)
ଦୁବାଇ: ସାରା ବିଶ୍ୱରେ କୋରୋନା ଭୂତାଣୁର ତାଣ୍ଡବଲୀଳା ଜାରି ରହିଛି । ଏହି ମହାମାରୀ ଭାଇରସ ଯୋଗୁଁ ଲକ୍ଷ ଲକ୍ଷ ସଂକ୍ରମିତ ହେବାରେ ଲାଗିଛନ୍ତି । ଅନ୍ୟପକ୍ଷେ ଦୁବାଇରେ ରହୁଥିବା ଜଣେ ୪ ବର୍ଷର ଭାରତୀୟ ବଂଶୋଦ୍ଭବ ଝିଅ କର୍କଟ ପରେ କୋଭିଡ-19କୁ ପରାସ୍ତ କରିଛି । ସେ ୟୁଏଇରେ କୋରୋନା ଭୂତାଣୁକୁ ମାତ୍ ଦେଇଥିବା ସବୁଠାରୁ କନିଷ୍ଠ ବୋଲି ଜଣାପଡିଛି । ଗଲ୍ଫ ନ୍ୟୁଜର ଏକ ଖବର ଅନୁଯାୟୀ, ଗତ ବର୍ଷ ଶିବାନୀ କର୍କଟ ରୋଗରୁ ଆରୋଗ୍ୟ ଲାଭ କରିଥିଲା । ଶିବାନୀ କୋରୋନା ସଂକ୍ରମିତ ହେବା ପରେ ଏପ୍ରିଲ ୧ରେ 'ଅଲ-ଫୁତୈମିମ୍ ହେଲଥ୍ ହବ୍'ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମା ଜଣେ ସ୍ୱାସ୍ଥ୍ୟ କର୍ମୀ । ଯାହାଙ୍କ ସଂସ୍ପର୍ଶରେ ଆସିବା ପରେ ହିଁ ସେ ସଂକ୍ରମିତ ହୋଇଥିଲେ ।
ସୂଚନା ଅନୁଯାୟୀ, କୌଣସି ଲକ୍ଷଣ ନଥିଲେ ମଧ୍ୟ ଶିବାନୀ ଏବଂ ତାଙ୍କ ପିତାଙ୍କୁ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ତାଙ୍କ ପିତା ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ଶିବାନୀ ସଂକ୍ରମିତ ହୋଇଥିଲେ । ଶିବାନୀ ଏବଂ ତାଙ୍କ ମା'ଙ୍କୁ ଗୋଟିଏ ସ୍ଥାନରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଗତ ବର୍ଷ ସେ ଏକ ବିରଳ କିଡନୀ କର୍କଟ ରୋଗରୁ ମୁକ୍ତି ପାଇଥିଲେ । ତେଣୁ ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଖବର ଅନୁଯାୟୀ ଏପ୍ରିଲ ୨୦ରେ ଶିବନୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା ।
ଅଲ-ଫୁତୈମିମ୍ ହେଲଥ୍ ହବର ମେଡିକାଲ୍ ଡାଇରେକ୍ଟର ଡକ୍ଟର ଥଲଫକର ଅଲ ବାଜ କହିଛନ୍ତି ଯେ, ଶିବାନୀଙ୍କୁ ଗତ ବର୍ଷ କେମୋଥେରାପି କରିବାକୁ ପଡୁଥିଲା । ତେଣୁ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ରହିଛି । ଡାକ୍ତରମାନେ ଡରୁଥିଲେ ଅବସ୍ଥା ଆହୁରି ଖରାପ ହୋଇପାରେ । ତେଣୁ ତାଙ୍କ ଉପରେ ବିଶେଷ ନଜରରେ ରଖାଯାଇଥିଲା । ସୌଭାଗ୍ୟବଶତଃ ସଂକ୍ରମଣ ଯୋଗୁଁ ତାଙ୍କର କୌଣସି ଅତିରିକ୍ତ ସମସ୍ୟା ନଥିଲା ।
ଦୁଇଟି ଟେଷ୍ଟରେ ସେ ଆଉ କୋଭିଡ-19 ରେ ସଂକ୍ରମିତ ନୁହଁନ୍ତି ବୋଲି ପୃଷ୍ଟି ହେବା ପୂର୍ବରୁ ତାଙ୍କୁ ୨୦ ଦିନ ଚିକିତ୍ସା କରାଯାଇଥିଲା । ଏବେ ସେ ୧୪ ଦିନ ଘରେ ଅଲଗା ରହିବେ । ଖବର ଅନୁଯାୟୀ, ଶିବାନୀଙ୍କ ମା'ଙ୍କ ଚିକିତ୍ସା ମଧ୍ୟ ଶେଷ ହୋଇଛି । କିନ୍ତୁ ତାଙ୍କୁ ନଜରରେ ରଖାଯାଇଛି । ଶୀଘ୍ର ତାଙ୍କୁ ମଧ୍ୟ ଡିସଚାର୍ଜ କରାଯାଇପାରେ ।