)
ଭୋପାଳ: ଲକଡାଉନରେ ପୁଣିଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାଟି ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଘଟିଛି । ଏଠାରେ ପୁଣିଥରେ ସଡ଼କ ଦୁର୍ଘଟଣାରେ ୟୁପିର ୩ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଜାତୀୟ ରାଜପଥରେ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଏକ ଟ୍ରକ୍ ଯାଉଥିଲା । ଗୁନା ବାଇପାସ୍ ନିକଟରେ ଶିବପୁରୀରୁ ଆସୁଥିବା ପିକଅପ୍ ସହିତ ଟ୍ରକ ମୁହାଁମୁହିଁ ହୋଇଥିଲା । ଏହି ସମୟରେ ଅନ୍ୟ ଟ୍ରକ ମଧ୍ୟ ଏହି ଦୁର୍ଘଟଣାର ଶିକାର ହୋଇଥିଲା ।
ଏହି ଦୁର୍ଘଟଣାରେ ଆଜମଗଡର ଅମଦାଇ ଗାଁର ମହେଶ ପ୍ରଜାପତି, ପ୍ରମୋଦ ପାଲ ଓ ଗାଜୀପୁର ଜିଲ୍ଲାର ଦେବକଥିଆର ଦୀପକ ପ୍ରଜାପତିଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୩ଟି ଗାଡିରେ ଥିବା ୪୦ ଜଣ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ବିଗତ ଦିନରେ ଏହି ସ୍ଥାନ ନିକଟରେ ଆଉ ଏକ ସଡକ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୮ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ଗୁରୁବାର ସକାଳେ ଗୁନା ଜିଲ୍ଲାରେ ଟ୍ରକ ଓ ବସ୍ ମଧ୍ୟରେ ପ୍ରବଳ ଧକ୍କାରେ ୮ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୪ ଜଣ ଆହତ ହୋଇଥିଲେ । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେମାନଙ୍କୁ ଚିକିତ୍ସା କରାଯାଉଛି । ଏହି ଟ୍ରକ ମହାରାଷ୍ଟ୍ରର ଶ୍ରମିକମାନଙ୍କ ସହିତ ଉତ୍ତରପ୍ରଦେଶ ଅଭିମୁଖେ ଯାତ୍ରା କରୁଥିଲା ।