ବିଶ୍ଵ ତାପନ ଓ ଜଳବାୟୁ ପରିବର୍ତ୍ତନ....

ଏକବିଂଶ ଶତାବ୍ଦୀର ମଣିଷର ପ୍ରଖର ଜ୍ଞାନ ହୋଇଛି । ବିଜ୍ଞାନ ବଳରେ ଜଗତକୁ ଜିଣିବାର ପ୍ରୟାସ ଜାରି ରଖିଛି । କିନ୍ତୁ ଏସବୁ ସତ୍ତ୍ୱେ ସେ ଜାଣି ନ ଜାଣିଲା ପରି ପ୍ରକୃତି ଉପରେ ଅତ୍ୟାଚାର କରିଚାଲିଛି । କାରଣ ଖୋଜି ବସିଲେ ପ୍ରକୃତି ବିଶ୍ଵ ମାନବ ସମାଜକୁ ଦେଇଛି ଜଳ, ବାୟୁ, ମୃତ୍ତିକା, ଓ ଜଙ୍ଗଲ ।

ବିଶ୍ଵ ତାପନ ଓ ଜଳବାୟୁ ପରିବର୍ତ୍ତନ....
ଡିଜାଇନ୍ ଫଟୋ

ତପନ କୁମାର କର, ନୂଆଦିଲ୍ଲୀ: ବିଶ୍ଵ ତାପନ ଓ ଜଳବାୟୁ ପରିବର୍ତ୍ତନ ଫଳରେ ଋତୁ ଚକ୍ରରେ ପରିବର୍ତ୍ତନ ଦେଖାଦେଉଛି । ଛଅ ଋତୁ ଆଜି ସାତ ସପନ ହୋଇଗଲାଣି । ପୌଷ  ଓ ମାଘର ହାଡ ଭଙ୍ଗା ଶୀତ ମଧ୍ୟ ଆଜିକାଲି ନାହିଁ । ଶୀତର ପ୍ରଭାବ ମଧ୍ୟ ଢେର କମି ଗଲାଣି । ଗରମ ପୋଷାକ ଆଗ ଭଳି ପିନ୍ଧିବା ଦରକାର ପଡୁନି । ବରଂ ଘରେ ଫ୍ୟାନର ବେଶି ଆବଶ୍ୟକତା ପଡୁଛି । ଫାଲଗୁନ-ଚୈତ୍ର ମାସରେ ନା ଥାଏ ଖରା ନା ଶୀତ । ମଳୟ ପବନସହ ଭାସିଆସେ କୋଇଲିର କୁହୁ ତାନ । ମୃଦୁ ମଳୟ ପବନ ମଣିଷର ମନରେ ଶିହରଣ ଆଣିଦିଏ । କିନ୍ତୁ ଏବେ ଆଉ ଆଗଭଳି ଶୁଭୁନାହିଁ  କୋଇଲିର ସ୍ଵର କି ବହୁନାହିଁ ସୁଲୁସୁଲିଆ ମୃଦୁ ପବନ । ହେମନ୍ତ ଓ ଶରତ ଋତୁର କଥା ନକହିବା ଭଲ । ଗ୍ରୀଷ୍ମ ଋତୁର ଅବଧି ଧିରେ ଧିରେ ବଢି ବଢି ଚାଲିଛି । କେବଳ ବୈଶାଖ – ଜ୍ୟେଷ୍ଠ ନୁହେଁ ବର୍ଷର ଅନେକ ସମୟରେ ମୁଣ୍ଡଫଟା ଖରା ଅନୁଭୁତ ହେଉଛି । ସତେ ଜେପରି ଗ୍ରୀଷ୍ମରେ ଅଗ୍ନୀ ବର୍ଷା ହେଉଛି । ଅସହନୀୟ ହେଉଛି ଜୀବନ ଯାତ୍ରା । ସେହିପରେ ପହିଲି  ଆଷାଢ଼ର ପହିଲି ବର୍ଷାର ମହକ ଆଉ ମିଳୁ ନାହିଁ ।  ଏବେ ମୌସୁମୀର ରହୁନି କୌଣଷି ଠିକଣା । ଧାରା ଶ୍ରବଣ ହରାଇ ବସିଛି ନିଜର ପ୍ରାସଙ୍ଗିକତା ।

ଏକବିଂଶ ଶତାବ୍ଦୀର ମଣିଷର ପ୍ରଖର ଜ୍ଞାନ ହୋଇଛି । ବିଜ୍ଞାନ ବଳରେ ଜଗତକୁ ଜିଣିବାର ପ୍ରୟାସ ଜାରି ରଖିଛି । କିନ୍ତୁ ଏସବୁ ସତ୍ତ୍ୱେ ସେ ଜାଣି ନ ଜାଣିଲା ପରି ପ୍ରକୃତି ଉପରେ ଅତ୍ୟାଚାର କରିଚାଲିଛି । କାରଣ ଖୋଜି ବସିଲେ ପ୍ରକୃତି ବିଶ୍ଵ ମାନବ ସମାଜକୁ ଦେଇଛି ଜଳ, ବାୟୁ, ମୃତ୍ତିକା, ଓ ଜଙ୍ଗଲ ।  ମାତ୍ର ଦ୍ରୁତ ଜନସଂଖ୍ୟା, ଶିଳ୍ପ ଅଭିବୃଦ୍ଧି, ସଡକ ନିର୍ମାଣ, ଲୋକଙ୍କ ଚାହିଦା ମେଣ୍ଟାଇବା ପାଇଁ ବସତି ନିର୍ମାଣ ପ୍ରଭୃତି ବଢୁଥିବା ଫଳରେ ବ୍ୟାପକ ଜଙ୍ଗଲ କଟା ଚାଲିଛି । ଫଳରେ ବାୟୁ ମଣ୍ଡଳରୁ ଅମ୍ଳଜାନ କମି ଅଙ୍ଗାରକାମ୍ଳ ଗ୍ୟାସ ବୃଦ୍ଧି ପାଉଥିବାରୁ ବିଶ୍ଵର ତାପମାତ୍ରା ବଢିବାରେ ଲାଗିଛି । ଖାଲି ସେତିକି ନୁହେଁ କଳକାରଖାନାରୁ ବାହାରୁ ଥିବା ଗ୍ୟାସ ଏବଂ ରାସାୟନିକ ପ୍ରକ୍ରିୟା ଓ ପ୍ରତିକ୍ରିୟାରୁ ବାୟୁ, ଜଳ, ମୃତ୍ତିକାବି ପ୍ରଦୂଷିତ ହେଉଛି । ଯଦି ପୃଥିବୀର ତାପମାତ୍ରା ଆଉ ୩ ଡିଗ୍ରୀ ବଢେ ତାହେଲେ ମେରୁ ନିକଟରେ ଜମା ହୋଇ ରହି ଜଳବାୟୁକୁ ନିୟନ୍ତ୍ରଣ କରୁଥିବା ବରଫ ପାହାଡ ସବୁ ତରଳିବା ଆରମ୍ଭ କରିବ । ଏପରି ଭାବେ ଯଦି ବରଫ ତରଳେ ତେବେ ସମୁଦ୍ର ଜଳ ପତ୍ତନ ଆହୁରି ୧୫ ଫୁଟ୍ ପର୍ଯ୍ୟନ୍ତ ବଢିଯିବ । ୧୫ ଫୁଟ ତ ଦୂରରେ ଥାଉ, ଜଳପତ୍ତନ ୩ ରୁ ୫ ଫୁଟ୍ ବଢିଲେ ପୂରା ବିଶ୍ଵ ପ୍ରଳୟର ସାମ୍ନା କରିବ । ଆଉ ଏକଥା ଆମେ କେବେ ବୁଝିବା ତାହା ଜଣା ପଡୁନାହିଁ ?

ପୃଥିବୀର ପରିବେଶ ଏଭଳି ସଙ୍କଟ ପରିସ୍ଥିତିରେ ଗତି କରୁଥିବା ସମୟରେ ଏହି କଥାକୁ ଆଖି ଆଗରେ ରଖି ଲୋକଙ୍କୁ ସଚେତନ କରିବା ପାଇଁ ମିଳିତ ଜାତିସଂଘ ୧୯୭୨ ମସିହାରେ ପ୍ରତିବର୍ଷ ଜୁନ୍ ୫କୁ ବିଶ୍ଵ ପରିବେଶ ଦିବସ ଭାବରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଯାହାଫଳରେ ପରିବେଶର ସୁରକ୍ଷା ହେବା ସହ ଆଗାମୀ ପିଢି ପାଇଁ ପରିବେଶ ସଂରକ୍ଷିତ ହୋଇପାରିବ । ଏହା ମଧ୍ୟରେ ବିଶ୍ଵ ପରିବେଶ ଦିବସ ପାଳନକୁ ୪୪ ବର୍ଷ ହେଲାଣି । ସାରା  ପୃଥିବୀରେ ପ୍ରତି ୨୪ ଘଣ୍ଟାରେ ହଜାର ହଜାର ହେକ୍ଟର ଜଙ୍ଗଲ ଧ୍ଵଂସ ପାଉଛି ଆଉ ଏହାକୁ ରୋକିବା ପାଇଁ ଆଇନ ତିଆରି ହେଉଛି । ମାତ୍ର କିଛି ଫାଇବା ମିଳିପାରୁନି । ବିଭିନ୍ନ ବ୍ୟବସ୍ଥା ସତ୍ତ୍ୱେ ପରିବେଶ ପ୍ରଦୂଷଣକୁ ରୋକିବାରେ ଆମର ଚେଷ୍ଟା ଆଦୌ ସନ୍ତୋଷଜନକ ନୁହେଁ । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଅନୁସାରେ ନୂଆଦିଲ୍ଲୀର ବାୟୁମଣ୍ଡଳ ପୃଥିବୀରେ ସବୁଠାରୁ ଦୂଷିତ । ସେହି ରିପୋର୍ଟରୁ ଆହୁରି ଜଣାପଡିଛି ଯେ ଭାରତର ଛୋଟଛୋଟ ସହର ଗୁଡିକରେ ବି ବାୟୁ ପ୍ରଦୂଷଣ ବିପଜ୍ଜନକ ସ୍ଥିତିରେ ପହଞ୍ଚିଲାଣି । ତେଣୁ ବୃକ୍ଷ ରୋପଣ କରନ୍ତୁ ଏବଂ ନିଜ ପାଇଁ ଓ ଆଗାମି ପିଢିପାଇଁ ଏ ପୃଥିବୀକୁ ବଞ୍ଚାଇ ରଖିବାରେ ବୃକ୍ଷ ମାନଙ୍କୁ ତାଙ୍କ କାମ କରିବାକୁ ଦିଆନ୍ତୁ ।