ଆଶ୍ଚର୍ଯ୍ୟ ହେଲେ ବି ସତ, ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଆପେ ଆପେ ବାହାରୁଛି ଭୂତଳ ପାଣି

୨୦୧୭ ମସିହାରେ ସେଠାରେ ଏକ ନଳକୂପ ବସାଇବା ପାଇଁ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏନେଇ ସାହିର ଏକ ସ୍ଥାନରେ ବୋରିଂ ଖୋଳା ଯାଇଥିଲା । ହେଲେ ଅଚାନକ ବୋରିଂ ଖୋଳିବା ସ୍ଥାନରେ ବହୁଳ ମାତ୍ରାରେ ପାଣି ବାହାରିଥିଲା । ଏତେ ପରିମାଣରେ ପାଣି ବାହାରିଲା ଯେ ସେଠାରେ ନଳ କୂପ ବସାଇବା ସମ୍ଭବ ହେଲା ନାହିଁ । 

ଆଶ୍ଚର୍ଯ୍ୟ ହେଲେ ବି ସତ, ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଆପେ ଆପେ ବାହାରୁଛି ଭୂତଳ ପାଣି
ଫାଇଲ ଫଟୋ

ସମୀର କୁମାର ପ୍ରଧାନ, କେନ୍ଦୁଝର: ଆଶ୍ଚର୍ଯ୍ୟ ହେଲେ ବି ସତ । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ଭୂତଳ ପାଣି ଆପେ ଆପେ ବାହାରୁଛି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ମାନପୁର ଗ୍ରାମରେ । କେଉଁଠି ପାଣି ଟୋପାଏ ପାଇ ଲୋକେ ଡହଳ ବିକଳ ହେଉଥିବା ବେଳେ ଏଠାରେ ପାଣି ଦିନ ରାତି ବୋହି ଚାଲିଛି । ଲୋକଙ୍କ ଆବଶ୍ୟକତା ପରେ ବୋହି ଯାଉଥିବା ପାଣିକୁ ସଠିକ ବିନିଯୋଗ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ମାନପୁର ଗ୍ରାମର ମୁଣ୍ଡାସାହି ଠାରେ ପାନୀୟ ଜଳର ଘୋର ସମସ୍ୟା ରହିଥିଲା । ୨୦୧୭ ମସିହାରେ ସେଠାରେ ଏକ ନଳକୂପ ବସାଇବା ପାଇଁ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏନେଇ ସାହିର ଏକ ସ୍ଥାନରେ ବୋରିଂ ଖୋଳା ଯାଇଥିଲା । ହେଲେ ଅଚାନକ ବୋରିଂ ଖୋଳିବା ସ୍ଥାନରେ ବହୁଳ ମାତ୍ରାରେ ପାଣି ବାହାରିଥିଲା । ଏତେ ପରିମାଣରେ ପାଣି ବାହାରିଲା ଯେ ସେଠାରେ ନଳ କୂପ ବସାଇବା ସମ୍ଭବ ହେଲା ନାହିଁ । 

ସେହି ଦିନ ଠାରୁ ସେହି ସ୍ଥାନରେ ଆଜକୁ ୩ ବର୍ଷରୁ ଅଧିକ ସମୟ ହେବେ ଦିନ ରାତି ସବୁବେଳେ ଆପେ ଆପେ ପାଣି ବାହାରୁଛି । ମାନପୁର ଗ୍ରାମରେ ଏଭଳି ଘଟଣା ଘଟିବା ଦ୍ୱାରା ଗ୍ରାମବାସୀ ମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇପଡିଥିଲେ । ତେବେ ଭଗବାନ ତାଙ୍କ ଗ୍ରାମକୁ କୃପା ଦେଖାଇଛନ୍ତି ବୋଲି ଗ୍ରାମବାସୀ ଭାବି ନେଇଛନ୍ତି । ଏହି ପାଣି ଉପରେ ଆଖାପାଖ ଅଂଚଳର ୧୦୦ରୁ ଉର୍ଦ୍ଧ୍ୱ ପରିବାର ନିର୍ଭର କରିଆସୁଛନ୍ତି । ସ୍ଥାନୀୟ ଲୋକେ ପିଇବା ପାଣି ଠାରୁ ଆରମ୍ଭ କରି ଗାଧୋଇବା ସହ ବିଭିନ୍ନ ବିବାହ ଭୋଜି ରେ ଏହି ପାଣିକୁ ବ୍ୟବାହାର କରୁଥିବା ବେଳେ ପାଖ ବିଲରେ ଏହି ପାଣି ଦ୍ୱାରା ଲୋକେ ଚାଷ ମଧ୍ୟ କରୁଛନ୍ତି । 

ପାଣି ଲୋକମାନେ ବ୍ୟବହାର କରିବା ସତ୍ତ୍ୱେ ଅନେକ ପାଣି ମଧ୍ୟ ନଷ୍ଟ ହୋଇଯାଉଛି । ଏନେଇ ପ୍ରସାଶନ ପକ୍ଷରୁ କିଛି ସୁବ୍ୟବସ୍ଥା କରାଗଲେ ଜଳ ନଷ୍ଟ ନ ହୋଇ ଲୋକେ ଉପକୃତ ହୋଇପାରନ୍ତେ ବୋଲି ଅଂଚଳବାସୀ କହିଛନ୍ତି । ତେବେ ଏହା କିପରି ହେଉଛି ଏ ସମ୍ପର୍କରେ ବିଭାଗୀୟ କନିଷ୍ଟ ଯନ୍ତ୍ରୀଙ୍କ ପଚାରିବାରୁ କିପରି ଏହା ହେଉଛି ସେ ବିଷୟରେ ଜଣାପଡିନଥିବା ବେଳେ ୫ରୁ ୬ ବର୍ଷରେ ଏହା ପାଣି ବାହାରୁଥିବା ସ୍ଥାନରେ ପାଣିର ମାତ୍ରା କମିଯିବାର ଅନୁମାନ କରାଯାଉଛି । ଏହା ପରେ ସେଠାରେ ନଳକୂପ ବସାଇ ହେବ ବୋଲି କହିଛନ୍ତି ।