OTରେ ଛଟପଟ ହେଉଥିଲେ ପ୍ରସୂତି, ଟଙ୍କା ପାଇଁ ଅଡ଼ି ବସିଥିଲେ ଡାକ୍ତର !
Advertisement
Article Detail0/zeeodisha/odisha687103

OTରେ ଛଟପଟ ହେଉଥିଲେ ପ୍ରସୂତି, ଟଙ୍କା ପାଇଁ ଅଡ଼ି ବସିଥିଲେ ଡାକ୍ତର !

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଲା ସାଙ୍ଘାତିକ ଅଭିଯୋଗ

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ଶିବାଶିଷ ମହାନ୍ତି, କେନ୍ଦ୍ରାପଡ଼ା: ପ୍ରସୂତିଙ୍କ ମେଡ଼ିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ଅନ୍ୟପଟେ ଆରମ୍ଭରୁ ଲାଞ୍ଚ ମାଗିଥିଲେ ଡାକ୍ତର । ପ୍ରବସ ପାଇଁ ୪ ହଜାର ଟଙ୍କା ଦେବାକୁ କହିଥିଲେ । ହେଲେ ପ୍ରସୂତିଙ୍କ ପରିବାର ଲୋକେ ପୁରା ଗରିବ । ଏତେ ଟଙ୍କା ଆଣିବା ବା କେଉଁଠୁ ? ଏମିତି ଡାକ୍ତରଖାନାରେ ଗୋଟିଏ ଦିନ ବିତିଗଲା । ଡାକ୍ତର ଭଲ ଭାବେ ଚିକିତ୍ସା ମଧ୍ୟ କଲେ ନାହିଁ । ପର ଦିନ ରୋଗୀଙ୍କ ଅବସ୍ଥା ଗୁରୁତର ହେବାରୁ ଓଟିକୁ ନିଆଗଲା । ହେଲେ ଏଭଳି ସମୟରେ ମଧ୍ୟ ଚିକିତ୍ସା ପାଇଁ ପଇସା ଦାବି କରୁଥାନ୍ତି ଡାକ୍ତର । କୌଣସି ବାଟ ନଥିବାରୁ ଟଙ୍କା ଦେବାକୁ ପରିବାର ଲୋକେ ହଁ ମାରିଥିଲେ, ହେଲେ ଯୋଗାଡ଼ କରିବାରେ ବିଳମ୍ବ ହୋଇଥିଲା । ଆଉ ଏହାରି ଭିତରେ ଆଖି ବୁଜି ସାରିଥିଲେ ପ୍ରସୂତି । ଆଉ ଦୁନିଆ ଦେଖିବା ପୂର୍ବରୁ ହଁ ଆଖି ବୁଜି ଦେଇଥିଲା ପେଟ ଭିତରେ ଥିବା ଶିଶୁ । କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଛି ଏଭଳି ସଙ୍ଘାତିକ ଅଭିଯୋଗ । ଟାଉନ ଥାନାର ଦ୍ୱାରସ୍ତ ହୋଇଛନ୍ତି ମୃତକଙ୍କ ପରିବାର । 

ଅଭିଯୋଗ ଅନୁଯାୟୀ, ମୃତ ପ୍ରସୂତୀ ମହିଳା ନିକିରାଇ ଚାରିଗାଁ ଅଞ୍ଚଳର ଭାନୁମତୀ ମଲ୍ଲିକ । ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସରକାରୀ ଡାକ୍ତରଖାନା ହୋଇଥିଲେ ମଧ୍ୟ ଚିକିତ୍ସା ପାଇଁ ଅର୍ଥ ଦାବି କରିଥିଲେ ଡାକ୍ତର । ଏପଟେ ଗରିବ ପରିବାର ଟଙ୍କା ଦେବାକୁ ସକ୍ଷମ ହୋଇନଥିଲେ । ଯେଉଁଥିପାଇଁ ଭାନୁମତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ଭିଣେଇ ଖଗେଶ୍ୱର ମଲ୍ଲିକ । 

ଏନେଇ ମୃତକଙ୍କ ପରିବାର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି ହୋଇଛି । ତେବେ ସରକାରୀ ଡାକ୍ତରଖାନାରୁ ଏଭଳି ସାଙ୍ଘାତିକ ଅଭିଯୋଗ ଆସିବା ପରେ, ସମଗ୍ର ଜିଲ୍ଲାରେ ଏହା ଆଲୋଚ୍ୟ ବିଷୟ ହୋଇଛି । ଯଦି ସତରେ ଡାକ୍ତରଙ୍କ ଅବହେଳା ଯୋଗୁ ପ୍ରସୂତୀଙ୍କ ମୃତ୍ୟୁ ହୋଇଥାଏ, ତେବେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । 

;