)
ଅଭୟ ମହାନ୍ତି, କେନ୍ଦୁଝର: ଭାଉଜ ସହ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ବର୍ଷକର ପ୍ରେମ କାହାଣୀ । ଏ ପରକୀୟା ସମ୍ପର୍କରେ ଜାଣିପାରିଥିଲା ବଡ଼ ଭାଇ । ଓହରି ଯିବା ପାଇଁ ତାଗିତ ମଧ୍ୟ କରୁଥିଲା । ହେଲେ ପ୍ରେମରେ ଉବୁଟୁବୁ ହେଉଥିଲା ସାନ ଭାଇ । ଶୁଣି ନ ଥିଲା ବଡ଼ ଭାଇର କଥା । ସ୍ଥିତି ଏପରି ହୋଇଥିଲା ଯେ, ଭାଉଜଙ୍କୁ ନିଜ ଘରକୁ ନେଇ ଆସିଲା । ଅନ୍ୟପଟେ ପ୍ରତିଶୋଧ ପରାୟଣ ହୋଇଗଲା ବଡ଼ ଭାଇ । ଶେଷରେ ସାନ ଭାଇ ଜିତୁ ମୁଣ୍ଡାକୁ ତୀର ମାରି ହତ୍ୟାକଲା । କେନ୍ଦୁଝର ତେଲକୋଇ ଥାନା ଅନ୍ତର୍ଗତ କାଳିଆହତା ଫାଣ୍ଡି ଲକ୍ଷ୍ମୀନାରାୟଣପୁର ଢିପା ସାହିରେ ଘଟିଛି ଏହି ଘଟଣା । ଅଭିଯୁକ୍ତ ବଡ଼ ଭାଇ ଶଙ୍କର ମୁଣ୍ଡା ପୋଲିସ ନିକଟରେ ଆତ୍ମ ସମର୍ପଣ କରିଛି । ପୋଲିସ ପଚରା ଉଚାରା ଜାରି ରଖିଛି । ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ତେଲକୋଇ ପୋଲିସ ନିକଟରୁ ମିଳିଥିବା ସୂଚନା ଅନୁସାରେ, ପୁରା ଘଟଣା ଥିଲା ଏପରି । ମୃତକ ଜିତୁ ମୁଣ୍ଡାଙ୍କ କକା ପୁଅ ଭାଇ ହେଉଛି ଅଭିଯୁକ୍ତ ଶଙ୍କର ମୁଣ୍ଡା । ବର୍ଷେ ପୂର୍ବରୁ ଭାଉଜ(ଶଙ୍କରର ସ୍ତ୍ରୀ) ପ୍ରେମରେ ପଡ଼ିଥିଲେ ମୃତକ ଜିତୁ । ପରସ୍ପର ପରସ୍ପର ପ୍ରେମରେ କୁଆଡ଼େ ଉବୁଟୁବୁ ହେଉଥିଲେ । ଆଉ ଶଙ୍କର ଏହା ଜାଣିବା ପରେ ଜିତୁଙ୍କୁ ତାଗିତ କରିଥିଲା । ହେଲେ ବଡ଼ ଭାଇ ଶଙ୍କରର ତାଗିତକୁ ଖାତିର କରିନଥିଲେ ଜିତୁ । ଏପରିକି ୧୫ ଦିନ ତଳେ ଭାଉଜଙ୍କୁ ନିଜ ଘରକୁ ଉଠାଇ ଆଣିଥିଲେ ଜିତୁ ।
ପ୍ରତିଶୋଧ ନେବାକୁ ଯୋଜନା କରିଥିଲା ଶଙ୍କର
ଜିତୁର ଏପରି କାମରେ କ୍ରୋଧିତ ହୋଇପଡ଼ିଥିଲା ଅଭିଯୁକ୍ତ ଶଙ୍କର । ସବୁ ଦିନ ପାଇଁ ଜିତୁକୁ ରାସ୍ତାରୁ ହଟାଇ ଦେବା ପାଇଁ ଯୋଜନା କରିଥିଲା । ଆଉ ଏଥିପାଇଁ ମୌକା ଖୋଜୁଥିଲା ।
କେମିତି ଘଟିଛି ହତ୍ୟାକାଣ୍ଡ ?
ମୃତକ ଜିତୁ ଏକ ଟ୍ରାକ୍ଟରରେ ଲେବର ଭାବେ କାମ କରୁଥିଲେ । ଉକ୍ତ ଟ୍ରାକ୍ଟରଟି ଅଭିଯୁକ୍ତ ଶଙ୍କରର ଭଣଜାର । ଶଙ୍କରର ଘର ସାମ୍ନାରେ ଟ୍ରାକ୍ଟରଟି ରୁହେ । ଗତକାଲି(ଶୁକ୍ରବାର) ମଧ୍ୟ ଟ୍ରାକ୍ଟରରେ କାମ ସାରି ଘରକୁ ଫେରୁଥିଲେ ଜିତୁ । ତେବେ ଶଙ୍କରର ଘର ସାମ୍ନାରେ ଓହ୍ଲାଇବା ବେଳେ ଛପି ରହିଥିଲା ଅଭିଯୁକ୍ତ । ଜିତୁ ଉପରକୁ ତୀର ଚାଳନା କରିଥିଲା । ଅଭିଯୁକ୍ତ ଶଙ୍କରର ତୀରରେ ଜିତୁଙ୍କ ମୃତ୍ୟୁ ହୋଇଥିଲା । ପରେ କାଳିଆହତା ଫାଣ୍ଡିରେ ଆତ୍ମସମର୍ପଣ କରିଛି ଶଙ୍କର ।