)
ମୁମ୍ବାଇ: ବଲିଉଡ଼ର ବିଗ ବି ଅମିତାଭ ବଚ୍ଚନ ଏବେ ନାନାବତୀ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି। କୋରୋନାରେ ଆକ୍ରାନ୍ତ ହେବା ପରେ ସେ ସେଠାରେ ଚିକିତ୍ସାଧିନ ରହିଛନ୍ତି। ତେବେ ଏହି ସମୟରେ ଅମିତାଭ ବଚ୍ଚନ ମଧ୍ୟ ସୋସିଆଲ ମିଡିଆରେ ଆକ୍ଟିଭ ରହିଛନ୍ତି | ଅମିତାଭ ଟ୍ୱିଟରର ଇନଷ୍ଟାଗ୍ରାମରେ ଗୋଟିଏ ପରେ ଗୋଟିଏ ପୋଷ୍ଟ ସେୟାର କରୁଛନ୍ତି। ଅମିତାଭଙ୍କ ପ୍ରଶଂସକମାନେ ତାଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛନ୍ତି। ଏଥି ସହିତ ଅମିତାଭ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ଜଣେ ଝିଅ ଗିଟାର ସହିତ 'Shape of you' ଗୀତ ଗାଉଛନ୍ତି।
ତେବେ ଅମିତାଭଙ୍କୁ ଉକ୍ତ ଗାୟିକାଙ୍କ ସମ୍ପର୍କରେ କିଛି ଜଣା ନଥିବା ବେଳେ ତାଙ୍କ ଗୀତଟି ବହୁତ ଭଲ ଲାଗିଛି ବୋଲି ଉଲ୍ଲେଖ କରିଛନ୍ତି। ବିଗ ବି ଆହୁରି ମଧ୍ୟ ଲେଖିଛନ୍ତି କି, ମୋତେ ମୋର ସଂଗୀତକାର ବନ୍ଧୁମାନେ ଏହାକୁ ମୋତେ ପଠାଇଛନ୍ତି। ମୋତେ ଏହି ଝିଅଟି ସମ୍ପର୍କରେ କୌଣସି ତଥ୍ୟ ମୋ ପାଖରେ ନାହିଁ। ମାତ୍ର ମୁଁ ଏତିକି କହି ପାରିବି ଯେ, ଝିଅ ତୁମେ ବହୁତ ପ୍ରତିଭାବାନ। ଭଗବାନ ତୁମକୁ ଭଲରେ ରଖନ୍ତୁ, ଆଶିର୍ବାଦ ଢାଳନ୍ତୁ ବୋଲି ଅମିତାଭ ଲେଖିଛନ୍ତି।
ଅମିତାଭ ଆହୁରି ମଧ୍ୟ ଲେଖିଛନ୍ତି କି, ଝିଅ, ତୁମେ ଆଜି ଡାକ୍ତରଖାନାରେ ମୋର ଦିନକୁ ବେଶ ସ୍ୱତନ୍ତ୍ର କରିଦେଲ। କର୍ଣ୍ଣାଟକ ଓ ଓ୍ୱେଷ୍ଟର୍ଣ୍ଣ ପପ ସଂଗୀତକୁ ମିକ୍ସିଂ କରିବା ଏତେ ସହଜ କଥା ନୁହେଁ। ମାତ୍ର ତୁମେ ଏହାକୁ ଅତି ସହଜରେ ଓ ସରଳ ତଥା ଦମଦାର ଭାବେ ଉପସ୍ଥାପିତ କରିପାରିଛ। ବହୁତ ଆମେଜିଂ... ବୋଲି ସେ ଉଲ୍ଲେଖ କରିଛନ୍ତି। ଏହାପୂର୍ବରୁ ଅମିତାଭ ବଚ୍ଚନ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଅମିତାଭ ବଚ୍ଚନ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, 'ତୁମେ ପ୍ରେମ ଏବଂ ସମର୍ଥନରେ ଉଠାଇଥିବା ହାତ ମୋର ଶକ୍ତି। ମୁଁ ଏହାକୁ ମୋ ଭିତରୁ କେବେବି ଅଦୃଶ୍ୟ ହେବାକୁ ଦେବି ନାହିଁ | ତେଣୁ ମୋତେ ଭଗବାନ ସାହାଯ୍ୟ କରନ୍ତୁ ବୋଲି ଅମିତାଭ ଲେଖିଛନ୍ତି ।