)
ମୁମ୍ବାଇ: କୋରୋନା ଭାଇରସ ଦେଶରେ କ୍ରମାଗତ ବ୍ୟାପିବାରେ ଲାଗିଛି । ଦେଶରେ କୋରୋନା ଭୂତାଣୁରେ ୫୯ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଏହା ବ୍ୟତତୀ ଏପର୍ଯ୍ୟନ୍ତ ପ୍ରାୟ ୨ ହଜାର କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ସମୟରେ ଦେଶର ସବୁଠାରୁ କୋରୋନା ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ଅବସ୍ଥା ଅତ୍ୟନ୍ତ ଖରାପ ରହିଛି । ଏଠାରେ କୋରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୦ ହଜାରରୁ ଅଧିକ ପହଞ୍ଚିଛି । ଆଜି(ଶନିବାର) ଗୋଟିଏ ଦିନରେ ମହାରାଷ୍ଟ୍ରରେ ୧୧୬୫ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି ।
ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ କୋରୋନା ସଂକ୍ରମିତଙ୍କ ମୋଟ ସଂଖ୍ୟା ୨୦ ହଜାର ୨୨୮ରେ ପହଞ୍ଚିଛି । ଏଥି ସହିତ ଏହି ଭୂତାଣୁ ସଂକ୍ରମଣ ଯୋଗୁଁ ଶନିବାର ରାଜ୍ୟରେ ୪୮ ଜଣଙ୍କ ମୃତ୍ୟୁ ଘଟିଛି । ଯାହା ପରେ ଏଠାରେ ମୃତକଙ୍କ ସଂଖ୍ୟା ୭୭୯ରେ ପହଞ୍ଚିଛି । ଯଦି ଆମେ କେବଳ ମୁମ୍ବାଇ ବିଷୟରେ କଥା ହେବା, ସହରରେ କୋରୋନା ମାମଲା ୧୨ ହଜାର ୮୬୪କୁ ବୃଦ୍ଧି ପାଇଥିବାବେଳେ ଏଠାରେ ୪୮୯ ଜଣଙ୍କ ମୃତ୍ୟୁ ହୋଇଛି ।
ଶନିବାର ମୁମ୍ୱାଇର ଧରାବୀ ବସ୍ତିରେ କୋରୋନା ଭାଇରସ ସଂକ୍ରମଣର ୨୫ଟି ନୂତନ ମାମଲା ସାମ୍ନାକୁ ଆସିଛି । ଏହି ଅଞ୍ଚଳରେ ମୋଟ ୮୩୮ ଜଣ ସଂକ୍ରମିତ ହୋଇଛନ୍ତି । ଏଥି ସହିତ ଆଜି ଧରାବୀରେ ୧ ଜଣଙ୍କର ମଧ୍ୟ ସଂକ୍ରମଣ ଯୋଗୁଁ ମୃତ୍ୟୁ ଘଟିଛି । ଏହା ସହିତ ଏଠାରେ ମୃତକଙ୍କ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି ।
ଅନ୍ୟପକ୍ଷେ ଦେଶରେ କୋରୋନା ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଶନିବାର ୧,୯୮୧କୁ ବୃଦ୍ଧି ପାଇଛି । କୋରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୫୯,୬୬୨ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହି ଭୂତାଣୁ ଯୋଗୁଁ ୯୫ ଜଣଙ୍କ ମୃତ୍ୟୁ ଘଟିଛି । ଏହା ବ୍ୟତୀତ ୩,୩୨୦ ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଦେଶରେ ୩୯,୮୩୪ ଲୋକ ଚିକିତ୍ସିତ ହେଉଥିବାବେଳେ ୧୭,୮୪୬ ଲୋକ ସୁସ୍ଥ ହୋଇଛନ୍ତି । ଜଣେ ରୋଗୀ ବିଦେଶ ଯାଇଛନ୍ତି ।