ସିଲ୍ କରାଗଲା ଏସାର ପେଟ୍ରୋଲ ପମ୍ପ
Advertisement

ସିଲ୍ କରାଗଲା ଏସାର ପେଟ୍ରୋଲ ପମ୍ପ

ଏସାର ପେଟ୍ରୋଲ ପମ୍ପର ୬ଟି ନୋଜଲରୁ ୨ଟି ନୋଜଲର ମାପ ଠିକ ରହିଥିବା ବେଳେ ୪ଟି ନୋଜଲର ମାପ ଭୁଲ ରହିଥିବା ନେଇ ମାପ ଓ ଓଜନ ବିଭାଗ ସହକାରୀ ନିୟନ୍ତ୍ରକ ବିଦ୍ୟାଧର ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

ଫାଇଲ ଫଟୋ

ପ୍ରିୟବ୍ରତ ସାହୁ, କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସ୍ଥିତ ଏସାର ପେଟ୍ରୋଲ ପମ୍ପରେ ଜିଲ୍ଲା ମାପ ଓ ଓଜନ ବିଭାଗ ପକ୍ଷରୁ ଗତକାଲି(ଗୁରୁବାର) ସନ୍ଧ୍ୟାରେ ବିଭାଗୀୟ ସହକାରୀ ନିୟନ୍ତ୍ରକଙ୍କ ନେତୃତ୍ୱରେ  ଅତର୍କିତ ଚଡ଼ାଉ  କରାଯାଇ ପେଟ୍ରୋଲ ପମ୍ପଟିକୁ ଦୁଇଦିନ ହେଲା ସିଲ କରିଦିଆଯାଇଛି । ଏସାର ପେଟ୍ରୋଲ ପମ୍ପର ୬ଟି ନୋଜଲରୁ ୨ଟି ନୋଜଲର ମାପ ଠିକ ରହିଥିବା ବେଳେ ୪ଟି ନୋଜଲର ମାପ ଭୁଲ ରହିଥିବା ନେଇ ମାପ ଓ ଓଜନ ବିଭାଗ ସହକାରୀ ନିୟନ୍ତ୍ରକ ବିଦ୍ୟାଧର ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

ଏନେଇ ପେଟ୍ରୋଲ ମାଲିକଙ୍କୁ ଠାରୁ ଜୋରିମାନା ମଧ୍ୟ ଆଦାୟ କରାଯିବ ବୋଲି ସେ କହିଛନ୍ତି । ପେଟ୍ରୋଲ ପମ୍ପରେ ଡିଜେଲ ବିକ୍ରି କରିବା ପାଇଁ ତିନିଟି ନୋଜଲ  ଓ ପେଟ୍ରୋଲ ବିକ୍ରି ପାଇଁ ତିନିଟି ନୋଜଲ ରହିଛି । ଏଥିରୁ ପେଟ୍ରୋଲ ବିକ୍ରି ପାଇଁ ରହିଥିବା ତିନିଟି ନୋଜଲ ଓ ଡିଜେଲ ବିକ୍ରି  ପାଇଁ ରହିଥିବା ଗୋଟିଏ ନୋଜଲର ମାପ ଠିକ୍ ନଥିବା ପ୍ରକାଶ ପାଇଛି । ତେବେ ଉକ୍ତ ପେଟ୍ରୋଲ ପମ୍ପଟି ଗତ ଫେବୃଆରୀ ୧୯ ତାରିଖରେ ଆରମ୍ଭ ହୋଇଥିଲା । ପ୍ରାୟ ପାଞ୍ଚ ମାସ ହେବ ବିଭାଗୀୟ ଅଧିକାରୀଙ୍କ ଅବହେଳା ହେଉକି ଖାମ ଖିଆଲ ନୀତି ଯୋଗୁଁ ଗ୍ରାହକମାନେ ଠକାମୀର ଶିକାର ହୋଇଥିବା ନେଇ ଏବେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ପମ୍ପ ମାଲିକ କମ ପେଟ୍ରୋଲ ଓ ଡିଜେଲ ଦେଇ ଅଧିକା ଅର୍ଥ ଆଦାୟ କରୁଥିଲା । ଆଉ ଏବେ ଚଢ଼ାଉ ପରେ ସେଥିରୁ ମାଲିକ ଜୋରିମାନା ବାବଦକୁ କିଛି ଅର୍ଥ ପ୍ରଶାସନଙ୍କୁ ପ୍ରଦାନ କରିବା ଫଳରେ ସରକାର ଫାଇଦାରେ ଏବଂ ମାଲିକ ମଧ୍ୟ ମାଲାମାଲ ହୋଇଥିଲା ବେଳେ ଗ୍ରାହାକଙ୍କୁ କିନ୍ତୁ କ୍ଷତି ସହିବାକୁ ପଡ଼ିଥିବା ନେଇ ସାଧାରଣରେ ଚର୍ଚ୍ଚାର ହେଉଛି । ଯାହା ଫଳରେ ଏସାର ପେଟ୍ରୋଲ ପମ୍ପ ମାଲିକଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା ଏବେ କଣ ବୋଲି ସାଧାରଣରେ ଆଲୋଚନା ହେବାରେ ଲାଗିଛି ।