ବର୍ଷ ୨୦୨୦: ସାମ୍ନାରେ ୪ ଚ୍ୟାଲେଞ୍ଜ
Advertisement

ବର୍ଷ ୨୦୨୦: ସାମ୍ନାରେ ୪ ଚ୍ୟାଲେଞ୍ଜ

୨୬ ମଇ ୨୦୧୪ । ଏହି ଦିନଟି ଭାରତୀୟ ଜନତା ପାର୍ଟି ପାଇଁ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । କାହିଁକିନା ପ୍ରଥମ ଥର ପାଇଁ ନିଜ ଦମରେ ସରକାର ଗଢ଼ିବା ସମ୍ଭବ ହୋଇଥିଲା । 

ଫାଇଲ ଫଟୋ

ନୂଆଦିଲ୍ଲୀ: ୨୬ ମଇ ୨୦୧୪ । ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନିଅନ୍ତି ମୋଦି । ଏହି ଦିନଟି ଭାରତୀୟ ଜନତା ପାର୍ଟି ପାଇଁ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । କାହିଁକିନା ପ୍ରଥମ ଥର ପାଇଁ ନିଜ ଦମରେ ସରକାର ଗଢ଼ିବା ସମ୍ଭବ ହୋଇଥିଲା । ୨୦୧୪ ସାଧାରଣ ନିର୍ବାଚନରେ ବିଜେପିକୁ ମିଳିଥିଲା ବିପୁଳ ଜନମତ । ଦେଶର ରାଜନୈତିକ ଇତିହାସରେ ମଧ୍ୟ ଏହି ଦିନ ବେଶ ଗୁରୁତ୍ୱବହନ କରୁଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ପୁଅ ରାଜୀବ ଗାନ୍ଧୀ ପ୍ରଚଣ୍ଡ ବହୁମତ ସହ ସରକାର ଗଢ଼ିବା ପରଠୁ ୩୦ ଦଶକ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିପାରୁନଥିଲେ । ମେଣ୍ଟ ସରକାରରେ ଚାଲୁଥିଲା ଦେଶର ଶାସନ । ହେଲେ ବିଜେପି ଏହି ଦିନ ଏହା କରିଦେଖାଇଥିଲା । 

ସେହିପରି ୨୬ ମଇ ୨୦୧୯ ଦିନଟି ମଧ୍ୟ ବିଜେପି ପାଇଁ ବେଶ୍ ମହତ୍ତ୍ୱପୂର୍ଣ୍ଣ ଥିଲା । କାହିଁକିନା ମୋଦି ୩୦ ମଇରେ ଶପଥ ନେଉଥିବା ନେଇ ଏହି ଦିନ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆଉ ଦିନ କେଇଟା ପରେ ମୋଦି ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷ ପୂରଣ କରିବେ । ସେହିପରି ମୋଦି ସରକାରଙ୍କୁ ୬ ବର୍ଷ ପୁରି ସାରିଛି । ମାତ୍ର ଏହି ୬ ବର୍ଷ ମଧ୍ୟରୁ ୨୦୨୦ ବର୍ଷଟି ସରକାରଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇଛି । 

(୧) କୋରୋନା ସଙ୍କଟ

ଦେଶର ନିଦ ହଜେଇ ଦେଇଛି କୋରୋନା ଭାଇରସ୍ । ଚାଇନାରୁ ଆସିଥିବା ଏହି ଭାଇରସ୍ ଏବେ ଭାରତରେ କାୟା ବିସ୍ତାର କରିସାରିଛି । ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ଲକ୍ଷ ଛୁଇଁବାକୁ ବସିଲାଣି । ୪ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ମଧ୍ୟ ହେଲାଣି । ଏହାରି ଭିତରେ ବିଶ୍ୱବ୍ୟାପୀ ଆକ୍ରାନ୍ତଙ୍କ ସଂଖ୍ୟାରେ ଟପ୍ ୧୦ରେ ଭାରତ ଆସିଯାଇଛି । ଆଉ ଏହାକୁ ନିୟନ୍ତ୍ରଣକୁ ଆଣିବା ଆଗକୁ ସରକାରଙ୍କ ପାଇଁ ଆହୁରି ବଡ଼ ଚ୍ୟାଲେଞ୍ଜ ହେବ । 

(୨) ଚାକିରି ନେଇଗଲା ଲକଡାଉନ୍

କୋରୋନା ମୁକାବିଲା କରିବାକୁ ଯାଇ ମାର୍ଚ୍ଚ ୨୫ରୁ ସମଗ୍ର ଦେଶରେ ଲକଡାଉନ୍ ଜାରି ରହିଛି । ଆଉ ଲକଡାଉନ୍ ଯୋଗୁ ଅନେକ ଜୀବିକା ହରାଇଛନ୍ତି । ଦେଶରେ ସେମିତି ବେରୋଜଗାର ସମସ୍ୟା ଥିଲା । ଆଉ ଲକଡାଉନ୍ ଯୋଗୁ ଏହା ଆହୁରି ବଢ଼ିଛି । 

(୩) ଚୀନ ସୀମାରେ ଚ୍ୟାଲେଞ୍ଜ

ସଙ୍କଟ ଭିତରେ ସୀମା ସମସ୍ୟା । ସୀମାରେ ନାନା କାଣ୍ଡ କରିବା ପାକିସ୍ତାନର ତ ନିତିଦିନିଆ ଅଭ୍ୟାସ । ହେଲେ ଏବେ ଚୀନ ସହ ମଧ୍ୟ ବିବାଦ ବଢ଼ିବାରେ ଲାଗିଛି । ଭାରତର ଦୁର୍ବଳତାର ସୁଯୋଗ ନେବା ପାଇଁ ସତେ ଯେମିତି ଚାଇନା ଅଣ୍ଟା ଭିଡ଼ିଛି । ଏପରିକି ୨ ଥର ଭାରତ-ଚୀନ ସୈନିକ ପରସ୍ପର ମଧ୍ୟରେ ମୁହାଁମୁହିଁ ହୋଇସାରିଲେଣି । ସୀମାରେ ସୈନ୍ୟ ବୃଦ୍ଧି କରୁଛି ଚୀନ । 

(୪) ଆର୍ଥିକ ମାନ୍ଦାବସ୍ଥା

କୋରୋନା ସଙ୍କଟ ପୂର୍ବରୁ ହିଁ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି ।  ଆଉ କୋରୋନା ଯୋଗୁଁ ସଙ୍କଟ ଆହୁରି ବଢ଼ିଛି । ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଘରକୁ ପଳାଇଛନ୍ତି । ଏବେ ସେମାନଙ୍କୁ କାମ ଦେବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ । ସେହିପରି ଦେଶର ଜିଡିପି ନେଗେଟିଭ ହୋଇପାରେ ବୋଲି ମଧ୍ୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଆଶଙ୍କା ପ୍ରକାଶ କରିଛନ୍ତି । 

ଏ ତମାମ ଚ୍ୟାଲେଞ୍ଜ ଭିତରେ ମୋଦି ସରକାର ଆରମ୍ଭ କରିବେ ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ବର୍ଷ । ହାତରେ ଆହୁରି ୪ ବର୍ଷ ସମୟ ଅଛି ସତ, ହେଲେ ଏ ତମାମ ସମସ୍ୟାର ସମାଧାନ ପାଇଁ ଏହା କେତେ ପର୍ଯ୍ୟାପ୍ତ ତାହା ସମୟ କହିବ ।