ଆସାମରେ ବନ୍ୟା ବିତ୍ପାତ, ଗଲାଣି ୧୦୦ରୁ ଊର୍ଦ୍ଧ୍ୱ ପଶୁଙ୍କ ଜୀବନ
Advertisement
Article Detail0/zeeodisha/odisha714494

ଆସାମରେ ବନ୍ୟା ବିତ୍ପାତ, ଗଲାଣି ୧୦୦ରୁ ଊର୍ଦ୍ଧ୍ୱ ପଶୁଙ୍କ ଜୀବନ

ପ୍ରବଳ ବର୍ଷା କାରଣରୁ ଆସାମରେ ଏବେ ବନ୍ୟା ବିତ୍ପାତ। କାଜିରଙ୍ଗା ଜାତୀୟ ଉଦ୍ୟାନର ପ୍ରାୟ ୮୫ ପ୍ରତିଶତ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ସମଗ୍ର ରାଜ୍ୟର ଅର୍ଦ୍ଧାଧିକ ଅଞ୍ଚଳ ଜଳମଗ୍ନ। ଏଭଳି ଜଳ ବିତ୍ପାତ କାରଣରୁ ସମଗ୍ର ରାଜ୍ୟରେ ଜୀବନ ମରଣ ମଧ୍ୟରେ ଉଭୟ ପଶୁପକ୍ଷୀ ଓ ମଣିଷ ସଂଘର୍ଷ ଜାରି ରଖିଛନ୍ତି।  ତେବେ ଏହି ଜଳ ପ୍ରଳୟ କାରଣରୁ କାଜ

ଆସାମରେ ବନ୍ୟା ବିତ୍ପାତ, ଗଲାଣି ୧୦୦ରୁ ଊର୍ଦ୍ଧ୍ୱ ପଶୁଙ୍କ ଜୀବନ

ଗୌହାଟୀ: ପ୍ରବଳ ବର୍ଷା କାରଣରୁ ଆସାମରେ ଏବେ ବନ୍ୟା ବିତ୍ପାତ। କାଜିରଙ୍ଗା ଜାତୀୟ ଉଦ୍ୟାନର ପ୍ରାୟ ୮୫ ପ୍ରତିଶତ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ସମଗ୍ର ରାଜ୍ୟର ଅର୍ଦ୍ଧାଧିକ ଅଞ୍ଚଳ ଜଳମଗ୍ନ। ଏଭଳି ଜଳ ବିତ୍ପାତ କାରଣରୁ ସମଗ୍ର ରାଜ୍ୟରେ ଜୀବନ ମରଣ ମଧ୍ୟରେ ଉଭୟ ପଶୁପକ୍ଷୀ ଓ ମଣିଷ ସଂଘର୍ଷ ଜାରି ରଖିଛନ୍ତି। 

ତେବେ ଏହି ଜଳ ପ୍ରଳୟ କାରଣରୁ କାଜିରଙ୍ଗା ଉଦ୍ୟାନରେ ୧୦୦ରୁ ଊର୍ଦ୍ଧ୍ୱ ଜୀବଜନ୍ତୁ ମଧ୍ୟ ପ୍ରାଣ  ହରାଇସାରିଲେଣି। ଏମାନଙ୍କ ମଧ୍ୟରେ ବିରଳ ହରିଣ, ଗଣ୍ଡା ପ୍ରମୁଖ ପଶୁ ଭାବେ ରହିଛନ୍ତି। ସେହିପରି ୧୩୦ରୁ ବହୁ ଜନ୍ତୁଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ସେପଟେ ପ୍ରତିବର୍ଷ ଆସାମ ବନ୍ୟାରେ ବହୁ ବିରଳ ଜନ୍ତୁଙ୍କ ଜୀବନହାନୀ ଘଟୁଛି। ତେବେ ଏଭଳି ପରିସ୍ଥିତି ବାରମ୍ବାର ଘଟୁଥିବା କାରଣରୁ ରାଜ୍ୟ ସରକାର ଏକ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଉଦ୍ୟାନ ମଧ୍ୟରେ ଏକ ଉଚ୍ଚ ସ୍ଥାନ ନିର୍ମାଣ କରିବାକୁ ପ୍ରସ୍ତାବ ରଖିଛନ୍ତି। ଉଦ୍ୟାନ ମଧ୍ୟରେ ପ୍ରାୟ ୩୨ କିଲୋମିଟର ପରିଧି ମଧ୍ୟରେ ଏହି ସ୍ଥାନକୁ ନିର୍ମାଣ କରିବାକୁ ପ୍ରସ୍ତାବ ରଖିଛନ୍ତି। 

ସେହିପରି ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ ପାଣି ଘେରରେ। ଅଧିକାଂଶ ସ୍ଥାନ ଏବେ ବିଚ୍ଛିନ୍ନ ହୋଇ ପଡ଼ିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବନ୍ୟାରେ ୭୯ ଜଣଙ୍କ ପ୍ରାଣହାନୀ ଘଟିସାରିଲାଣି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଦେଇଥିବା ସୂଚନା ମୁତାବକ ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। ବରପେଟା, ବାକ୍ସା, ଧୁବ୍ରି, ମୋରିଗାଁ ଓ ନାଗାଓଁରେ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି। 

ସେହିପରି ଗୋଲପଡ଼ା ଜିଲ୍ଲା ରାଜ୍ୟରେ ସବୁଠାରୁ ଅଧିକ ମାତ୍ରାରେ ବନ୍ୟା ପ୍ରଭାବିତ ହୋଇଛି। ଏହି ଜିଲ୍ଲାରେ ପ୍ରାୟ ୪।୫୩ ଲୋକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ସେହିପରି ବରପେଟା ଜିଲ୍ଲାରେ ୩।୪୪ ଲକ୍ଷ ଓ ମୋରିଗାଁରେ ୩।୪୧ ଲକ୍ଷ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ବନ୍ୟା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲଙ୍କ ସହିତ ଫୋନ ଯୋଗେ ଆଲୋଚନା କରିଥିଲେ। ଏହି ବାର୍ତ୍ତାଳାପ ସମୟରେ କୋରୋନା ସ୍ଥିତି ଓ ବାଗଜାନ ତୈଳଟାଙ୍କି ବିସ୍ଫୋରଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିବା ନେଇ ସୂଚନା ରହିଛି। 

;