ତାମିଲନାଡୁରେ ବିଷାକ୍ତ ମଦ ପିଇ ୨୫ ଜଣ ମୃତ । ଏହାସହ ୬୦ ରୁ ଉର୍ଦ୍ଧ୍ବ ଲୋକେ ଗୁରୁତର ହୋଇଛନ୍ତି । ପୁରା ଖବର ପଢନ୍ତୁ...
Trending Photos
)
illicit liquor.death : ତାମିଲନାଡୁରେ ବିଷାକ୍ତ ମଦ ପିଇ ୨୫ ଜଣ ମୃତ । ଏହାସହ ୬୦ ରୁ ଉର୍ଦ୍ଧ୍ବ ଲୋକେ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଲ୍ଲାକୁର୍ଚ୍ଚିରେ ଘଟିଛି ଏଭଳି ଘଟଣା । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଶ୍ରମିକ ଶ୍ରେଣୀର କିଛି ଲୋକ ବିଷାକ୍ତ ମଦ୍ୟପାନ କରିଥିଲେ । ଆଉ ଘରେ ପହଞ୍ଚିବା ପରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ । ଧୀରେ ଧୀରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ପରେ ପେଟରେ ଯନ୍ତ୍ରଣା ଅନୁଭବ ହେବା ସହ ବାନ୍ତି ହେବା ଭଳି ଲକ୍ଷଣ ଦେଖାଯାଇଥିଲା। ଏହାସହ ଆଖିରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା । ଫଳରେ ୨୫ ଜଣଙ୍କ ଜୀବନ ଯାଇଛି ।
ବର୍ତ୍ତମାନ ୬୦ ରୁ ଅଧିକ ଜଣ ଗୁରୁତର ଅବସ୍ଥାରେ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।କିଛି ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଜବାହରଲାଲ ଇନଷ୍ଟିଚ୍ୟୁଟ ଅଫ ପୋଷ୍ଟ ଗ୍ରାଜୁଏଟ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (JIPMER), ପୁଡୁଚେରୀକୁ ସ୍ଥାନାନ୍ତର କରାଯାଇଛି । ଏହାସହ ସମସ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଫରେନ୍ସିକ ଲାବରୋଟୋରୀକୁ ପଠାଯାଇଥିଲା । ଏହାପରେ ରିପୋର୍ଟ ସାମନାକୁ ଆସିଛି ।
ଡାକ୍ତରଙ୍କ ସୂଚନା ଅନୁସାରେ, ରକ୍ତ ନମୁନା ପରୀକ୍ଷା ପରେ ସେଥିରେ ମିଥାନଲ ଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ଇଭି ଭେଲୁ ଏବଂ ଏମ ସୁବ୍ରମନିଆନ କଲାକୁର୍ଚ୍ଚି ସ୍ଥିତ ହସ୍ପିଟାଲରେ ପହଞ୍ଚି ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହାସହ କଲ୍ଲାକୁର୍ଚ୍ଚି ଜିଲ୍ଲାପାଳ ଶ୍ରବଣ କୁମାର ଜଦାୱତଙ୍କ ଉପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ତାଙ୍କୁ ସେଠାରୁ ବଦଳି କରାଯାଇଥିବା ଜଣାପଡ଼ିଛି । ତାଙ୍କ ସ୍ଥାନରେ ଏମଏସ ପ୍ରସାଦ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଇଛନ୍ତି । ଏହାସହ କଲ୍ଲାକୁର୍ଚ୍ଚି SP ସାମଇ ସିଂ ମୀନାଙ୍କୁ ନିଲମ୍ବିତ କରାଯାଇଛି । ତାଙ୍କ ସ୍ଥାନରେ ଦାୟିତ୍ବ ନେଇଛନ୍ତି ରଜତ ଚତୁର୍ବେଦୀ । ସେପଟେ ମୁଖ୍ୟମନ୍ତ୍ରୀ CBCIDକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପରେ ଏହି ବିଷାକ୍ତ ମଦ ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ ।