)
ନୂଆଦିଲ୍ଲୀ: ଦେଶରେ କୋରୋନାର ପ୍ରକୋପ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ଲକ୍ଷ ୭୦ ହଜାରରୁ ଅଧିକ ଲୋକ କୋରୋନା ସଂକ୍ରମିତ ହୋଇଛନ୍ତି । ଏହା ବ୍ୟତୀତ ଏପର୍ଯ୍ୟନ୍ତ ୨୮ ହଜାରରୁ ଅଧିକ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷେ ଏହି ସମୟରେ ଦେଶର ରାଜଧାନୀରେ କୋରୋନାର ସ୍ଥିତି ମଧ୍ୟ ଭୟାବହ ରହିଛି । ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୧.୨୫ ଲକ୍ଷରୁ ଅଧିକ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୧୩୪୯ ନୂଆ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଏହା ସହିତ ଏଠାରେ ବର୍ତ୍ତମାନ ଯାଏ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୨୫,୦୯୬କୁ ବୃଦ୍ଧି ପାଇଛି ।
ଅନ୍ୟପଟେ ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସୁସ୍ଥ ହେବା ହାରରେ ସୁଧାର ଆସିଛି । ବର୍ତ୍ତମାନ ଏଠାରେ ସଂକ୍ରମିତଙ୍କ ସୁସ୍ଥ ହାର ୮୪.୮୩ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଦିଲ୍ଲୀରେ ୨୭ ଜଣ କୋରୋନା ରୋଗୀ ମୃତ୍ୟୁ ବରଣ କରିଛନ୍ତି । ଯାହା ପରେ ଏଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ମୃତ୍ୟୁ ସଂଖ୍ୟା ୩,୬୯୦ ପହଞ୍ଚିଛି ।
ଅନ୍ୟପକ୍ଷେ ଏକ ଭଲ କଥା ହେଉଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୧୨୦୦ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଯାହା ପରେ ଏଠାରେ ବର୍ତ୍ତମାନ ଯାଏ ୧,୦୬,୧୧୮ ସଂକ୍ରମିତ ଲୋକ ଏହି ମହାମାରୀ ଭୂତାଣୁକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ବର୍ତ୍ତମାନ ରାଜଧାନୀରେ ୧୫,୨୮୮ ସକ୍ରିୟ କୋରୋନା ମାମଲା ରହିଛି । ଏଠାରେ ବର୍ତ୍ତମାନ ହୋମ ଆଇସୋଲେଶନରେ ୮,୧୨୬ ରୋଗୀ ଅଛନ୍ତି । ଦିଲ୍ଲୀରେ ଏପର୍ଯ୍ୟନ୍ତ ମୋଟ ୮,୫୧,୩୧୧ କୋରୋନା ଟେଷ୍ଟ କରାଯାଇଛି । ଏହା ବ୍ୟତୀତ ଦିଲ୍ଲୀରେ ବର୍ତ୍ତମାନ ୬୮୯ କଣ୍ଟେମେଣ୍ଟ ଜୋନ୍ ଅଛି । ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହାର ୨.୯୫ ପ୍ରତିଶତ ରହିଛି ।