)
ନୂଆଦିଲ୍ଲୀ: ଥଣ୍ଡା ପାଗରେ ହୃଦଘାତର ଆଶଙ୍କା ଗ୍ରୀଷ୍ମର ଦୁଇଗୁଣ ବୃଦ୍ଧି ପାଇଥାଏ। ଏକ ଅନୁସନ୍ଧାନ ଅନୁଯାୟୀ, ଫ୍ଲୁ ହେବାର ଏକ ସପ୍ତାହ ମଧ୍ୟରେ ହୃଦଘାତର ଆଶଙ୍କା ଛଅଗୁଣ ବଢିପାରେ। ତେଣୁ ହୃଦ ରୋଗୀମାନେ ଏହି ଋତୁରେ ନିଜକୁ ବିଶେଷ ଯତ୍ନ ନେବା ଉଚିତ୍।
ବିଶେଷଜ୍ଞଙ୍କ ଅନୁଯାୟୀ, ଆପଣଙ୍କର ଅନିୟନ୍ତ୍ରୀତ ଜୀବନଶୈଳୀ ବା ଅଭ୍ୟାସ ହୃଦ୍ରୋଗକୁ ବୃଦ୍ଧି କରିଥାଏ। ଶୀତଦିନେ ହୃଦଘାତ ହେବାର ସମ୍ଭାବନା ଅଧିକ। ଏକ ଅଧ୍ୟୟନରେ ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ଶୀତ ଋତୁରେ ଫ୍ଲୁ ହେଲେ ଆମ ହୃଦୟ ଚାପଗ୍ରସ୍ତ ହୁଏ, ଯାହା ହୃଦଘାତର କାରଣ ହୋଇଥାଏ।
ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନରେ ପ୍ରକାଶିତ ଏକ ଅଧ୍ୟୟନରେ ଶ୍ୱାସକ୍ରିୟା ସଂକ୍ରମଣ, ବିଶେଷକରି ସ୍ୱାଇନ୍ ଫ୍ଲୁ ଏବଂ ହୃଦଘାତ ମଧ୍ୟରେ ଏକ ମହତ୍ୱପୂର୍ଣ୍ଣ ସଂଯୋଗ ଦେଖିବାକୁ ମିଳିଥିଲା। ଏକ୍ସପ୍ରେସ.କୋ.କ ରିପୋର୍ଟ ଅନୁଯାୟୀ, ସ୍ୱାଇନ୍ ଫ୍ଲୁ ହେବାର ଏକ ସପ୍ତାହ ମଧ୍ୟରେ ହୃଦଘାତ ହେବାର ଆଶଙ୍କା ଛଅଗୁଣ ବଢିପାରେ। ଇନ୍ଫ୍ଲୁଏଞ୍ଜା ହୃଦୟ ଏବଂ ଭାସ୍କୁଲାର ସିଷ୍ଟମ ଉପରେ ଚାପ ପକାଇଥାଏ।
ଅନ୍ୟ ସମୟ ତୁଳାନାରେ ଶୀତଦିନେ ହୃଦଘାତର ଘଟଣା ଅଧିକ ଦେଖାଯାଏ। ଏହି ଅବସ୍ଥା ସାଧାରଣତଃ ଦେଖାଯାଏ ଯେଉଁମାନଙ୍କର ଧମନୀଗୁଡ଼ିକ ପୂର୍ବରୁ ସଙ୍କୁଚିତ। ତାପମାତ୍ରା ସର୍ବନିମ୍ନ ଥିବାବେଳେ ସକାଳେ ହୃଦଘାତ ହେବାର ସମ୍ଭାବନା ଥାଏ।
ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଶରୀରରେ କୌଣସି ସଂକ୍ରମଣ ହେଲେ ରକ୍ତ ସଂଚାଳନ କରିବା ପାଇଁ ହୃଦୟର ଆବଶ୍ୟକତା ଅଧିକ ବଢିଯାଏ, ତେଣୁ ହୃଦୟରେ ଅଧିକ ଚାପ ରହିଥାଏ। ଏହା ବ୍ୟତୀତ ଭୟଙ୍କର ସ୍ୱାଇନ୍ ଫ୍ଲୁ ହେତୁ ଶରୀରରେ କମ୍ ଅମ୍ଳଜାନ ସ୍ତର ଅନିୟମିତ ହୃଦସ୍ପନ୍ଦନ ସୃଷ୍ଟି କରିପାରେ। ରକ୍ତଚାପ ହ୍ରାସ ହେଲେ ମାୟୋକାର୍ଡିଆଲ୍ ଇସକେମିଆ ହୋଇପାରେ। ଶାରୀରିକ ପରିଶ୍ରମ ଅଭାବ, ମାନସିକ ଚାପ, ଖରାପ ଖାଇବା ଅଭ୍ୟାସ ଏବଂ ଭାଇରାଲ୍ ସଂକ୍ରମଣ ହେତୁ ହୃଦଘାତର ଆଶଙ୍କା ମଧ୍ୟ ବଢିଥାଏ।