)
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଭାର ସିବିଆଇ ହାତକୁ ଯାଇପାରେ। କାରଣ ମୁମ୍ବାଇ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ଏଡ଼ିଆର ଅର୍ଥାତ ଆକ୍ସିଡେଣ୍ଟାଲ ଡେଥ ରିପୋର୍ଟ(ADR)କୁ ଆଧାର କରି ତଦନ୍ତ ଜାରି ରଖିଥିଲା। ମାତ୍ର ବିହାରରେ ପ୍ରଥମ କରି ଏଫଆଇର ରୁଜୁ କରାଯାଇଛି। ଏହାକୁ ଆଧାର କରି ପୋଲିସ ତଦନ୍ତ ମଧ୍ୟ ଆରମ୍ଭ କରିଛି। ତଦନ୍ତ ପାଇଁ ବିହାର ପୋଲିସ ମୁମ୍ବାଇ ମଧ୍ୟ ଗସ୍ତ କରି ଛାନଭିନ କରିଥିବା ସୂଚନା ରହିଛି।
ମୁମ୍ବାଇରେ ପହଞ୍ଚି ନିଜର ତଦନ୍ତ ପରିସରକୁ ବୃଦ୍ଧି କରିଛି ବିହାର ପୋଲିସ। ସୁଶାନ୍ତଙ୍କ ବନ୍ଧୁ, ସାଙ୍ଗସାଥିଙ୍କୁ ଜେରା କରିଥିବା ସୂଚନା ରହିଛି। ରିଆ ଚକ୍ରବର୍ତ୍ତିଙ୍କୁ ମଧ୍ୟ ଜେରା କରିବା ପାଇଁ ତାଙ୍କ ଘରକୁ ଯାଇଥିଲା ବିହାର ପୋଲିସ। ତେବେ ତାଙ୍କୁ ନ ପାଇବାରୁ ସେଠାରୁ ନିରାଶ ହୋଇ ଫେରିଛି ବିହାର ପୋଲିସ। ତେବେ ସୁଶାନ୍ତଙ୍କ ଆକାଉଣ୍ଟ ଥିବା ବ୍ୟାଙ୍କକୁ ମଧ୍ୟ ପୋଲିସ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଛାନଭିନ କରିବ ବୋଲି ଜଣାପଡ଼ିଛି। ଏହା ସହିତ ବିହାର ପୋଲିସ ମୁମ୍ବାଇରେ ରହିଥିବା ସୁଶାନ୍ତଙ୍କ ଭଉଣୀଙ୍କୁ ମଧ୍ୟ ଜେରା କରିପାରେ ବୋଲି ସୂଚନା ରହିଛି।
ଆହୁରି ମଧ୍ୟ ଜଣାପଡ଼ିଛି ବିହାର ପୋଲିସ ମୁମ୍ବାଇ ଡିସିପି(କ୍ରାଇମ)ଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ବିହାର ପୋଲିସ ବାନ୍ଦ୍ରା ଡିସିପିଙ୍କୁ ମଧ୍ୟ ସାକ୍ଷାତ କରିଛି। ତେବେ ବାନ୍ଦ୍ରା ଡିସିପିଙ୍କ ଉପଦେଶ କ୍ରମେ ବିହାର ପୋଲିସ ଡିସିପି(କ୍ରାଇମ)ଙ୍କୁ ଭେଟିବ। ବିହାରରେ ହୋଇଥିବା ମାମଲା ଆଧାରରେ ମୁମ୍ବାଇ ପୋଲିସ ଠାରୁ ତଥ୍ୟ ଓ ଦସ୍ତାବିଜ ଲୋଡ଼ୁଥିବା ନେଇ ବିହାର ପୋଲିସ ସୂଚନା ଦେଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିହାର ପୋଲିସ କୌଣସି ଦସ୍ତାବିଜ ହାତେଇନଥିବା ମଧ୍ୟ ସୂଚନା ରହିଛି। ଯଦିଓ ମୁମ୍ବାଇ ପୋଲିସ ଏହି ମାମଲାର ତଦନ୍ତ ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି।