ନୂଆଦିଲ୍ଲୀ: ମୋବାଇଲ ଗେମ୍ ପ୍ରେମୀଙ୍କ ପାଇଁ ଆସିଲା ଖୁସି ଖବର। ଖୁବଶୀଘ୍ର ଭାରତୀୟ ବଜାରରେ ନୂଆ ରୂପରେ ଲଞ୍ଚ ହେବ PUBG। ନୂଆ ଅବଡେଟ୍ ସହ ମିଳିବ ନୂଆ ଫିଚର। PUBG Corporation ଅଫିସିଆଲି ରିଲିଜ କଲା ଗେମର ଆକର୍ଷଣୀୟ ଟିଜର। ତେବେ କେବେ ଲଞ୍ଚ ହେବ ସେ ନେଇ କମ୍ପାନୀ ତାରିଖ ଘୋଷଣା କରିନାହିଁ।
ଶୁକ୍ରବାର ଦିନ PUBG ମୋବାଇଲ ଗେମ ଲଭର୍ସଙ୍କ ପାଇଁ ଏକ ଖୁସି ଖବର ଦେଇଛି। ୟୁଟ୍ୟୁବରେ ଏକ ଭିଡିଓ ସେୟାର କରି PUBG ଭାରତୀୟ ବଜାରକୁ ଫେରୁଥିବାର ହିଣ୍ଟ ଦେଇଛି। କିନ୍ତୁ ଲଞ୍ଚର ତାରିଖକୁ ସସ୍ପେନ୍ସ ରଖିଛି। PUBGର ଟିଜର ଭିଡିଓରେ ଯୁବକମାନେ ନିରୋଳାରେ ବସି ଏହି ଆଡଭେଞ୍ଚର ଗେମକୁ ମିସ୍ କରୁଥିବା ଦେଖାଯାଇଛି। ତେବେ ଶେଷରେ ଖୁବଶୀଘ୍ର ଗେମ୍ ଭାରତୀୟ ବଜାରକୁ ଆସିବ ବୋଲି କୁହାଯାଇଛି।
PUBG ଏକ ବିବୃତ୍ତିରେ କହିଛି ଯେ, ଭାରତୀୟ ବଜାରକୁ ଦୃଷ୍ଟିରେ ରଖି କମ୍ପାନୀ ଏକ ସ୍ୱତନ୍ତ୍ର ଗେମ୍ ଲଞ୍ଚ କରିବକୁ ଯାଉଛି। ଏଥିରେ ୟୁଜର୍ସଙ୍କ ବ୍ୟକ୍ତିଗତ ଡାଟା ସମ୍ପୂର୍ଣ ସୁରକ୍ଷିତ ରହିବା ସହ ଆଞ୍ଚଳିକ କମ୍ପାନୀ ଓ ସଂସ୍ଥା ଗୁଡିକର ସ୍ୱାର୍ଥ୍ୟକୁ ବି ଦୃଷ୍ଟି ଦିଆଯିବ। ଗେମର ଡେଭେଲପମେଣ୍ଟ ପାଇଁ ଶତାଧିକ ବିଜନେସ ଏବଂ ଇଗେମ୍ ସ୍ପେଶିଆଲିଷ୍ଟଙ୍କୁ ନିୟୁକ୍ତ କରାଯିବ। ସେହିପରି ସ୍ଥାନୀୟ ଅଞ୍ଚଳରେ ବି କାର୍ଯ୍ୟାଳୟ ଖୋଲିବାକୁ PUBG ଯୋଜନା କରୁଛି।
ଦକ୍ଷିଣ କୋରିଆର ପ୍ୟାରେଣ୍ଟ୍ କମ୍ପାନୀ Krafton, Inc.ଓ PUBG Corp ମିଳିତ ଭାବରେ ଭାରତରେ ୧୦୦ ମିଲିୟନ୍ ଡଲାରର ପୁଞ୍ଜି ବିନିଯୋଗ କରିବାକୁ ଯୋଜନା କରିଛନ୍ତି। ଏହି ଅର୍ଥକୁ ସ୍ଥାନୀୟ ଭିଜିଓ ଗେମ, ଇସ୍ପୋର୍ଟ୍ସ, ମନୋରଞ୍ଜନ ଏବଂ ଆଇଟି ସଂସ୍ଥାରେ ବିନିଯୋଗ ହେବ। ଯେଉଁଥେରେ ହଜାର ହଜାର ସଂଖ୍ୟକ ଲୋକ ଉପକୃତ ହୋଇପାରିବେ ବୋଲି PUBG କହିଛି।
ସୂଚନାଯୋଗ୍ୟ, ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଗତ ସେପ୍ଟେମ୍ବରରେ ଭାରତ ସରକାର PUBG ସମେତ ୧୧୮ଟି ଚୀନ ମୋବାଇଲ ଆପକୁ ନିଷିଦ୍ଧ କରିଥିଲେ। ଫଳରେ କମ୍ପାନୀର କୋଟି କୋଟି ଟଙ୍କାର ରାଜସ୍ୱ ହାନୀ ହୋଇଥିଲା। ପରେ PUBG ଚାଇନା ଭିତ୍ତିକ ଟେନସେଣ୍ଟ ଗେମ୍ସକୁ ଏହାର ଫ୍ରାଞ୍ଚାଇଜ୍ ନ ଦେବାକୁ ନିଷ୍ପତ୍ତି ନେଇଛି।