)
ପ୍ରିୟବ୍ରତ ସାହୁ, କନ୍ଧମାଳ: କଟକଣା କୋହଳ ହେଲା । ସରକାର ବସ୍ ଚଳାଚଳ ପାଇଁ ଅନୁମତି ଦେଇଥିଲେ । ଯାହା ଫଳରେ ଦୀର୍ଘ ୩ ମାସ ପରେ ବସ ଗଡିଲା । ଏଥି ଯୋଗୁ ବହୁ ଅସୁବିଧାରେ ଥିବା ବସ୍ ମାଲିକ ଓ କର୍ମଚାରୀ ବି ଖୁସି ହୋଇଥିଲେ । ହେଲେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଥିବାରୁ ବସ ଆଉ ଚଳାଚଳ କରିପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ଆଜି(ଶନିବାର) ନିର୍ଦ୍ଦେଶନାମା ଜାରି କରିଛି ।
ନିର୍ଦ୍ଦେଶନାମା ଅନୁଯାୟୀ, କନ୍ଧମାଳରୁ ଗଞ୍ଜାମ, ଗଜପତି, ଭୁବନେଶ୍ୱର, କଟକ, ରାୟଗଡାକୁ ଆଉ ସରକାରୀ ଓ ବେସରକାରୀ ବସ୍ ଅନିର୍ଦ୍ଧିଷ୍ଟ କାଳ ଯାଏ ଚଳାଚଳ କରିବ ନାହିଁ । ସେସବୁ ସ୍ଥାନରୁ କନ୍ଧମାଳକୁ ବସ ମଧ୍ୟ ଆସି ପାରିବ ନାହିଁ । ଅନ୍ୟ ଜିଲ୍ଲାକୁ କନ୍ଧମାଳ ଦେଇ ବସ୍ ଯିବାରେ ଅସୁବିଧା ନାହିଁ । ହେଲେ ଏଠାରେ ବସ୍ ରହିବ ନାହିଁ କି କେହି ଯାତ୍ରୀ ଚଢିବେ ନାହିଁ କି ଓହ୍ଲାଇ ପାରିବେ ନାହିଁ । ଏଭଳି ନିର୍ଦ୍ଦେଶନାମା ପ୍ରଶାସନ ଜାରି କରିଥିବା ବେଳେ କେହି ଅମାନ୍ୟ କଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦିଆଯାଇଛି ।
ଅନ୍ୟପକ୍ଷେ କନ୍ଧମାଳ ଜିଲ୍ଲା ମଧ୍ୟରେ ବସ୍ ଚଳାଚଳ କରି ପାରିବ ବୋଲି କୁହାଯାଇଛି । ଏଥି ସହ ବାହାରୁ ଜିଲ୍ଲାରୁ କେହି କନ୍ଧମାଳକୁ ଆସି ପାରିବେ ନାହିଁ । ବାହାରକୁ ମଧ୍ୟ କେହି ଯାଇ ପାରିବେ ନାହିଁ । ଜରୁରୀ କାମରେ ଅନୁମତି ନେବାକୁ ହେବ । ତାହା ପୁଣି ଉପଯୁକ୍ତ ପ୍ରମାଣ ଦେଖାଇବାକୁ ପଡିବ । ବିଶେଷତଃ ଗଞ୍ଜାମ ଜିଲ୍ଲାରୁ କେହି ଜରୁରୀ କାମରେ କନ୍ଧମାଳ ଆସିବାକୁ ଚାହିଁଲେ ଫୁଲବାଣୀ ଓ ବାଲିଗୁଡା ଉପଜିଲ୍ଲାପାଳଙ୍କ ନିକଟରେ ଇ-ମେଲରେ ଆବେଦନ କରିବାକୁ ପଡିବ । କୋରୋନା ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ କୋଭିଡ ନିୟମ ଅନୁଯାୟୀ ଏସବୁ ନିର୍ଦ୍ଦେଶନାମାକୁ ସମସ୍ତେ ପାଳନ କରିବାକୁ କୁହାଯାଇଛି । ସରକାରଙ୍କ ନିୟମ ମାନନ୍ତୁ । ଘରେ ରୁହନ୍ତୁ, ସୁସ୍ଥ ରହୁନ୍ତି । ଆଉ ସହଯୋଗ କରନ୍ତୁ ବୋଲି ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।
ଅନିର୍ଦ୍ଦିଷ୍ଟ କାଳ ଯାଏ ବସ୍ ଚଳାଚଳ ବନ୍ଦ ହେଉଥିବାରୁ ଏହାକୁ ନେଇ ବସ୍ ମାଲିକ ଓ କର୍ମଚାରୀଙ୍କ ଚିନ୍ତା ବଢି ଯାଇଛି । କୋରୋନା ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ବସ ଚଳାଚଳ ବନ୍ଦ କରିବାକୁ ପ୍ରଶାସନର ନିଷ୍ପତ୍ତିକୁ ମାଲିକ ଓ କର୍ମଚାରୀ ସ୍ୱାଗତ କରିଛନ୍ତି । ହେଲେ ଅନ୍ୟମାନଙ୍କ ଭଳି ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ମଧ୍ୟ ଦାବି ହୋଇଛି ।