ବନ ବିଭାଗ ପକ୍ଷରୁ ପୀଡ଼ିତାଙ୍କୁ ସମସ୍ତ ପ୍ରକାର ସହାୟତା କରାଯିବ ବୋଲି ପ୍ରତିଶୃତି ଦିଆଯାଇଛି ।
Trending Photos
ପ୍ରିୟବ୍ରତ ମିଶ୍ର, ମୟୂରଭଞ୍ଜ: ହାତୀ ଆକ୍ରମଣର ମହିଳା ଗୁରୁତର । ଘଟଣାଟି ଘଟିଛି ମୟୂରଭଞ୍ଜ ବିଶୋଇ ଥାନା ଅନ୍ତର୍ଗତ ମୂଷାମାରୀ ଗାଁ ନିକଟ ପଣ୍ଡୁଗୁଣ୍ଡି ଜଙ୍ଗଲରେ । ଆହତ ମହିଳା ଜଣକ ହେଉଛନ୍ତି ଗାଁର ସନ୍ତୋଷ ମହାନ୍ତିଙ୍କ ସ୍ତ୍ରୀ ଶୁଭାଷିନୀ ମହାନ୍ତି (୪୮) । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଡାହାଣ ଗୋଡ଼କୁ ହାତୀ ଦଳି ଦେଇଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ଶନିବାର ପଣ୍ଡୁଗୁଣ୍ଡି ଜଙ୍ଗଲକୁ ଶୁଭାଷିନୀ ଓ ଅନ୍ୟ ଜଣେ ମହିଳା କାଠ ଆଣିବାକୁ ଯାଇଥିଲେ । ତେବେ ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଶୁଭାଷିନୀଙ୍କୁ ହାତୀଟି ଆକ୍ରମଣ କରିଥିବା ବେଳେ ଅନ୍ୟ ମହିଳା ଜଣଙ୍କ ଗାଁକୁ ଆସି ଖବର ଦେଇଥିଲେ । ପରେ ଗ୍ରାମବାସୀ ଓ ବିଶୋଇ ବନ ବିଭାଗ ଦ୍ୱାରା ମହିଳାଙ୍କୁ ଉଦ୍ଧାର କରାଯାଇଥିଲା ।
ଆହତ ଶୁଭାଷିନୀଙ୍କୁ ପ୍ରଥମେ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଡାହାଣ ଗୋଡ଼ରେ ଗଭୀର ଆହତ ଲାଗିଛି । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ତେବେ ତାଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ବନ ବିଭାଗ ପକ୍ଷରୁ ପୀଡ଼ିତାଙ୍କୁ ସମସ୍ତ ପ୍ରକାର ସହାୟତା କରାଯିବ ବୋଲି ପ୍ରତିଶୃତି ଦିଆଯାଇଛି ।