)
Maoist Surrender: ମାଓ ସଙ୍ଗଠନକୁ ଏକ ଶକ୍ତ ଝଟକା ଲାଗିଛି । ତେଲେଙ୍ଗାନା ଡିଜିପି ଶିବଧର ରେଡ୍ଡିଙ୍କ ନିକଟରେ ୩୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ତିନି ଜଣ କେନ୍ଦ୍ରୀୟ କମିଟି ସଦସ୍ୟ (ସିସିଏମ୍) ଅଛନ୍ତି । ସେମାନଙ୍କ ପାଇଁ ଜଣକା ୨୦ ଲକ୍ଷ ଟଙ୍କା ପୁରସ୍କାର ଥିଲା। ଏହି ନକ୍ସଲମାନଙ୍କ ମଧ୍ୟରୁ ଦୁଇଜଣ ଆନ୍ଧ୍ର-ତେଲେଙ୍ଗାନାର ଏବଂ ଜଣେ ଛତିଶଗଡ଼ର ବୋଲି ଜଣାପଡିଛି । ସରକାର ପ୍ରତ୍ୟେକ ଆତ୍ମସମର୍ପଣକାରୀ ନକ୍ସଲବାଦୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସମାଜର ମୁଖ୍ୟସ୍ତ୍ରୋତରେ ମିଶାଇଛନ୍ତି । ପୁନର୍ବାସ ଯୋଜନା ଅଧୀନରେ ସେମାନେ ଅନ୍ୟାନ୍ୟ ବିଶେଷ ସୁବିଧା ମଧ୍ୟ ପାଇବେ।
ସିସିଏମ୍ ସଦସ୍ୟଙ୍କ ନାମ ହେଉଛି କୋୟଲ୍ ସାମ୍ବ୍ୟ ଓରଫ ଆଜାଦ, ଆପ୍ପାସି ନାରାୟଣ ଓରଫ ରମେଶ ଏବଂ ମୁଚାକି ସୋମଦା । ଗୋଟିଏ AK-47, ୨ SLR ଓ ୪ଟି ୩୦୩ ରାଇଫଲ ସହ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ ।
ଆପଣଙ୍କୁ କହିରଖୁଛୁ ଯେ, ୧୮ ନଭେମ୍ବରରେ ସୁକମା-ବିଜାପୁର-ଆନ୍ଧ୍ର ସୀମାନ୍ତ ଜଙ୍ଗଲରେ ଏକ ମିଳିତ ଏନକାଉଣ୍ଟର ହୋଇଥିଲା । ସୁରକ୍ଷା ବାହିନୀ ହିଡମା, ତାଙ୍କ ପତ୍ନୀ ରାଜେ ଏବଂ ଅନ୍ୟ ପାଞ୍ଚ ଜଣ ନକ୍ସଲଙ୍କୁ ଗୁଳି କରିଥିଲେ । ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ଅପରେସନକୁ ଗତ ଦଶନ୍ଧିର ସବୁଠାରୁ ବଡ଼ ସଫଳତା ବୋଲି ବର୍ଣ୍ଣନା କରିଥିଲେ । ହିଡମା ଦୀର୍ଘ ୩୪ ବର୍ଷ ଧରି ନକ୍ସଲବାଦ କାର୍ଯ୍ୟରେ ଜଡିତ ଥିଲା । ସେ ସୁରକ୍ଷା କର୍ମୀ ଏବଂ ନିର୍ଦ୍ଦୋଷ ଗ୍ରାମବାସୀଙ୍କ ହତ୍ୟା ସମେତ ୩୪୦ ରୁ ଅଧିକ ହତ୍ୟାର ଅଭିଯୁକ୍ତ ଥିଲା। ୨୦୧୦ ମସିହାରେ ଦାନ୍ତେୱାଡାରେ ୭୬ ଜଣ ସିଆରପିଏଫ୍ ଯବାନଙ୍କ ହତ୍ୟା ପଛରେ ହିଡମା ମାଷ୍ଟରମାଇଣ୍ଡ ଥିଲା ବୋଲି କୁହାଯାଉଛି । କେବଳ ସେତିକି ନୁହେଁ, ଏକ ରିଲିଫ୍ କ୍ୟାମ୍ପରେ ୩୧ ଜଣଙ୍କୁ ଜୀବନ୍ତ ଜାଳି ଦେଇଥିବାର ଅଭିଯୋଗ ରହିଛି । ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର ଏବଂ ଓଡ଼ିଶା ସରକାର ମିଳିତ ଭାବରେ ତାଙ୍କ ଉପରେ ପୁରସ୍କାର ଘୋଷଣା କରିଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହିଡମା ସହିତ ଜଡିତ ବୋଲି କୁହାଯାଉଛି।