ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ କରି ଅମାନିଆ ସାଜିଛନ୍ତି ଅଧିକାରୀ ଓ କର୍ମଚାରୀ !
Advertisement

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ କରି ଅମାନିଆ ସାଜିଛନ୍ତି ଅଧିକାରୀ ଓ କର୍ମଚାରୀ !

ଜିଲ୍ଲାପାଳଙ୍କ ବିନା ଅନୁମତିରେ ଦାରିଙ୍ଗବାଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ ନିଜ ଘର କଟକ ଜିଲ୍ଲାକୁ ଗତ ଶୁକ୍ରବାର ଯାଇଥିଲେ । ତାଙ୍କ କାର୍ଯ୍ୟାଳୟର ଏମା.ଇ.ଏସ ପ୍ରାଣତୋଷ ସାହୁ ମଧ୍ୟ ନୟାଗଡ ଜିଲ୍ଲାକୁ ଯାଇଥିଲେ । 

ଫାଇଲ ଫଟୋ

କନ୍ଧମାଳ: ବାହାର ଜିଲ୍ଲାର ଫେରନ୍ତାଙ୍କ ପାଇଁ କନ୍ଧମାଳ ଜିଲ୍ଲାରେ ସଙ୍କଟ ବଢିଯାଇଥିବାରୁ କୋରୋନା ମୁକାବିଲା ପାଇଁ କନ୍ଧମାଳ ଜିଲ୍ଲାପାଳ ଡି. ବୃନ୍ଦା ଡି ଗତ ୮ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହା ଅନୁସାରେ ବିନା ଅନୁମତିରେ କୌଣସି ବ୍ୟକ୍ତିଙ୍କୁ ଜିଲ୍ଲା ବାହାରକୁ ଯିବା ପାଇଁ ବାରଣ କରିଥିବା ବେଳେ ଜରୁରୀ ପରିସ୍ଥିତିରେ ଅନୁମତି ନେଇ ଜିଲ୍ଲା ବାହାରକୁ ଯାଇପାରିବେ । ଏହାସହ ଫେରିଲା ପରେ ସେହି ବ୍ୟକ୍ତି ୧୪ ଦିନ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ବାଧ୍ୟ ବୋଲି ଚିଠିରେ ଉଲ୍ଲେଖ କରିଥିଲେ । ତେବେ ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶକୁ ଦାରିଙ୍ଗବାଡି ଶିକ୍ଷା ବିଭାଗର କର୍ମଚାରୀମାନେ ସଂପୂର୍ଣ୍ଣ ଭାବରେ ଅବମାନନା କରୁଥିବା ଜଣାପଡ଼ିଛି ।

ଜିଲ୍ଲାପାଳଙ୍କ ବିନା ଅନୁମତିରେ ଦାରିଙ୍ଗବାଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ ନିଜ ଘର କଟକ ଜିଲ୍ଲାକୁ ଗତ ଶୁକ୍ରବାର ଯାଇଥିଲେ । ତାଙ୍କ କାର୍ଯ୍ୟାଳୟର ଏମା.ଇ.ଏସ ପ୍ରାଣତୋଷ ସାହୁ ମଧ୍ୟ ନୟାଗଡ ଜିଲ୍ଲାକୁ ଯାଇଥିଲେ । ତେବେ ଜିଲ୍ଲା ବାହାରକୁ ଯିବାପାଇଁ ସେମାନେ ଜିଲ୍ଲାପାଳଙ୍କ ନିକଟରୁ ଅନୁମତି ନେଇନଥିବା ଜଣାପଡ଼ିଛି । ଶୁକ୍ରବାର ଠାରୁ ଦୁହେଁ ନିଜ ନିଜ ଜିଲ୍ଲାକୁ ଯାଇଥିବା ବେଳେ ଗତକାଲି ଅପରାହ୍ନ ଦୁହେଁ ଦାରିଙ୍ଗବାଡିକୁ ଫେରିଥିଲେ । ତେବେ ଫେରିବା ପରେ ସେମାନେ ସରକାରୀ କ୍ୱାରେଣ୍ଟାଇନରେ ରହିବାର ନିୟମ ରହିଥିବା ବେଳେ ସେମାନେ ଜିଲ୍ଲା ବାହାରକୁ ଯାଇ ଫେରିଥିବା ଖବରକୁ ଲୁଚାଇବାକୁ ଚେଷ୍ଟା କରିଥିଲେ । ତେବେ ଏନେଇ ଦାରିଙ୍ଗବାଡି ତହସିଲଦାର ନୀତିଶ କୁମାର ତ୍ରିପାଠୀ ଓ ବିଡିଓ ଜଗଦୀଶ ଷଡ଼ଙ୍ଗୀ ଖବର ପାଇ ବୁଧବାର ରାତିରେ ଉଭୟଙ୍କୁ  କ୍ୱାରେଣ୍ଟାଇନ ସେଣ୍ଟରରେ ନେଇ ରଖିଛନ୍ତି । 

ଉଭୟଙ୍କୁ ଦାରିଙ୍ଗବାଡି ଆମ୍ବେଦକର କନିଷ୍ଠ ମହାବିଦ୍ୟାଳୟରେ ଥିବା କ୍ୱାରେଣ୍ଟାଇନରେ ରଖାଯାଇଥିବା ନେଇ ଜଣାପଡିଛି । ସେହିଭଳି ଦାରିଙ୍ଗବାଡି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଆଉ କିଛି କର୍ମଚାରୀ ମଧ୍ୟ ବିନା ଅନୁମତିରେ ନିଜ ନିଜ ଘର ଅନ୍ୟ ଜିଲ୍ଲାଗୁଡିକୁ ଯାଇଥିବା ଜଣାପଡ଼ିଛି । ହେଲେ ସେମାନେ ମଧ୍ୟ ଫେରିଲେ ସେମାନଙ୍କୁ କ୍ୱାରେଣ୍ଟାଇନେରେ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି । ଏହିଭଳି ଭାବରେ ଦାରିଙ୍ଗବାଡି ବ୍ଲକ ଶିକ୍ଷା ବିଭାଗର ଅଧିକାରୀ ଓ କିଛି କର୍ମଚାରୀମାନେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅବମାନନା କରି ରେଡ ଜୋନରେ ଥିବା ଜିଲ୍ଲାକୁ ଯାତାୟାତ କରୁଥିବାରୁ ଦାରିଙ୍ଗବାଡି ଅଂଚଳରେ କୋରୋନା ସଂକ୍ରମଣ ବଢ଼ିବାର ଆଶଙ୍କା କରିଛନ୍ତି ଅଞ୍ଚଳବାସୀ । ଆଉ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଯଦି ଏଭଳି ଅମାନିଆ ହେବେ ତାହାଲେ ସାଧାରଣ ଲୋକଙ୍କୁ କହିବ କିଏ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।