ଠିକ୍ ବର୍ଷେ ପୂର୍ବର ଫଟୋ ଇଏ, ଗେରୁଆମୟ କାହାଣୀ ଟିଏ...
Advertisement

ଠିକ୍ ବର୍ଷେ ପୂର୍ବର ଫଟୋ ଇଏ, ଗେରୁଆମୟ କାହାଣୀ ଟିଏ...

ଠିକ୍ ଆଜିର ଦିନରେ ପ୍ରକାଶ ପାଇଥିଲା ସପ୍ତଦଶ ସାଧାରଣ ନିର୍ବାଚନର ଫଳାଫଳ । ଗେରୁଆମୟ ହୋଇଥିଲା ଭାରତ । 

ଠିକ୍ ବର୍ଷେ ପୂର୍ବର ଫଟୋ ଇଏ, ଗେରୁଆମୟ କାହାଣୀ ଟିଏ...

ନୂଆଦିଲ୍ଲୀ: ୨୩ ମଇ ୨୦୧୯ । ଅର୍ଥାତ୍ ଠିକ୍ ବର୍ଷକ ତଳେ । ପ୍ରକାଶ ପାଏ ସପ୍ତଦଶ ଲୋକସଭା ନିର୍ବାଚନର ଫଳାଫଳ । ଲେଖାହୁଏ ନୂଆ ଇତିହାସ । ପ୍ରଥମ କରି ଏକ ଅଣକଂଗ୍ରେସ ଦଳ ୩ଶହ ପାର୍ କରେ । ନାରା ଯେମିତି ଥିଲା, ଫଳ ବି ସେମିତି ମିଳେ । ସଫଳ ହୁଅନ୍ତୁ ମୋଦି-ଶାହ ଯୋଡ଼ି । ଏହି ବିଜୟକୁ ଆଜି ବର୍ଷେ ପୁରିଛି । ମହାମାରୀ ଯୋଗୁ ସେଲିବ୍ରେସନ ସିନା ହୋଇପାରିନି, ହେଲେ ସେହି ମୁହୂର୍ତ୍ତ ଦଳର ନେତା ଓ କର୍ମୀଙ୍କ ପାଇଁ ଅବିସ୍ମରଣୀୟ ନିଶ୍ଚୟ । 

୨୦୧୪ ସାଧାରଣ ନିର୍ବାଚନରେ ପ୍ରଚଣ୍ଡ ବହୁମତ ପାଇ ଗୈରିକ ଦଳ ଭାଜପା ୧୦ ବର୍ଷ ପରେ ଦିଲ୍ଲୀ କ୍ଷମତାକୁ କମବ୍ୟାକ କଲା । ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ି ବିଜେପି ଦେଶର ରାଜନୀତିରେ ନୂଆ ଇତିହାସ ଲେଖିବାକୁ ମୂଳଦୁଆ ପକାଇଥିଲା । ୧୬ ମଇ ୨୦୧୪ । ଦଳର ବିପୁଳ ବିଜୟ ପରେ ସେହି ମାସ ୨୮ ରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କଲେ । ପାଞ୍ଚବର୍ଷର କାର୍ଯ୍ୟକାଳ ଶେଷ ପରେ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିଜେପି ୨୦୧୯ ସାଧାରଣ ନିର୍ବାଚନକୁ ଓହ୍ଲାଇଥିଲା । ୧୧ ଏପ୍ରିଲରୁ ଆରମ୍ଭ ହୋଇ ୧୯ ମଇ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଏହି ନିର୍ବାଚନ କରିବାକୁ ଘୋଷଣା କରନ୍ତି ନିର୍ବାଚନ କମିଶନର । ଆଉ ଏହା ପରେ କ୍ଷମତା ଦଖଲ ପାଇଁ ଆରମ୍ଭ ହୁଏ ଘମାସାନ ଲଢ଼େଇ । 

ପାଞ୍ଚବର୍ଷର ବିକାଶ ଓ ଜାତୀୟତାବାଦକୁ ନେଇ ବିଜେପି ନିର୍ବାଚନ ରଣନୀତି ତୟାର କଲା । ହେଲେ ଶାସକ ଦଳକୁ ଅଟକାଇବା ପାଇଁ କଂଗ୍ରେସ ନେତୃତ୍ୱରେ ଦେଶର ୨୨ଟି ରାଜନୈତିକ ଦଳ ଏକାଠି ହୋଇ ଆରମ୍ଭ କଲେ ମହାମେଣ୍ଟ । ସରକାରଙ୍କ ବିଫଳତା ଅର୍ଥନୀତି, ବେକାରୀ, ନିଯୁକ୍ତିକୁ ମୁଦ୍ଦାକରି ବିରୋଧୀ ଆରପାର ଲଢ଼େଇ ଆରମ୍ଭ କଲେ । ଆଉ ବିରୋଧୀଙ୍କୁ ପରାସ୍ତ କରିବା ପାଇଁ ଖୋଦ ପ୍ରଧାନମନ୍ତ୍ରୀ ନିଜେ ସେନାପତି ସାଜିଲେ । ବିଶ୍ୱସ୍ତ ସହଯୋଗୀ ଦଳର ସଭାପତି ଥିବା ଅମିତ ଶାହାଙ୍କୁ ପ୍ରଚାର ଯୁଦ୍ଧର ସାରଥୀ ସଜାଇଲେ । ନିର୍ବାଚନ ପ୍ରଚାରରେ ବିରୋଧୀଙ୍କ ତମାମ ଅଭିଯୋଗକୁ ଅମିତ ଶାହା ମୁଦ୍ଦା କରିବାରେ ଲାଗିପଡ଼ିଲେ । ବିରୋଧୀଙ୍କ ସମସ୍ତ ଅଭିଯୋଗ ମୋଦି ଶାହା ଯୋଡିଙ୍କ ବିକାଶ ମୁଦ୍ଦାରେ ମୋଡ଼ି ମକଚି ହୋଇଯାଉଥାଏ । 'ଅବକି ବାର ୩ ଶହ ପାର' ନାରା ଦେଇ ବିରୋଧୀ ଶିବିରରେ ପ୍ରଚଣ୍ଡ ହମଲା କରିଥିଲା ଗେରୁଆ ଦଳ । ଆଉ ଏହି ଆହ୍ୱାନକୁ ଦଳର ନେତା ଓ କର୍ମୀମାନେ ଜନତାଙ୍କ ପାଖରେ ପହଞ୍ଚାଇବାରେ ଲାଗିପଡିଲେ । ଗୋଟିଏ ପଟେ କଂଗ୍ରେସ ଦେଶର ସମ୍ବିଧାନ, ସାମ୍ବିଧାନିକ ସଂସ୍ଥା, ଜନତା,  ଅର୍ଥନୀତି ଇତ୍ୟାଦି ବିପଦରେ ଥିବା ଦର୍ଶାଇ ସରକାରଙ୍କ ବିରୋଧ ସଙ୍ଗୀନ ଅଭିଯୋଗ ଆଣିବାରେ ଲାଗିପଡ଼ିଥିଲା । ବିରୋଧୀ ପ୍ରଚାରରେ 'ମୋଦି ହଟାଓ, ଦେଶ୍ ବଚାଓ' ନାରା ଦେଇ କ୍ଷମତାକୁ ଫେରିବାର ରଣନୀତିରେ ଆଗକୁ ବଢ଼ିଲେ । 

ଅନ୍ୟପଟେ ନିଜେ ପ୍ରଧାନମନ୍ତ୍ରୀ କାଶ୍ମୀରରୁ କନ୍ୟାକୁମାରୀ, କୋହିମାରୁ କଚ୍ଛ ପର୍ଯ୍ୟନ୍ତ ଦେଶର ଅଖଣ୍ଡତା, ସାର୍ବଭୌମତା ଅକ୍ଷୁର୍ଣ୍ଣ ରଖିବା, ସବକା ସାଥ୍ , ସବକା ବିକାଶ ନାରାଦେଇ ଜନତାଙ୍କ ପାଖକୁ ଗଲେ । ଧାରା ୩୭୦ର ଉଚ୍ଛେଦ, ଏନଆରସି ଇତ୍ୟାଦି ଦଳର ଇସ୍ତାହାରରେ ସ୍ଥାନ ପାଇଥିଲା । ନିର୍ବାଚନ ପ୍ରଚାରରେ ବିରୋଧୀଙ୍କ ମୋଦି ହଟାଓ ଦେଶ ବଚାଓ ବନାମ ଶାସକ ଦଳର ଅବକି ବାର ୩ ଶହ ପାର ନାରା ଦେଖିବାକୁ ମିଳିଥିଲା । ତେବେ ପୁଲୱାମା ଆକ୍ରମଣ ପରେ ପାକକୁ ମୁହଁତୋଡ଼ ଜବାବ ଦେବାକୁ ଯାଇ ହୋଇଥିବା ଏୟାର ଷ୍ଟ୍ରାଇକ ବିଜେପି ସରକାରକୁ ପ୍ରବଳ ମାଇଲେଜ୍ ଦେଇଥିଲେ । ମୋଦିଙ୍କ ନେତୃତ୍ୱରେ ଯେ ଦେଶବାସୀ ସୁରକ୍ଷିତ, ଏଭଳି କିଛି ବାର୍ତ୍ତା ଆସିଥିଲା । ବିରୋଧୀଙ୍କ ଅଭିଯୋଗକୁ ଜନତା ଆଉ ଗ୍ରହଣ କରିବା ମୁଡ଼ରେ ହିଁ ନଥିଲେ । 

୨୩ ମଇ ୨୦୧୯ । ଠିକ୍ ବର୍ଷକ ତଳେ ଆଜିର ଦିନରେ ପ୍ରକାଶ ପାଇଲା ନିର୍ବାଚନ ଫଳଫଳା । ବିଜେପି କ୍ଷମତା ବଜାୟ ରଖିବାରେ ସଫଳ ହେଲା । କାମଦେଲା ଦଳର ଚାଣକ୍ୟ ଅମିତ ଶାହାଙ୍କ ନାରା । ଦଳ ନିଜ ପୂର୍ବ ରେକର୍ଡ ଭାଙ୍ଗି ଏକାକି ତିନି ଶହ ଆସନ ପାର କଲା । ୩୦୩ ସିଟରେ ବିଜୟୀ ହୋଇ ନୂଆ କୀର୍ତ୍ତିମାନ ସ୍ଥାପନ କଲା ଗେରୁଆ ଦଳ । ସେହିପରି ବିଜେପି ନେତୃତ୍ୱାଧୀନ  ଏନଡିଏ ୩୫୩ ସିଟରେ ବିଜୟୀ ହୋଇ ବିରୋଧୀଙ୍କ ସମସ୍ତ ଗୋଟିଚାଳନାକୁ ବିଫଳ କରିଥିଲା । ବିଧାନସଭା ନିର୍ବାଚନରେ ହାର୍ଟଲ୍ୟାଣ୍ଡରେ ବିଜୟୀ ହୋଇଥିବା କଂଗ୍ରେସ ଦିଲ୍ଲୀ ଦଖଲ ନେଇ ଯେଉଁ ସ୍ୱପ୍ନ ଦେଖୁଥିଲା, ସଫଳ ହେଲା ନାହିଁ । ୨୦୧୪ର ଦଶା ୨୦୧୯ରେ ବି ଭୋଗିଛି । 

ଗତ ବର୍ଷ ଆଜିର ଦିନରେ ଦଳର ପ୍ରଚଣ୍ଡ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ସ୍ଥିତ ଦଳୀୟ କାର୍ଯ୍ୟାଳୟକୁ ଆସି ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନରେ କେତୋଟି ଶବ୍ଦ ହିଁ ଭବିଷ୍ୟତ ମିଶନକୁ ନେଇ ଯଥେଷ୍ଟ ଥିଲା । ଯେଉଁଥିରେ ଥିଲା ଭାରତ ପୁଣି ଜିତିଲା, ଏହି ବିଜୟ ବିକାଶର, ବିଶ୍ୱାସର, ବିଶ୍ୱ ବିଜେତା ହେବାର ଏବଂ ଅଖଣ୍ଡ ଭାରତ ଅକ୍ଷୁର୍ଣ୍ଣ ରଖିବାର । ଆଜି ନିର୍ବାଚନ ଫଳାଫଳକୁ ଗୋଟିଏ ବର୍ଷ ପୁରିଛି । ମାତ୍ର ଦଳ ଓ ସରକାର ଦେଶର ବିକାଶ ଓ ସୁରକ୍ଷା କରିବାରେ କେତେ ସଫଳ, ତାହା ଦେଶବାସୀ ବିଚାର କରିବେ !