଷ ପାଖରେ ଯେତେ ଅର୍ଥ ଥିଲେ ମଧ୍ୟ ସେ ସଞ୍ଚୟ କରିପାରେନା କାହିଁକି ନା ଅର୍ଥ ସଞ୍ଚୟର କଳା ସମସ୍ତଙ୍କୁ ଜଣାନଥାଏ । ଅନେକ ଲୋକ ଭାବନ୍ତି ଏକା ବେଳେ ଅନେକ ଅର୍ଥ ତଥା ବଡ଼ ପରିମାଣର ଅର୍ଥ ସଞ୍ଚୟ କରିବପାଇଁ । ଏପରି ଚିନ୍ତା କରି କରି ସମୟ ଗଡ଼ିଯାଏ ସିନା କିନ୍ତୁ ସଞ୍ଚୟ ହୋଇପାରେନାହିଁ ।

ହେଲେ ଛୋଟ ବୟସରୁ ଅର୍ଥ ସଞ୍ଚୟ କରୁଛନ୍ତି କେତେକ କୁନିକୁନି ଛାତ୍ରଛାତ୍ରୀ । ବୌଦ୍ଧ ଜିଲ୍ଲାର କଣ୍ଟାମାଳ,ହରଭଙ୍ଗା ଏବଂ ବୌଦ୍ଧ ବ୍ଲକର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନେ ଦୈନିକ ସଞ୍ଚୟ କରୁଛନ୍ତି ଅର୍ଥ । ବିଭିନ୍ନ ସମୟରେ ମିଳୁଥିବା ଛୋଟ ବଡ଼ ଅର୍ଥ ରାଶିକୁ ଛାତ୍ରଛାତ୍ରୀମାନେ ସଞ୍ଚୟ କରିବାରେ ଲାଗିପଡ଼ିଛନ୍ତି । ପିଲା ଦିନରୁ କିଭଳି ବଦଖର୍ଚ୍ଚରୁ ଦୂରେଇ ରହିବେ ସେଥିପାଇଁ ଆରମ୍ଭ କରିଛନ୍ତି ଅଭିନବ ପ୍ରୟାସ । ସ୍କୁଲରେ ଛାତ୍ରଛାତ୍ରୀ ମାନେ ଗୋଟିଏ ଗୋଟିଏ କୁମ୍ପି ରଖି ସେଥିରେ ସାଇତି ରଖୁଛନ୍ତି ମିଳୁଥିବା ଅର୍ଥରାଶି ।

ଘରକୁ ଅତିଥି ଆସିଲେ କିମ୍ବା କୁଆଡ଼େ ବୁଲିଗଲେ ପିଲାଙ୍କୁ ଟଙ୍କାଟିଏ ହେଉ ଅବା ୧୦୦ ଟଙ୍କା ମିଳିଥାଏ । ଅତିଥି ମାନେ ଘରକୁ ଆସିଲେ ପିଲାଙ୍କ ହାତରେ ଗୁଞ୍ଜି ଦିଅନ୍ତି ପଇସା । ଆଉ ଏହି ପଇସାକୁ ପିଲାମାନେ ନିଜ ନିଜର ଖର୍ଚ୍ଚରେ ବ୍ୟବହାର କରନ୍ତି । କିନ୍ତୁ ବୌଦ୍ଧ ଜିଲ୍ଲାର ଏହି ଛାତ୍ରଛାତ୍ରୀ ମାନେ ପଇସାକୁ ଖର୍ଚ୍ଚ ନକରି ସ୍କୁଲରେ ରଖିଥିବା କୁମ୍ପିରେ ସଞ୍ଚୟ କରୁଛନ୍ତି । ବୋଧ ହୁଏ ସେମାନେ ଚାଣକ୍ୟଙ୍କ ନୀତି ବାଣୀଙ୍କୁ ବେଶ ଭଲ ଭାବରେ ପରଖିଛନ୍ତି ।

ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷକ ଦଳ ଛାତ୍ରଛାତ୍ରୀଙ୍କ ଏହି ଅଭିନବ ପ୍ରୟାସକୁ ବୁଲି ଦେଖିଛନ୍ତି । ଏଥିରେ ରାଜ୍ୟସରକାରଙ୍କ ପୂର୍ବତନ ଅବସରପ୍ରାପ୍ତ ସଚିବ ରବିନାରାୟଣ ବହିଦାରଙ୍କ ନେତୃତ୍ୱରେ ୩ ଜଣିଆ ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଭିନ୍ନ ବିଦ୍ୟାଳୟ ଯାଇ ପିଲାମାନଙ୍କ ସଞ୍ଚୟ କରିବାର ମନୋବୃତି, ଆଉ ଉଦ୍ଦେଶ୍ୟ ବାବଦରେ ପିଲାଙ୍କୁ ପଚାରି ବୁଝିଥିଲେ । ଏଥିରେ ମଧୂସୁଦନ ମିଶ୍ର, ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ସୁର୍ଯ୍ୟ ନାରାୟଣ ଦାସ ପ୍ରମୁଖ ପ୍ରଶାସନିକ ଅଧିକାରି ସାମିଲ ହୋଇଥିଲେ । ପିଲାମାନଙ୍କ ଏଭଳି ପ୍ରୟାସକୁ ସମସ୍ତେ ଭୂରିଭୂରି ପ୍ରଂଶସା କରିଛନ୍ତି ।