ଦେଶରେ ୨୨୧ ବିଏସଏଫ ଯବାନଙ୍କୁ କୋରୋନା
Advertisement
Article Detail0/zeeodisha/odisha678503

ଦେଶରେ ୨୨୧ ବିଏସଏଫ ଯବାନଙ୍କୁ କୋରୋନା

ଦିଲ୍ଲୀର କୋରୋନା ପଜିଟିଭ୍ ଯବାନଙ୍କୁ ଏମ୍ସ ଝଜ୍ଜର ଓ ତ୍ରିପୁରାର ଯବାନଙ୍କୁ ଜିବି ପନ୍ତ ହସ୍ପିଟାଲ ଅଗରତଲାରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଭାରତରେ ଦ୍ରୁତଗତିରେ ବୃଦ୍ଧି ପାଉଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାସହ ଏହି ମହାମାରୀ ଭୂତାଣୁ ଭାରତୀୟ ଯବାନଙ୍କୁ କ୍ରମାଗତ ସଂକ୍ରମିତ କରି ଚାଲିଛି । ସୀମା ସୁରକ୍ଷା ବଳ (ବିଏସଏଫ), ଭାରତ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ରେ ୪୭୬ଟି କୋରୋନା ମାମଲା ଚିହ୍ନଟ କରାଯାଇଛି । ଆଜି(ଶୁକ୍ରବାର) ପୁଣି ଆଉ ୩୦ ଜଣ ବିଏସଏଫ ଯବାନ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୬ଜଣ ଦିଲ୍ଲୀ ଏବଂ ୨୪ ଜଣ ତ୍ରିପୁରାରୁ ସାମିଲ ଅଛନ୍ତି ।

ଦିଲ୍ଲୀର କୋରୋନା ପଜିଟିଭ୍ ଯବାନଙ୍କୁ ଏମ୍ସ ଝଜ୍ଜର ଓ ତ୍ରିପୁରାର ଯବାନଙ୍କୁ ଜିବି ପନ୍ତ ହସ୍ପିଟାଲ ଅଗରତଲାରେ ଭର୍ତ୍ତି କରାଯାଇଛି । ବିଏସଏଫ ସଂସ୍ଥାନ ଓ କାନ୍ଥଗୁଡ଼ିକ ୱାଟର କାନନ ସାହାଯ୍ୟରେ ସାନିଟାଇଜର କରାଯାଉଛି । ଏପର୍ଯ୍ୟନ୍ତ ସମୁଦାୟ ୨୨୧ ବିଏସ୍ଏଫ୍ ଯବାନ କୋରୋନା ପଜିଟିଭ ମିଳିଛି । ୨୧୧ରୁ ଅଧ୍ୟା ଯବାନ ଦିଲ୍ଲୀ ପୋଲିସ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିଥିବା ବେଳେ ସଂକ୍ରମିତ ହୋଇଛନ୍ତି । ଗୁରୁବାର କୋରୋନା କାରଣରୁ ଦୁଇ ବିଏସଏଫ ଯବାନଙ୍କ ମୃତ୍ୟୁ ଘଟିଛି ।

ଏଥି ସହିତ ଆଇଟିବିପିରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ଟି ନୂଆ କୋରୋନା ମାମଲା ରିପୋର୍ଟ ହୋଇଛି । ସମସ୍ତ ସଂକ୍ରମିତ ଯବାନଙ୍କୁ ଦିଲ୍ଲୀରେ ଅବସ୍ଥାପିତ କରାଯାଇଥିଲା । ଆଇଟିବିପିରେ ବର୍ତ୍ତମାନ ପର୍ଯ୍ୟନ୍ତ ୯୪ କର୍ମଚାରୀ କୋରୋନା ସଂକ୍ରମିତ ଅଛନ୍ତି । ଏଥିସହିତ ସିଆରପିଏଫରେ ୩ଟି ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ବର୍ତ୍ତମାନ ସିଆରପିଏଫରେ ସମୁଦାୟ ୧୬୧ ଜଣ ଯବାନ କୋରୋନା ମହାମାରୀରେ ସଂକ୍ରମିତ ହୋଇଛନ୍ତି । ସିଆରପିଏଫର ଜଣେ ସବ୍-ଇନ୍ସପେକ୍ଟର ଏପ୍ରିଲ ୨୮ରେ କୋରୋନା କାରଣରୁ ମୃତ୍ୟୁ ବରଣ କରିଥିଲେ ।

;