)
ପ୍ରିୟବ୍ରତ ସାହୁ, ଫୁଲବାଣୀ: ଘଞ୍ଚ ଜଙ୍ଗଲରେ ଗୋଟିଏ ରାତି ବିତାଇଲେ ପ୍ରବାସୀ ଓଡ଼ିଆ । ତାମିଲନାଡ଼ୁରୁ ପ୍ରବାସୀ ଓଡ଼ିଆକୁ ନେଇ ଫେରୁଥିବା ଏକ ବସ ଦାରିଙ୍ଗବାଡ଼ି ଘାଟି ରାସ୍ତାରେ ଫସି ଯାଇଛି । ଫଳରେ ରାତି ତମାମ ସହାୟତା ଅପେକ୍ଷାରେ ରହିଥିଲେ ୩୦ ପ୍ରବାସୀ ଶ୍ରମିକ । ମାଓ ଇଲାକା ହୋଇଥିବାରୁ ଭୟ ମଧ୍ୟ ହେଉଥିଲା । ହେଲେ ଜଙ୍ଗଲ ଭିତରୁ ବାହାରିବାର ଅନ୍ୟ ରାସ୍ତ ବି ନଥିଲା ।
ପୁରା ଘଟଣା ଥିଲା ଏପରି । ତାମିଲନାଡ଼ୁରୁ ଏକ ବସ ଭଡ଼ା କରି ବଲାଙ୍ଗୀର ଅଭିମୁଖେ ବାହାରିଥିଲେ ଫସି ରହିଥିବା ୩୦ ପ୍ରବାସୀ ଓଡ଼ିଆ । ଏମାନଙ୍କ ମଧ୍ୟରେ ବଲାଙ୍ଗୀର ସମେତ ବୌଦ୍ଧ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଅନେକ ଦାଦନ ଶ୍ରମିକ ଥିଲେ । ତେବେ ଶନିବାର ରାତି ୯ଟା ବେଳକୁ ଦାରିଙ୍ଗବାଡ଼ି ୯ ନମ୍ବର ବୁଲାଣିରେ ବସଟି ଫସି ଯାଇଥିଲେ । ନା ଆଗକୁ ଯାଇପାରୁଥିଲା, ନା ପଛକୁ ଫେରିପାରୁଥିଲା । ଶେଷରେ ପୋଲିସକୁ ଖବର ଦେଇଥିଲେ ଏମାନେ ।

ରାତିରେ ହିଁ ଘଟଣା ସ୍ଥଳରେ ପହଞ୍ଚିଥିଲା ଗଞ୍ଜାମ ସୋରଡ଼ା ପୋଲିସ । ତେବେ ବିଳମ୍ବିତ ରାତିରେ ବସ୍ କାଢ଼ିବା ସମ୍ଭବ ନଥିଲା । ତେଣୁ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ପାନୀୟ ଜଳ ଏବଂ କିଛି ଶୁଖିଲା ଖାଦ୍ୟର ବ୍ୟବସ୍ଥା କରି ଚାଲିଯାଇଥିଲା ପୋଲିସ । ଏପରିକି ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲା । ଆଉ ରାତି ସାରା ଘଞ୍ଚ ଜଙ୍ଗଲ ଆଉ ଅନ୍ଧାର ମଧ୍ୟରେ ସମୟ କାଟିଥିଲେ ତାମିଲନାଡ଼ୁ ଫେରନ୍ତା ଏହି ପ୍ରବାସୀ ଶ୍ରମିକମାନେ । ଶେଷରେ ଆଜି ସକାଳୁ ବସଟିକୁ ଉଦ୍ଧାର କରାଯାଇଛି । ବସଟି ଏବେ ଘଟଣାସ୍ଥଳରୁ ବଲାଙ୍ଗୀର ଅଭିମୁଖେ ବାହାରିଥିବା ଜଣାପଡ଼ିଛି ।