'ଯଦି କେହି ରେଳ ଟ୍ରାକରେ ଶୋଇଯିବ, ତେବେ ତାକୁ କେମିତି ଅଟକାଇ ହେବ ?'
Advertisement

'ଯଦି କେହି ରେଳ ଟ୍ରାକରେ ଶୋଇଯିବ, ତେବେ ତାକୁ କେମିତି ଅଟକାଇ ହେବ ?'

ମହାରାଷ୍ଟ୍ର ଔରଙ୍ଗାବାଦରେ ରେଳ ଲାଇନରେ ୧୬ ଶ୍ରମିକଙ୍କ ଭୟାନକ ମୃତ୍ୟୁ ହୋଇଥିଲା । 

ଫାଇଲ ଫଟୋ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଔରଙ୍ଗାବାଦ(Aurangabad) ଜିଲ୍ଲାରେ ରେଳ ଲାଇନ ଦୁର୍ଘଟଣା ମାମଲା । ଏହି ମାମଲାରେ ଟିପ୍ପଣୀ ରଖିଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ କହିଛନ୍ତି, ଯଦି ସେମାନେ ରେଳ ଟ୍ରାକ ଉପରେ ଶୋଇଯିବେ, ତେବେ କିଏ ଏହାକୁ କେମିତି ଅଟକାଇ ପାରିବ ? ରାଜ୍ୟ ସରକାର ପରିବହନର ବ୍ୟବସ୍ଥା କରୁଛନ୍ତି । ମାତ୍ର ଲୋକେ ଚାଲିଚାଲି ଘରକୁ ବାହାରୁଛନ୍ତି । ଏପରି କ୍ଷେତ୍ରରେ କ'ଣ କରାଯାଇପାରିବ ? ସରକାର କେବଳ ଚାଲିଚାଲି ପଳାଉଥିବା ଲୋକଙ୍କୁ ନଯିବା ପାଇଁ ଅନୁରୋଧ କରିପାରିବେ । ତାଙ୍କ ଉପରେ ବଳପ୍ରୟୋଗ କରାଯାଇପାରିବ ନାହିଁ । 

ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଓକିଲ ସଲିସିଟର ଜେନେରାଲଙ୍କୁ ପଚାରିଛନ୍ତି, ରାସ୍ତାରେ ଚାଲି ଚାଲି ଘରମୁହାଁ ହେଉଥିବା ଲୋକଙ୍କୁ କେମିତି ଅଟକେଇ ହେବ ? ସେହିପରି ଏହି ମାମଲାରେ ଦାଖଲ ହୋଇଥିବା ଜନହିତ ଯାଚିକାକୁ ମଧ୍ୟ ଖାରଜ କରିଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । 

ଆପଣଙ୍କୁ କହିରଖୁଛୁ, ମହାରାଷ୍ଟ୍ର ଔରଙ୍ଗାବାଦରେ ରେଳ ଲାଇନରେ ୧୬ ଶ୍ରମିକଙ୍କ ଭୟାନକ ମୃତ୍ୟୁ ହୋଇଥିଲା । ପ୍ରବାସୀ ଶ୍ରମିକ ଘର ଅଭିମୁଖେ ଯାଉଥିବା ବେଳେ ରାସ୍ତାରେ ଥକିପଡ଼ି ଟ୍ରାକ ଉପରେ ଶୋଇ ପଡ଼ିଥିଲେ । ଆଉ ରେଳ ଧକ୍କାରେ ଜୀବନ ଯାଇଥିଲା । ଶ୍ରମିକଙ୍କ ଘର ମଧ୍ୟପ୍ରଦେଶରେ । ଏମାନେ ମହାରାଷ୍ଟ୍ରର ଏକ କମ୍ପାନୀରେ କାମ କରୁଥିଲେ । ତେବେ ଲକଡାଉନ୍ ଯୋଗୁ ଫସି ରହିଥିବା ପ୍ରବାସୀ ଶ୍ରମିକ ଶେଷରେ ରେଳ ଟ୍ରାକରେ ଚାଲିଚାଲି ଘରକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣାର ସାମ୍ନା କରିଥିଲେ ।