ଛୁଆଁ ଅଛୁଆଁ ଭେଦଭାବରେ ଆକ୍ରମଣ ଅଭିଯୋଗ । ନଳକୂପରେ ପାଣି ପିଇବାକୁ ଯାଇଥିବା ୩ ବ୍ୟକ୍ତିଙ୍କୁ ଅଛୁଆଁ କହି ମାଡ଼ ମାରିଛନ୍ତି ଗ୍ରାମବାସୀ । ଗୋଟିଏ ଗୋଷ୍ଠୀର ଲୋକ ଅନ୍ୟ ଗୋଷ୍ଠୀ ଉପରେ ଆକ୍ରମଣ କରିଛନ୍ତି ।
Trending Photos
)
ପ୍ରିୟବ୍ରତ ସାହୁ, ଜି. ଉଦୟଗିର: ଛୁଆଁ ଅଛୁଆଁ ଭେଦଭାବରେ ଆକ୍ରମଣ ଅଭିଯୋଗ । ନଳକୂପରେ ପାଣି ପିଇବାକୁ ଯାଇଥିବା ୩ ବ୍ୟକ୍ତିଙ୍କୁ ଅଛୁଆଁ କହି ମାଡ଼ ମାରିଛନ୍ତି ଗ୍ରାମବାସୀ । ଗୋଟିଏ ଗୋଷ୍ଠୀର ଲୋକ ଅନ୍ୟ ଗୋଷ୍ଠୀ ଉପରେ ଆକ୍ରମଣ କରିଛନ୍ତି । ଏପରିକି ଗୋଟିଏ ଘର ମଧ୍ୟ ଭାଙ୍ଗି ଦେଇଛନ୍ତି । ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ୨ ବ୍ୟକ୍ତିଙ୍କୁ ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦାରିଙ୍ଗବାଡ଼ି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ଏ ଆକ୍ରମଣ ଘଟଣା ଗତ ୨ ତାରିଖର । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ସୋନପୁର ପଞ୍ଚାୟତ ଗରାନକାରୀ ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ଆଜି ଦୁଇ ଗୁରୁତର ଆହତ ଗାଁର ବାବୁଲା ସୁନାମାଝୀ ଓ ସନାତନ ପ୍ରଧାନଙ୍କୁ ଦାରିଙ୍ଗବାଡ଼ି ଡାକ୍ତରଖାନାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ପୋଲିସରେ ୩ ତାରିଖରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି ।

ଅଭିଯୋଗ ଅନୁସାରେ ପୁରା ଘଟଣା ଥିଲା କିଛି ଏପରି । ଗତ ୨ ତାରିଖ ସକାଳୁ ଗରାନକାରୀ ଗ୍ରାମର ବାବୁଲା, ସନାତନ ଓ ମିଶ୍ର ସୁନାମାଝୀ ୩ ଜଣ ମିଶି ସଉଦା ଆଣିବା ପାଇଁ ସୋନପୁର ଆସିଥିଲେ । ଆଉ ସଉଦା କରି ଫେରିବା ସମୟରେ ଗାଁ ନିକଟରେ ଥିବା ଏକ ନଳକୂପକୁ ପାଣି ପିଇବାକୁ ଯାଇଥିଲେ । ଏହି ସମୟରେ ନଳକୂପରେ ସେହି ଗାଁର ଜଣେ କଥା କହିପାରୁ ନ ଥିବା ଯୁବତୀ ତାବଲାରେ ପାଣି ଭରୁଥିଲେ । ତେବେ ଉକ୍ତ ୩ ଯୁବକ ପ୍ରବଳ ତୃଷାର୍ତ୍ତ ଥିବାରୁ ତାବଲା ହଟାଇ ପାଣି ପିଇବାକୁ ଉଦ୍ୟମ କରିଥିଲେ । ଭୁଲ ଥିଲା ଏତିକି । ତଥାକଥିତ ଉଚ୍ଚ ଜାତିଙ୍କ ତାବଲାକୁ ଛୁଇଁ ପକାଇଥିଲେ ଏମାନେ । ଆଉ ଏତିକିରେ ଉକ୍ତ ୩ ଜଣଙ୍କୁ ଛୋଟ ଜାତି କହି ଗାଁ ଲୋକ ନିର୍ଦ୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।
ଏତିକିରେ ସରି ନ ଥିଲା ପୁରା କାହାଣୀ । ଅଭିଯୋଗରେ ଯାହା କୁହାଯାଇଛି, ସୋନପୁର ଗାଁର ଓଡ଼ିଆ ସାହିରୁ ଦଳବଦ୍ଧ ହୋଇ ୨୦୦ ରୁ ୩୦୦ ଲୋକ ହାତରେ କାତି, କୁରାଢ଼ୀ, ଟାଙ୍ଗିଆ ନେଇ ଗରାନକାରୀ ଗ୍ରାମରେ ପହଞ୍ଚିଥିଲେ । ଗାଁରେ ଥିବା ୧୦ ଆଦିବାସୀ ସମ୍ପ୍ରଦାୟ ପରିବାରକୁ ଗାଁ ଛାଡ଼ି ଚାଲିଯିବାକୁ ମଧ୍ୟ ଧମକ ଦେଇଥିଲେ । ଗାଁ ଛାଡ଼ି ନଗଲେ କିରୋସିନ, ପେଟ୍ରୋଲ ଢାଳି ସଭିଙ୍କ ଘର ଜାଳି ଦେବାକୁ ଡରେଇଥିଲେ । ଏହାସହ ବାବୁଲାଙ୍କ ଘରକୁ ଭାଙ୍ଗି ସମସ୍ତ ଜିନିଷପତ୍ର ନଷ୍ଟ କରିଥିଲେ । ଏପରିକି ବାବୁଲା ଓ ସନାତନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ପରେ ଗାଁ ଲୋକ ଉଭୟଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଏ ଘଟଣା ପରେ ଏବେ ସମ୍ପୁର୍ଣ୍ଣ ଗରାନକାରୀ ଗାଁର ବାସିନ୍ଦା ଆତଙ୍କିତ ।
ଆକ୍ରମଣ କରିଥିବା ସୋନପୁର ଗାଁର ଲୋକ ଏହି ଘଟଣାରେ ଭିନ୍ନ ମତ ରଖିଛନ୍ତି । ମାଡ଼ ମାରିବା ଘଟଣାକୁ ଯଦିଓ ସ୍ୱୀକାର କରିଛନ୍ତି, ତେବେ ଏହାର କାରଣ ଭିନ୍ନ ଦର୍ଶାଇଛନ୍ତି । ସୋନପୁର ଗାଁ ଲୋକଙ୍କ କହିବା କଥା ହେଲା, ଉକ୍ତ ୩ ଯୁବକ କୁଆଡ଼େ ପାଣି ପିଇ ଯିବା ବାହାନାରେ କଥା କହିପାରୁନଥିବା ଯୁବତୀଙ୍କ ବେକ ଓ କାନର ସୁନା ଲୁଟି ନେଇଯାଇଥିଲେ । ତେଣୁ ଗ୍ରାମବାସୀ ତାଙ୍କୁ କେବଳ ମାଡ଼ ମାରିଛନ୍ତି ବୋଲି କହିଛନ୍ତି ସୋନପୁର ଗାଁର ଜଣେ ଗ୍ରାମବାସୀ ।