)
ନୂଆଦିଲ୍ଲୀ: ଦେଶରେ କୋରୋନା ସଂକଟ ଉଗ୍ରରୂପ ନେବାରେ ଲାଗିଛି। ବିଗତ ୨୪ ଘଣ୍ଟାରେ ୧୨ ହଜାରରୁ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି। ସେପଟେ ବିଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୩୩୪ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏହା ସହିତ ଦେଶରେ ମୋଟ ୧୨,୨୩୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ସେପଟେ ଦେଶରେ ମୋଟ ୩,୬୬,୯୪୬ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି।
ସେହିପରି ଗୋଟିଏ ଦିନରେ ୭୩୯୦ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ୧,୯୪,୩୨୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେପଟେ ମୋଟ ୧୬୦୩୮୪ ମାମଲା ସକ୍ରିୟ ରହିଥିବା ସୂଚନା ରହିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି। ବିଭାଗ କହିଛି ଯେ, ବର୍ତ୍ତମାନ ମଧ୍ୟ ୫୨।୭୯ ପ୍ରତିଶତରେ ରୋଗୀ ସୁସ୍ଥ ହେଉଛନ୍ତି। ସେପଟେ ୧,୧୬,୭୫୨ ଆକ୍ରାନ୍ତଙ୍କ ସହିତ ଦେଶରେ କୋରୋନା ସଂକ୍ରମିତ ରାଜ୍ୟ ତାଲିକାରେ ମହାରାଷ୍ଟ୍ର ଶୀର୍ଷରେ ରହିଛି। ରାଜ୍ୟରେ ମୋଟ ୫୧,୯୨୨ ଜଣ ଚିକିତ୍ସାଧିନ ଥିବା ବେଳେ ୫୬୫୧ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୫୯,୧୬୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ରହିଛି।
ସେହିପରି ଦିଲ୍ଲୀରେ ୪୭୧୦୨ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଗୁଜୁରାଟରେ ୨୫୧୪୮ଟି, ରାଜସ୍ଥାନରେ ୧୩୫୪୨ଟି ଓ ତାମିଲନାଡ଼ୁରେ ୫୦୧୯୩ଟି ମାମଲା ରହିଛି।