Lockdown ମଧ୍ୟରେ ଦେଶବ୍ୟାପୀ ଅଦାଲତ ଗୁଡ଼ିକରେ ୧୮ଲକ୍ଷ ମାମଲା ଦାଖଲ
Advertisement

Lockdown ମଧ୍ୟରେ ଦେଶବ୍ୟାପୀ ଅଦାଲତ ଗୁଡ଼ିକରେ ୧୮ଲକ୍ଷ ମାମଲା ଦାଖଲ

ଆଗାମୀ ଦିନରେ ଡିଜିଟାଲ ଅଦାଲତ (Digital Court Room) ନିୟମିତ ଅଦାଲତର ସ୍ଥାନ ନେବ କି ? ଆଇନଜୀବୀ ଓ ମହକିଲଙ୍କ ଏହି ଚିନ୍ତାଧାରା ଉପରେ ବିରାମ ଲଗାଇଛନ୍ତି ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ ।

ଫାଇଲ ଫଟୋ

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଦେଶବ୍ୟାପୀ ଅଦାଲତ ଗୁଡ଼ିକରେ ୧୮ ଲକ୍ଷରୁ ଉର୍ଦ୍ଧ୍ୱ ମାମଲା ଦାଖଲ ହୋଇଛି । ସୁପ୍ରିମ କୋର୍ଟ (Supreme Court)ର ବିଚାରପତି ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ (D. Y. Chandrachud) ଏହି ସୂଚନା ଦେଇଛନ୍ତି । ମାର୍ଚ୍ଚରୁ ଜୁଲାଇ ମଧ୍ୟରେ ଭିତରେ ଏତେସବୁ ମାମଲା ଦାଖଲ ହୋଇଥିବା କହିଛନ୍ତି ସୁପ୍ରିମକୋର୍ଟର ବିଚାରପତି । 

ସେ ସୂଚନା ଦେଇ କହିଛନ୍ତି, କୋରୋନା ଲକଡାଉନ ବେଳେ ୨୪ ମାର୍ଚ୍ଚରୁ ୨୪ ଜୁଲାଇ ମଧ୍ୟରେ ଦେଶବ୍ୟାପୀ ୧୮ଲକ୍ଷ ୩ହଜାର ୩୨୭ ମାମଲା ଦାଖଲ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ମାମଲା ଗୁଡ଼ିକ ମଧ୍ୟରୁ ୭ଲକ୍ଷ ୯୦ ହଜାର ୧୧୨ଟି ମାମଲାର ସମାଧାନ ହୋଇସାରିଛି । ମହାରାଷ୍ଟ୍ରର ଜିଲ୍ଲା ଅଦାଲତ ଗୁଡ଼ିକରେ କେବଳ ୨ଲକ୍ଷ ୨୨ ହଜାର ୪୩୧ ମାମଲା ଦାଖଲ ହୋଇଥିଲା । ସେଥିମଧ୍ୟରୁ ୬୧ ହଜାର ୯୮୬ଟି ମାମଲାର ସମାଧାନ ହୋଇସାରିଛି । ଲକଡାଉନ ମଧ୍ୟରେ ବି ନ୍ୟାୟ ବ୍ୟବସ୍ଥା ପ୍ରଭାବିତ ନହୁଏ, ସେନେଇ ଗୁରୁତ୍ୱାରୋପ କରାଯାଇଛି । ଡିଜିଟାଲ ଅଦାଲତ ମାଧ୍ୟମରେ ଲୋକଙ୍କୁ ନ୍ୟାୟ ମିଳିଛି । ଯାହାକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ଜଷ୍ଟିସ ଚନ୍ଦ୍ରଚୂଡ । 

ତେବେ ଆଗାମୀ ଦିନରେ ଡିଜିଟାଲ ଅଦାଲତ (Digital Court Room) ନିୟମିତ ଅଦାଲତର ସ୍ଥାନ ନେବ କି ? ଆଇନଜୀବୀ ଓ ମହକିଲଙ୍କ ଏହି ଚିନ୍ତାଧାରା ଉପରେ ବିରାମ ଲଗାଇଛନ୍ତି ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ । ସେ କହିଛନ୍ତି, ସଙ୍କଟ ସମୟରେ ନ୍ୟାୟ ବ୍ୟବସ୍ଥା ଯେପରି ପ୍ରଭାବିତ ନହେବ, ସେଥିପାଇଁ ଡିଜିଟାଲ ଅଦାଲତର ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହା କେବେ ମଧ୍ୟ ନିୟମିତ ଅଦାଲତର ସ୍ଥାନ ନେଇପାରିବ ନାହିଁ । ଧୀରେ ଧୀରେ ନିୟମିତ ଅଦାଲତ ଆରମ୍ଭ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । 

କହିରଖୁଛୁ, ଦେଶର ପ୍ରଥମ 'ଇ-ଗଭର୍ଣ୍ଣେନ୍ସ କେନ୍ଦ୍ର'ର ଡିଜିଟାଲ ଉଦଘାଟନ କାର୍ଯ୍ୟକ୍ରମରେ ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ ଏପରି ପ୍ରତିକ୍ରିୟା ରଖିଛନ୍ତି ।