ଚିନ୍ତା ବଢ଼ାଉଛି ପ୍ରଦୂଷଣ, ପେଟକୁ ଯାଉଛି ଦୂଷିତ ଜଳ
Advertisement

ଚିନ୍ତା ବଢ଼ାଉଛି ପ୍ରଦୂଷଣ, ପେଟକୁ ଯାଉଛି ଦୂଷିତ ଜଳ

ଝାରସୁଗୁଡ଼ା ଜିଲ୍ଲାରେ ଚିନ୍ତା ବଢ଼ାଉଛି ପ୍ରଦୂଷଣ। ବିଶୁଦ୍ଧ ନୁହେଁ, ପେଟକୁ ଯାଉଛି ଦୂଷିତ ଜଳ। ଫିଲଟର୍ ହେଉନି ମ୍ୟୁନିସିପାଲିଟି ପାଣି। ନାଳ, ନର୍ଦ୍ଦମାରୁ ବାହାରୁଛି ଦୁର୍ଗନ୍ଧ।  ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇବାରେ ପ୍ରଶାସନ ଏବଂ ଶିଳ୍ପାଞ୍ଚଳ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି। 

  • ଝାରସୁଗୁଡ଼ା ଜିଲ୍ଲାରେ ଚିନ୍ତା ବଢ଼ାଉଛି ପ୍ରଦୂଷଣ
  • ବିଶୁଦ୍ଧ ନୁହେଁ, ପେଟକୁ ଯାଉଛି ଦୂଷିତ ଜଳ। ଫିଲଟର୍ ହେଉନି ମ୍ୟୁନିସିପାଲିଟି ପାଣି 
  • ନାଳ, ନର୍ଦ୍ଦମାରୁ ବାହାରୁଛି ଦୁର୍ଗନ୍ଧ
  • ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇବାରେ ପ୍ରଶାସନ ଏବଂ ଶିଳ୍ପାଞ୍ଚଳ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି

Trending Photos

ଝାରସୁଗୁଡା: ଶିଳ୍ପ ସମୃଦ୍ଧ ଜିଲ୍ଲା ହେଉଛି ଝାରସୁଗୁଡ଼ା। ଏଠାରେ କୋଇଲା ଖଣି ସାଙ୍ଗକୁ ବହୁ ଶିଳ୍ପାୟନ ଗଢିଉଠିଛି। ତେବେ ଶିଳ୍ପ ସଂସ୍ଥା ଗଢିବା ସଂଗେ ସଂଗେ ଏଠାରେ ବାୟୁ ପ୍ରଦୂଷଣ ଏବଂ ଜଳ ପ୍ରଦୂଷଣ ହେବା ସ୍ୱାଭାବିକ। ଶିଳ୍ପ ସଂସ୍ଥା ଗୁଡ଼ିକର ସିଏସଆର ଫଣ୍ଡ ହଉ ବା ଜିଲ୍ଲା ଖଣିଜ ପାଣ୍ଠି। ଜିଲ୍ଲାବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ଜିଲ୍ଲା ପ୍ରଶାସନର ଦାୟିତ୍ୱ ଏବଂ କର୍ତ୍ତବ୍ୟ ମଧ୍ୟ। ମାତ୍ର ଏହାକୁ ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ କେତେ ସଜାଗ ଓ ସମର୍ଥ ଆସନ୍ତୁ ଜାଣିବା ସେ ସମ୍ପର୍କରେ।

ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ସହର। ଏହା ଓରିଏଣ୍ଟ ପେପର ମିଲ ଭାବରେ ବେଶ୍ ଜଣାଶୁଣା। ଏଠାରେ ଭରି ରହିଛି କୋଇଲା। ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର କୋଇଲା ରପ୍ତାନି କରି କୋଟି କୋଟି ଟଙ୍କା ରାଜସ୍ୱ ଏଠାରୁ ପାଇଥାନ୍ତି। ତେବେ କୋଇଲା ଖଣିରେ କାମ କରୁଥିବା ଶ୍ରମିକମାନଙ୍କୁ ଯୋଗାଇ ଦିଆଯାଉଥିବା ପାଣିର ମାନ ଦେଖିଲେ ଆପଣ ବିଶ୍ୱାସ କରିପାରିବେନି।  ପ୍ରାୟତଃ ୩୦ ବର୍ଷ ପୁରୁଣା ପାଇପରେ ଯୋଗାଯାଉଛି ପାଣି। ଏହା ନଷ୍ଟ ହେଲେ ରବର ବା ଟ୍ୟୁବ୍ ବାନ୍ଧି ମରାମତି କରାଯାଏ। ପାଇପ ସବୁ ନାଳ, ନର୍ଦ୍ଦମା ଭିତରୁ ସଂଯୋଗ ହେଉଥିବା ଯୋଗୁଁ ସବୁ ବେଳେ ଅପରିଷ୍କାର ଗନ୍ଧଯୁକ୍ତ ପାଣି ଶ୍ରମିକଙ୍କ ଘରେ ବ୍ୟବହାର କରାଯାଉଛି। ଏଭଳି ପାଣି ବ୍ୟବହାର କରି ବାରମ୍ବାର ରୋଗରେ ଲୋକମାନେ ପଡୁଛନ୍ତି । ସ୍ଵଚ୍ଛ ପାଣି ପାଇଁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଦାବି କରିବା ସତ୍ତ୍ୱେ ଲୋକଙ୍କୁ ସୁଫଳ ମିଳିପାରୁନାହିଁ ଵୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। 

ମହାନଦୀ କୋଇଲା ଖଣି ପ୍ରତ୍ୟକ୍ଷ ପ୍ରଭାବିତ ଅଞ୍ଚଳକୁ ସିଏସଆର ଫଣ୍ଡ ମାଧ୍ୟମରେ ମାଗଣାରେ ଶୁଦ୍ଧ ଏବଂ ନିର୍ମଳ ପାନୀୟ ଜଳ ଯୋଗାଇବା କଥା, କିନ୍ତୁ  ନିଜର ଶ୍ରମିକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଅସମର୍ଥ ହୋଇଥିବା କୋଇଲା ଖଣି ଅନ୍ୟକୁ କିଭଳି ପାନୀୟ ଜଳ ଯୋଗାଇବ? ବ୍ରଜରାଜନଗର ବାସିନ୍ଦାଙ୍କର ପିଇବା ପାଣିର ଅନ୍ୟ ଦୁଇଟି ଉତ୍ସ ହେଉଛି ମ୍ୟୁନିସିପାଲିଟି ଯୋଗାଉଥିବା ପାଣି ଏବଂ ଭୂତଳ ଜଳ। ଭୂତଳ ଜଳରେ ହାନିକାରକ ଧାତୁ ମିଶ୍ରଣ ଯୋଗୁଁ ତାହା ଶରୀର ପକ୍ଷେ ହାନିକାରକ। ସେହିପରି ମ୍ୟୁନିସିପାଲିଟି ଯୋଗାଉଥିବା ପାଣି ମଧ୍ୟ ଶତ ପ୍ରତିଶତ ବିଶୁଦ୍ଧ ନୁହେଁ। କାରଣ ତାହା ମଧ୍ୟ ଫିଲଟର  କରାଯାଉ ନାହିଁ। ନାଳ, ନର୍ଦ୍ଦମା ଭିତରେ ପାଇପ ଥିବାରୁ ସେଥିରେ ମଧ୍ୟ ଗନ୍ଧଯୁକ୍ତ ପାଣି ଆସୁଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ତେଣୁ ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇବାରେ ପ୍ରଶାସନ ଏବଂ ଶିଳ୍ପାଞ୍ଚଳ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି। 

ଅନ୍ୟପଟେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଜିଲ୍ଲାବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ବେଶ୍ ତତ୍ପର ଏବଂ ଆଗାମୀ ଦିନରେ ୨୫୦ କୋଟି ରୁ ଅଧିକ ଟଙ୍କା ବ୍ୟୟରେ ପ୍ରତିଟି ପଞ୍ଚାୟତ ଏବଂ ପରିବାରକୁ ପାଣି ସଂଯୋଗ କରାଯିବ ଵୋଲି ଜିଲ୍ଲାପାଳ କହିଛନ୍ତି।