ବନ୍ୟାରେ ଛାରଖାର ଆସାମ: ୨୪ ଜିଲ୍ଲାରେ ୨୪ ଲକ୍ଷରୁ ଅଧିକ ପ୍ରଭାବିତ, ମୃତ୍ୟୁସଂଖ୍ୟା ୧୦୦ ପାର

ବନ୍ୟା ଫଳରେ ଧ୍ୱଂସ୍ତବିଧ୍ୱସ୍ତ ହୋଇପଡିଛି ପୂର୍ବୋତ୍ତର ରାଜ୍ୟ ଆସାମ ।

 ବନ୍ୟାରେ ଛାରଖାର ଆସାମ: ୨୪ ଜିଲ୍ଲାରେ ୨୪ ଲକ୍ଷରୁ  ଅଧିକ ପ୍ରଭାବିତ, ମୃତ୍ୟୁସଂଖ୍ୟା ୧୦୦ ପାର

ଗୌହାଟି: ପୂ୍ର୍ବୋତ୍ତର ରାଜ୍ୟ ଆସାମରେ ପ୍ରଳୟ ସୃଷ୍ଟି କରିଛି ବନ୍ୟା । ଏହାର ପ୍ରଭବାରେ ୨୪ଟି ଜିଲ୍ଲାର ୨୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ୧ ଲକ୍ଷ ହେକ୍ଟରରୁ ଅଧିକ ଚାଷଜମି ଏବଂ ୨୨୫୪ଟି ଗାଁ ବନ୍ୟା ଘେରରେ ରହିଥିବା ନେଇ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ-ଏଏସଡିଏମଏ(Assam State Disaster Management Authority-ASDMA) ପକ୍ଷରୁ କୁହାଯାଇଛି ।

ଏଏସଡିଏମଏ ରିପୋର୍ଟ ଅନୁଯାୟୀ ରାଜ୍ୟର ବନ୍ୟା ପ୍ରଭାବିତ ଜିଲ୍ଲା ମଧ୍ୟରେ ରହିଛି ଧମାଜୀ, ଲକ୍ଷ୍ମୀପୁର, ବିଶ୍ୱନାଥ, ଡାରଙ୍ଗ, ବକସା, ନଲବାରୀ, ବରପେଟା, ଚିରାଙ୍ଗ, ବଙ୍ଗାଇଗାଓଁ, କୋକ୍ରଝର, ଧୁବ୍ରୀ, ଦକ୍ଷିଣ ସଲମାରା, ଗୋଲପାରା, କାମରୂପ, କାମରୂପ ମହାନଗର, ମୋରିଗାଓଁ, ନାଗାଓଁ, ଜୋରହାଟ, ମାଜୁଲି, ଶିବସାଗର, ଡିବ୍ରୁଗଡ, ତିନସୁକିଆ ଏବଂ କାଚର । ଏହାପୂର୍ବରୁ ସୋମବାର ବ୍ରହ୍ମପୁତ୍ରରେ ଜଳ ପ୍ରବାହ ବଢିବା ଫଳରେ ଡିବ୍ରୁଗଡ଼ର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା। ରାଜ୍ୟରେ ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସରକାରସ ୨୭୬ ରିଲିଫ କ୍ୟାମ୍ପ ଏବଂ ୧୯୨ ରିଲିଫ ବଣ୍ଟନ କେନ୍ଦ୍ର ସ୍ଥାପନ କରିଛନ୍ତି।

ରାଜ୍ୟର ସର୍ବାଧିକ ବନ୍ୟା ପ୍ରଭାବିତ ଜିଲ୍ଲା ମଧ୍ୟରେ ରହିଛି ଗୋଲପାରା । ଯେଉଁଠି ୪.୫୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ବରପେଟାରେ ୩.୩୭ ଏବଂ ମୋରିଗାଓଁ ପ୍ରାୟ ୩.୩୫ ଲକ୍ଷ ଲୋକ ବନ୍ୟା ଘେରରେ ଅଛନ୍ତି। ବନ୍ୟା କାରଣରୁ ରାଜ୍ୟରେ ଅବସ୍ଥିତ କାଜିରଙ୍ଗା ଜାତୀୟ ଉଦ୍ୟାନ(Kaziranga national park) ପ୍ରାୟ ୧୧୩ ପ୍ରାଣୀଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ବିଭାଗୀୟ କର୍ତ୍ତୃପକ୍ଷ ୧୪୦ ଜୀବଜନ୍ତୁଙ୍କୁ ଉଦ୍ଧାର କରିଛନ୍ତି ।

ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସୋମବାର ବିଳମ୍ବିତ ରାତିରେ ନାଲବାରୀ ଜିଲ୍ଲାର ପୋଖୁରା ଗ୍ରାମସ୍ଥିତ ବୁରଦିଆ ନଦୀରେ ହେଉଥିବା ଜଳ ପ୍ରବାହକୁ ନିରୀକ୍ଷଣ କରିଛନ୍ତି। ଗସ୍ତ ସମୟରେ ସେ ରାଜ୍ୟରେ ବନ୍ୟା ପ୍ରଭାବିତ ସ୍ଥାନୀୟ ଲୋକଙ୍କୁ ମଧ୍ୟ ଭେଟିଥିଲେ। ଏହି ସମୟରେ ସାହସିକତାର ପରିଚୟ ଦେଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ରାଜ୍ୟକୁ ସହାୟତା ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସେ କହିଛନ୍ତି, "ଏହି ବନ୍ୟା ସମୟରେ ରାଜ୍ୟର ଲୋକେ ବହୁତ ସାହସ ଦେଖାଇଛନ୍ତି। ସେମାନେ ସରକାରଙ୍କ ପ୍ରତ୍ୟେକ ପଦକ୍ଷେପକୁ ସମର୍ଥନ କରିଛନ୍ତି, ଏଥିପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି। ଏହି ଆହ୍ୱାନକୁ ଆମେ ସଫଳତାର ସହ ଦୂର କରିବୁ। ସମର୍ଥନ ପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। " ପୂର୍ବରୁ ସେ ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ସମ୍ପର୍କୀୟଙ୍କୁ ଲାଗି ୪୮ ଘଣ୍ଟା ମଧ୍ୟରେ କ୍ଷତିପୂରଣ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ।

ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ-ଏନଡିଆରଏଫ(National Disaster Response Force-NDRF) ସୋମବାର ବନ୍ୟା ପ୍ରଭାବିତ ଗୋଲପାରାର ମାଟିଆର ଅଞ୍ଚଳରୁ ୫୬ ଜଣଙ୍କୁ ଉଦ୍ଧାର କରିଛନ୍ତି । ରାଜ୍ୟରେ ଗତ ୩ ଦିନ ଧରି ଲଗାତାର ବର୍ଷା ହେତୁ ବ୍ରହ୍ମପୁତ୍ର ଏବଂ ଏହାର ଉପନଦୀ କୃଷ୍ଣାଇ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି । ନଦୀର ଜଳସ୍ତର ବୃଦ୍ଧି ପାଇବା କାରଣରୁ ହାୱାର ଘାଟ ଗ୍ରାମରେ ଲୋକ ଗୁରୁତର ଭାବେ ପ୍ରଭାବିତ  ହୋଇଛନ୍ତି । ଏଠାରେ ଏନଡିଆରଏଫ ଟିମ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି।