ରାଜଧାନୀରେ ପୁଷପୁନି
Advertisement

ରାଜଧାନୀରେ ପୁଷପୁନି

ଦିଲ୍ଲୀରେ ଡାଲଖାଇ ନାଚରେ ଝୁମିଲେ ପ୍ରବାସୀ ଓଡ଼ିଆ

ଫାଇଲ ଫଟୋ

ଗଗନ ବିଶ୍ୱାଳ, ନୂଆଦିଲ୍ଲୀ: ଦିଲ୍ଲୀରେ ଦେଖିବାକୁ ମିଳିଛି ପଶ୍ଚିମ ଓଡିଶାର ରଙ୍ଗ । ଡାଲଖାଇ ନାଚରେ ଦୁଲିକି ଥିଲା ଦିଲ୍ଲୀ ଦରବାର । ନୂଆଁଖାଇ ପରେ ଆଜି ପୁଷପୁନି ପର୍ବରେ ମଜି ଯାଇଥିଲେ ସମସ୍ତେ । ଚାଷ ବାସ ସରିଲା ପରେ ଚଷା ପୁଅ ଏହି ପର୍ବରେ ମଉଜ କରେ ବୋଲି ଆୟୋଜକ କହିଛନ୍ତି । ପଶ୍ଚିମ ଓଡ଼ିଶାର ଖାଦ୍ୟ ସହ ନୂଆ ଡ୍ରେସ ପିନ୍ଧି ସମସ୍ତେ ଏକଜୁଟ ହୋଇଥିଲେ ନୂଆଦିଲ୍ଲୀ INA ଗୃହ କଲ୍ୟାଣ କେନ୍ଦ୍ରରେ ।  ଏହି ଅବସରରେ ସମ୍ବଲପୁରୀ ନାଚ ସହିତ ପାରମ୍ପରିକ ଖାଦ୍ୟର ବେଶ ମଜା ନେଇଥିଲେ ପ୍ରବାସୀ ଓଡିଆ। 

ଜୁହାର ପରିବାର ପକ୍ଷରୁ ଦିଲ୍ଲୀରେ ଅନୁଷ୍ଠିତ ହୋଇଛି ପୁଷପୁନି ଉତ୍ସବ ।  ଏହି ଉତ୍ସବରେ ପଶ୍ଚିମ ଓଡିଶାର ପାରମ୍ପରିକ ଖାଦ୍ୟର ଆୟୋଜନ କରାଯାଇଛି ।  ମାଂସ ଭାତ, ବରା, ଘାଣ୍ଟ ଏବଂ ନିରାମିଷ ଖାଦ୍ୟର ମଜା ନେଇଥିଲେ ସମସ୍ତେ । ପ୍ରତିବର୍ଷ ଦିଲ୍ଲୀରେ ଗଣପର୍ବ ନୂଆଁଖାଇ ବ୍ୟତୀତ ପୁଷପୁନିରେ ସଭିଏଁ ଏକଜୁଟ ହୁଅନ୍ତି । ଏହିପର୍ବ ପାଖାପାଖି ୧୭ ବର୍ଷ ହେଲା ନୂଆଦିଲ୍ଲୀରେ ପାଳନ ହେଉଛି । JNUରେ ପଢ଼ୁଥିବା କିଛି ଛାତ୍ର ଏହାକୁ ପ୍ରଥମେ ଦିଲ୍ଲୀରେ ଆରମ୍ଭ କରିଥିଲେ । 

ଭାଇଚାରାର ପର୍ବ ପୁଷପୁନି । ପଶ୍ଚିମ ଓଡିଶାର ଅନ୍ୟତମ ପ୍ରାଧାନ୍ୟ ଉତ୍ସବ । ସାଧାରଣତଃ ଫସଲ କାଟିବା ପରେ ଧୂମଧାମରେ ପାଳନ କରାଯାଏ । ଏହି ଉତ୍ସବରେ ସମ୍ବଲପୁରୀ ଡାଲଖାଇ ନାଚ ଓ ଗୀତର ଆସର ଦେଖିବାକୁ ମିଳିଛି । ଓଡିଶାରୁ ଦୂରରେ ରହି ମଧ୍ୟ ନିଆରା ପରମ୍ପାରାକୁ ବଜାଏ ରଖିଛନ୍ତି ସମ୍ବଲପୁରିଆ । କେବଳ ଦିଲ୍ଲୀ କାହିଁକି, ହାଇଦ୍ରବାଦ, ବେଙ୍ଗାଲୁରୁ ଇତ୍ୟାଦି ସ୍ଥାନରେ ମଧ୍ୟ ଏମିତି ପର୍ବ ଆୟୋଜନ କରାଯାଉଛି । 

ଆହୁରି ପଢ଼ନ୍ତୁ; ଉଦ୍ଧବଙ୍କ ଇଣ୍ଟରଭ୍ୟୁ ନେଲେ ସଞ୍ଜୟ ରାଉତ