ସରକାର କହୁଛନ୍ତି ଘରେ ରୁହ, ପ୍ରଶାସନ କହିଲା ଘରୁ ପଳାଅ !

ସଙ୍କଟ ବେଳେ ଜବର ଦଖଲ ଉଚ୍ଛେଦ, ଖୋଲା ଛାତରେ ପରିବାର

ସରକାର କହୁଛନ୍ତି ଘରେ ରୁହ, ପ୍ରଶାସନ କହିଲା ଘରୁ ପଳାଅ !
ଫଟୋ ସୌଜନ୍ୟ: ଜୀ ମିଡିଆ

ପ୍ରିୟବ୍ରତ ସାହୁ, ଜି.ଉଦୟଗିରି: କୋରୋନା ମହାମାରୀ ସମୟରେ ପ୍ରଶାସନ ମାନବିକତା ଭୁଲିଗଲା ଆଉ ନିର୍ଦୟ ସାଜି ଗୋଟିଏ ପରିବାରକୁ ବାସହରା ସଜାଇଦେଲା ! ଏଭଳି କିଛି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ତହସିଲ ସମ୍ମୁଖରେ ଘର କରି ରହୁଥିବା ମିଶ୍ର ଦିଗାଳଙ୍କ ପରିବାରରେ । ଆଜକୁ ପ୍ରାୟ ୧୦ ରୁ ୧୧ ବର୍ଷ ହେଲା ଏଠି ଘର କରି ରହିଆସୁଥିବା ବେଳେ ବୁଧବାର ଦିନ ଅପରାହ୍ନରେ ତହସିଲ ପକ୍ଷରୁ ବିନା ନୋଟିସରେ ତାଙ୍କ ଘରକୁ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି । ଫଳରେ ମିଶ୍ର ଦିଗାଳଙ୍କ ୫ ପ୍ରାଣୀ ଏବେ ଗଛ ମୂଳରେ ।

କନ୍ଧମାଳ ଜିଲ୍ଲାର ରାଇକିଆ ତହସିଲ ସମ୍ମୁଖ ଜମିରେ ୨୦୦୯ ମସିହା ଠାରୁ ମିଶ୍ର ଦିଗାଳ ସେଠି ଘର କରି ରହିଆସୁଥିଲେ । ହେଲେ ମିଶ୍ର ଦିଗାଳଙ୍କ ପାଖରେ ସେହି ଜମିକୁ ନିଜର ବୋଲି ପ୍ରମାଣିତ କରିବା ପାଇଁ କୌଣସି କାଗଜ ପତ୍ର ନାହିଁ । ତେବେ ବୁଧବାର ଦିନ ଅପରାହ୍ନରେ ହଟାତ ତହସିଲଦାର ଓ ଆରଆଇ ଆସି ମିଶ୍ର ଦିଗାଳଙ୍କ ଘରେ ପହଞ୍ଚିଥିଲେ ।  ବିନା କୌଣସି ନୋଟିସରେ ଘର ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ମିଶ୍ର ଦିଗାଳଙ୍କ ପରିବାରର କାକୁତି ବିନତିକୁ ନଶୁଣି ଜେସିବି ଦ୍ୱାରା ଘରଟିକୁ ଭାଙ୍ଗି ଦିଆଯାଇଛି ।

g

ଅଭିଯୋଗ ହୋଇଛି, ଏହି ପରିବାକୁ ତହସିଲ ପକ୍ଷରୁ ଅନ୍ୟକେଉଁଠି ଥଇଥାନ ମଧ୍ୟ କରାଗଲା ନାହିଁ । ଜାହାରିଫଳରେ ମିଶ୍ର ଦିଗାଳ ନିଜର ତିନିଟି ଛୋଟ ଛୋଟ ଛୁଆ ଓ ସ୍ତ୍ରୀଙ୍କୁ ନେଇ ଏବେ ଗଛମୂଳରେ ରହୁଛନ୍ତି । ଆଉ କୋରୋନାର ଆତଙ୍କ ହେତୁ ସାହି ପଡ଼ିଶା କେହି ହେଲେ ତାଙ୍କୁ ସାହାଯ୍ୟ କରୁନାହାଁନ୍ତି । କେହି ତାଙ୍କୁ ଘରକୁ ପୁରାଉନାହାଁନ୍ତି । ଏଭଳି ପରିସ୍ଥିତିରେ ଆଉ ଅସମୟରେ ଗଛ ମୂଳରେ ପଡ଼ି ରହିଛନ୍ତି ଏହି ୫ ପ୍ରାଣୀ । 

ଏନେଇ ରାଇକିଆ ତହସିଲଦାର ସାରଦାକାନ୍ତି ଦଳେଇଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବା ବେଳେ ବାରମ୍ବାର ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ ଉଠାଉନାହାଁନ୍ତି । ପ୍ରଶାସନର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ଘୋର ନିନ୍ଦା କରୁଛନ୍ତି । 

ଜବଲ ଦଖଲ ଉଚ୍ଛେଦ ପ୍ରଶାସନର କାମ । କିନ୍ତୁ କୋରୋନା ଭଳି ସଙ୍କଟ ସମୟରେ ଯଦି ଜଣଙ୍କୁ ବାସହରା କରିଦିଆଯାଏ, ତେବେ ସେ ରହିବ କେଉଁଠି ? ସମ୍ପୃକ୍ତ ପରିବାରର ଥଇଥାନ କରିବା କାହାର ଦାୟିତ୍ୱ ? ହଠାତ ଏପରି କ'ଣ ହେଲା ଯେ, ତଦସିଲଦାର ଏହି ସମୟରେ ହିଁ ଜବର ଦଖଲ ଉଚ୍ଛେଦର ନିଷ୍ପତ୍ତି ନେଲେ ? ଜବର ଦଦଖଲ ଉଚ୍ଛେଦ ପୂର୍ବରୁ ସମ୍ପୃକ୍ତ ପରିବାର କେଉଁଠି ରହିବେ, ସେନେଇ ବ୍ୟବସ୍ଥା କରିଛନ୍ତି ତ ? କୋରୋନା ଭଳି ସଙ୍କଟ ସମୟରେ ସରକାର ସମସ୍ତଙ୍କୁ ଘରେ ରହିବା ପାଇଁ ଅପିଲ କରୁଛନ୍ତି । ଆଉ ଏହି ସମୟରେ ଗୋଟିଏ ପରିବାରକୁ ବାସହରା କରି କେଉଁ ପ୍ରକାର ବାର୍ତ୍ତା ଦେବାକୁ ଚାହୁଁଛି ପ୍ରଶାସନ ? ଆଉ ଏସବୁ ଭିତରେ ବଡ଼ ପ୍ରଶ୍ନ ହେଉଛି, ଏବେ ଏ ପରିବାର ଯିବେ କୁଆଡ଼େ ?