)
Naxal Surrender: ନକ୍ସଲବାଦ ବିରୋଧରେ ବଡ଼ ସଫଳତା ମିଳିଛି । ଆଜି (୧୭ ଅକ୍ଟୋବର, ୨୦୨୫) ରେ ଦଣ୍ଡକାରଣ୍ୟ ଅଞ୍ଚଳରେ ୨୦୦ ରୁ ଅଧିକ ମାଓବାଦୀ କର୍ମୀ ହିଂସାର ପଥରୁ ବାହାରି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇଛନ୍ତି । ସୂଚନା ମୁତାବକ ୨୦୮ଜଣ ମାଓବାଦୀ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ କରି ନିଜ ଅସ୍ତ୍ର ହସ୍ତାନ୍ତର କରିଛନ୍ତି। ଏହି ଐତିହାସିକ ନିଷ୍ପତ୍ତିରେ କେନ୍ଦ୍ରୀୟ କମିଟି, ଡିକେଏସ୍ ଜେଡସି, ଡିଭିଜନାଲ କମିଟିର ସଦସ୍ୟ ଏବଂ ଅନ୍ୟାନ୍ୟ ମାଓ ନେତାମାନେ ଉପସ୍ଥିତ ଥିଲେ।
ଆତ୍ମସମର୍ପଣକାରୀ ମାଓବାଦୀମାନେ ଭାରତୀୟ ସମ୍ବିଧାନ ପ୍ରତି ସେମାନଙ୍କର ବିଶ୍ୱାସ ପ୍ରକାଶ କରିଥିଲେ । ସରକାରଙ୍କ ବ୍ୟାପକ ନକ୍ସଲ ନିପାତ ନୀତିର ଏକ ଉଲ୍ଲେଖନୀୟ ଫଳାଫଳ ମିଳିଛି ।
ଆପଣଙ୍କୁ କହିରଖୁଛୁ ଯେ, ଗତକାଲି ଛତିଶଗଡ଼ରେ ୧୭୦ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଏନେଇ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ । ୨ ଦିନରେ ମୋଟ ୨୫୮ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ୧୫ ଅକ୍ଟୋବରରେ ମହାରାଷ୍ଟ୍ରରେ ୬୧ ନକ୍ସଲ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିଥିଲେ । ଛତିଶଗଡ଼ରେ ମଧ୍ୟ ୨୭ ନକ୍ସଲ ଅସ୍ତ୍ର ତ୍ୟାଗ କରିଥିଲେ । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲ ମୁକ୍ତ ଦେଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶାହ କହିଛନ୍ତି ।
ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଛତିଶଗଡ଼ର ଉତ୍ତର ବସ୍ତରର ଆବୁଝମାଦର ପାର୍ବତ୍ୟ ଜଙ୍ଗଲ ଅଞ୍ଚଳକୁ ନକ୍ସଲମୁକ୍ତ ଘୋଷଣା କରିଛନ୍ତି। ୧୭୦ ଜଣ ନକ୍ସଲ ଆତ୍ମସମର୍ପଣ କରି ମୁଖ୍ୟଧାରାରେ ସାମିଲ ହେବାକୁ ନିଷ୍ପତ୍ତି ନେବା ପରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ଶାହ ସେମାନଙ୍କୁ ସ୍ୱାଗତ କରି କହିଛନ୍ତି ଯେ, ହିଂସା ପରିତ୍ୟାଗ ଏବଂ ଭାରତୀୟ ସମ୍ବିଧାନ ପ୍ରତି ସେମାନଙ୍କର ବିଶ୍ୱାସ ଏକ ସାହସିକ ଏବଂ ପ୍ରଶଂସନୀୟ ପଦକ୍ଷେପ।
ଅମିତ ଶାହ ଏହା ମଧ୍ୟ କହିଛନ୍ତି ଯେ, ଛତିଶଗଡ଼ର ଆବୁଝମାଦ ଏବଂ ଉତ୍ତର ବସ୍ତର, ଯାହା ଏକଦା ନକ୍ସଲ ଆତଙ୍କର ଗଡ଼ ଥିଲା, ଏବେ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ଘୋଷଣା କରାଯାଇଛି। ନକ୍ସଲବାଦୀମାନେ ଏବେ କେବଳ ଦକ୍ଷିଣ ବସ୍ତରର କିଛି ଅଞ୍ଚଳରେ ଅଛନ୍ତି, ଯାହାକୁ ମଧ୍ୟ ଖୁବ୍ ଶୀଘ୍ର ନିପାତ କରାଯିବ। ସେ କହିଛନ୍ତି ଯେ ଆମର ନୀତି ସ୍ପଷ୍ଟ: ଆତ୍ମସମର୍ପଣକାରୀ ନକ୍ସଲମାନଙ୍କୁ ସ୍ୱାଗତ, କିନ୍ତୁ ଯେଉଁମାନେ ଅସ୍ତ୍ର ଉଠାଇବେ ସେମାନଙ୍କୁ ସୁରକ୍ଷା ବାହିନୀ ଦ୍ୱାରା କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିବ।
ଅମିତ ଶାହ ସୂଚନା ଦେଇ କହିଛନ୍ତି ଯେ, ଜାନୁଆରୀ ୨୦୨୪ ରେ ଛତିଶଗଡ଼ରେ ବିଜେପି ସରକାର ଗଠନ ହେବା ପରଠାରୁ, ମୋଟ ୨,୧୦୦ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । କେବଳ ସେତିକି ନୁହେଁ ୧,୭୮୫ ଜଣଙ୍କୁ ଗିରଫ କରାଯାଇଛି । ଶାହା ସମସ୍ତ ନକ୍ସଲବାଦୀଙ୍କୁ ହିଂସା ପରିତ୍ୟାଗ କରିବାକୁ, ଅସ୍ତ୍ର ରଖି ଦେଶର ପ୍ରଗତିରେ ଅଂଶୀଦାର ହେବା ପାଇଁ ମୁଖ୍ୟଧାରାକୁ ଫେରିବାକୁ ଆହ୍ୱାନ କରିଛନ୍ତି।