ଶିବସେନା 'ସାମନା'ରେ ବିଜେପି ଘାଇଲା ? କାଶ୍ମୀର ପ୍ରସଙ୍ଗରେ ଚମକାଇଲା ଭଳି ମତ
Advertisement
Article Detail0/zeeodisha/odisha590813

ଶିବସେନା 'ସାମନା'ରେ ବିଜେପି ଘାଇଲା ? କାଶ୍ମୀର ପ୍ରସଙ୍ଗରେ ଚମକାଇଲା ଭଳି ମତ

ପ୍ରଶ୍ନ ଘେରରେ ଇୟୁ ସାଂସଦଙ୍କ କାଶ୍ମୀର ଗସ୍ତ । କାହିଁକି ବିଦେଶୀ ସାଂସଦଙ୍କୁ କାଶ୍ମୀର ଆସିବାକୁ ପଡିଲା ? ତାଙ୍କୁ ଅନୁମତି କାହିଁକି ଦିଆଗଲା ? ଭାରତର ଆଭ୍ୟନ୍ତରୀଣ ମାମଲାରେ ଅନ୍ତର୍ଜାତୀକ ହସ୍ତକ୍ଷେପ କାହିଁକି ? ଏ ତମାମ ପ୍ରଶ୍ନ ଏବେ କେବଳ ବିରୋଧୀ ନୁହେଁ, ଖୋଦ ବିଜେପିର ସହଯୋଗୀ ଦଳ ଶିବସେନା କରିଛି । ଆଉ ଏହା କେନ୍ଦ୍ର ସରକାରଙ୍କୁ ଘାଇଲା କରିଛି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ପ୍ରଶ୍ନ ଘେରରେ ଇୟୁ ସାଂସଦଙ୍କ କାଶ୍ମୀର ଗସ୍ତ । କାହିଁକି ବିଦେଶୀ ସାଂସଦଙ୍କୁ କାଶ୍ମୀର ଆସିବାକୁ ପଡିଲା ? ତାଙ୍କୁ ଅନୁମତି କାହିଁକି ଦିଆଗଲା ? ଭାରତର ଆଭ୍ୟନ୍ତରୀଣ ମାମଲାରେ ଅନ୍ତର୍ଜାତୀକ ହସ୍ତକ୍ଷେପ କାହିଁକି ? ଏ ତମାମ ପ୍ରଶ୍ନ ଏବେ କେବଳ ବିରୋଧୀ ନୁହେଁ, ଖୋଦ ବିଜେପିର ସହଯୋଗୀ ଦଳ ଶିବସେନା କରିଛି । ଆଉ ଏହା କେନ୍ଦ୍ର ସରକାରଙ୍କୁ ଘାଇଲା କରିଛି । 

ମହାରାଷ୍ଟ୍ରରେ ସରକାର ଗଠନ ନେଇ ବିଜେପି-ଶିବସେନା ମଧ୍ୟରେ ଲାଗି ରହିଥିବା ଛକାପଞ୍ଝା ଭିତରେ ଏବେ କାଶ୍ମୀରକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ଶିବସେନା । କାଶ୍ମୀରକୁ ୟୁରୋପୀୟ ସାଂସଦଙ୍କ ଗସ୍ତ ନେଇ ବିରୋଧୀଙ୍କ ସ୍ୱରରେ ସ୍ୱର ମିଳାଇଛି ଦଳ । ଶିବସେନାର ମୁଖପତ୍ର ସାମନାର ସମ୍ପାଦକୀୟରେ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି । ଏଥିରେ କୁହାଯାଇଛି, କାଶ୍ମୀର ଦେଶର ଏକ ଆଭ୍ୟନ୍ତରୀଣ ମାମଲା । ଯଦି କାଶ୍ମୀରରେ ସବୁକିଛି ଠିକ ଠାକ୍ ଚାଲିଛି, ତେବେ ବିଦେଶୀ ସାଂସଦଙ୍କ ଗସ୍ତ କାହିଁକି ? 

ସମ୍ପାଦକୀୟରେ ଆହୁରି ମଧ୍ୟ ଲେଖାଯାଇଛି, ଇୟୁ ସାଂସଦଙ୍କ ଏହି ଗସ୍ତ ପରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କୁ ମୁଦ୍ଦା ମିଳିବ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ କାଶ୍ମୀର ପ୍ରସଙ୍ଗକୁ ୟୁଏନ ନେଇଥିଲେ । ଯାହା ଆଜି ମଧ୍ୟ ଏକ ବିକର୍କର ବିଷୟ । କାଶ୍ମୀର ପ୍ରସଙ୍ଗରେ ୟୁନାଇଟେଡ ନେସନ(ୟୁଏନ)ର ଦଖଲ ଆପଣଙ୍କର ପସନ୍ଦ ନୁହେଁ । ତେବେ ୟୁରୋପୀୟ ସମୁଦାୟର ସାଂସଦଙ୍କୁ କାହିଁକି ଏହି ପ୍ରସଙ୍ଗରେ ପୁରାଯାଉଛି ବୋଲି ଏଥିରେ ପ୍ରଶ୍ନ କରାଯାଇଛି । 

ମଙ୍ଗଳବାର ଇୟୁ ସାଂସଦଙ୍କ କାଶ୍ମୀର ଗସ୍ତ ଦେଶର ସାର୍ବଭୌମତ୍ୱ ଏବଂ ସ୍ୱାଧୀନତା ଉପରେ ଆକ୍ରମଣ ବୋଲି କଂଗ୍ରେସ କହିଥିଲା । ଏଥିରେ ଏକମତ ହୋଇଛି 'ସାମନା' । ସିଧାସଳଖ ଏ ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହ ଉତ୍ତର ରଖିବାକୁ ଶିବସେନାର ମୁଖପତ୍ର ସାମନାରେ କୁହାଯାଇଛି । 

କହିରଖୁଛୁ, ଭାରତ ଗସ୍ତରେ ଆସିଛନ୍ତି ୟୁରୋପୀୟନ ସାଂସଦ ଦଳର ପ୍ରତିନିଧି ମଣ୍ଡଳ  । ଏହି ପ୍ରତିନିଧି ମଣ୍ଡଳରେ ୨୭ ଜଣ ସଦସ୍ୟ ଅଛନ୍ତି । ମଙ୍ଗଳବାର ସେମାନଙ୍କ ମଧ୍ୟରୁ ୨୩ ସାଂସଦ କାଶ୍ମୀର ପରିଦର୍ଶନ କରିବାକୁ ଯାଇଛନ୍ତି  । ଏହାପୂର୍ବରୁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହ ସାକ୍ଷାତ କରିଥିଲେ  । ଏହି ଅବସରରେ  ଜମ୍ମୁ କାଶ୍ମୀରର ବର୍ତ୍ତମାନର ପରିସ୍ଥିତିକୁ ନେଇ ଆଲୋଚନା କରାଯାଇଥିଲା  । 

ତେବେ ୟୁରୋପିଆନ ସାଂସଦଙ୍କ ପ୍ରତିନିଧି ମଣ୍ଡଳକୁ କାଶ୍ମୀର ଯିବା ପାଇଁ ଅନୁମତି ମିଳିବା ପରେ ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।  ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଘେରିଛନ୍ତି । ସେହିପରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ବିଷୟକୁ ନେଇ ମୋଦି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ।  ବିଏସପି ସୁପ୍ରମୋ ମାୟାବତୀ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।  

ମଙ୍ଗଳବାର ଜନ୍ତର ମନ୍ତରରେ କାଶ୍ମୀର ବିଷୟକୁ ନେଇ ବିଭିନ୍ନ ଏନଜିଓ ତରଫରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରଦର୍ଶନରେ ବାମଦଳ ସହ ଅନ୍ୟ ବିରୋଧୀ ପାର୍ଟିର କାର୍ଯ୍ୟକର୍ତ୍ତା ମଧ୍ୟ ସାମିଲ ହୋଇଥିଲେ ।  କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ ମଧ୍ୟ ଏହି ବିରୋଧ ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ । ଦେଶର ନେତାଙ୍କୁ କାଶ୍ମୀର ଯ଼ିବାକୁ ଦିଆଯାଉନାହିଁ । ତେବେ ବିଦେଶୀ ସାଂସଦଙ୍କୁ କାହିଁକି ବୋଲି ପ୍ରଶ୍ନ କରିଥିଲେ ବିରୋଧୀ । ଆଉ ଆଜି ବିରୋଧୀଙ୍କ ସ୍ୱରରେ ସ୍ୱର ମିଳାଇଛି ଶିବସେନା । 

ଚଳିତ ବର୍ଷ ଅଗଷ୍ଟ ୫ରେ ଧାରା ୩୭୦ର ଉଚ୍ଛେଦ କରି ଜମ୍ମୁ କାଶ୍ମୀରରୁ ବିଶେଷ ରାଜ୍ୟର ମାନ୍ୟତା ଛଡାଇ ନେଇଥିଲେ ମୋଦି ସରକାର । ଏହାସହ ଏହି ରାଜ୍ୟକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା । ଯାହା ପରେ ପାକିସ୍ତାନ ଅନ୍ତର୍ଜାତୀୟ ମଞ୍ଚରେ କାଶ୍ମୀର ବିଷୟକୁ ଉପସ୍ଥାପନ କରୁଛି । ଏହାସହ ବିଭିନ୍ନ ଦେଶ ଠାରୁ ଏହି ବିଷୟରେ ସାହାଯ୍ୟ ମଧ୍ୟ ମାଗୁଛି ପାକ୍ ।