ରାତି ପାହିଲେ ଶ୍ରୀଜୀଉଙ୍କ ବାହୁଡା ଯାତ୍ରା

ଆସନ୍ତାକାଲି ଶ୍ରକ୍ଷେତ୍ରରେ ଅନୁଷ୍ଠିତ ହେବାକୁ ଯାଉଛି ବାହୁଡା ଯାତ୍ରା | 

 ରାତି ପାହିଲେ ଶ୍ରୀଜୀଉଙ୍କ ବାହୁଡା ଯାତ୍ରା

ପୁରୀ: ରାତି ପାହିଲେ ପବିତ୍ର ବାହୁଡ଼ା ଯାତ୍ରା | ଜନ୍ମବେଦୀରୁ ଶ୍ରୀଜିଉ ବାହୁଡ଼ିବେ ରତ୍ନବେଦୀଙ୍କୁ | ଏଥିପାଇଁ ନୀତି ନିର୍ଘଣ୍ଟ ହୋଇଛି | ଭୋର ସମୟରୁ ଆରମ୍ଭ ହେବ ନୀତିକାନ୍ତି | ସକାଳ ପ୍ରାୟ ୪ଟାରୁ ଶ୍ରୀଜିଉଙ୍କର ହେବ ମଙ୍ଗଳ ଆଳତୀ | ପରେ ପରେ ଅନ୍ୟ ନୀତିକାନ୍ତି ସବୁ ଅନୁଷ୍ଠିତ ହେବ | 

ସକାଳ ପ୍ରାୟ ୪.୧୫ ମିନିଟରେ ମଇଲମ, ସାଢେ ୪ଟାରେ ତଡ଼ପଲାଗି ଓ ରୋଷହୋମ, ୫ଟାରେ ଅବକାଶ ନୀତି ଅନୁଷ୍ଠିତ ହେବ | ଏହା ପରେ ୫ଟା ୧୫ ମିନିଟରେ ସୂର୍ଯ୍ୟ ପୂଜା ଓ ସାଢେ ୫ଟାରେ ଦ୍ୱାରପାଳ ପୂଜା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି | ସେହିପରି ସକାଳ ୫ଟା ୪୫ ମିନିଟରେ ଭିତର ଗୋପାଳ ବଲ୍ଲଭ ଓ ଖେଚୁଡି ଭୋଗ ଲାଗି ହେବ| ୭ଟାରୁ ସାଢେ ୭ଟା ମଧ୍ୟରେ ସେନାପଟା ଲାଗି କରାଯିବ | ୭ଟା ୪୫ ମିନିଟରେ ମଙ୍ଗଳାର୍ପଣ ଶେଷ ହେବା ପରେ ପ୍ରାୟ ୮ଟାରୁ ପହଣ୍ଡି ନୀତି ଆରମ୍ଭ ହେବ | 

ପହଣ୍ଡି ନୀତି ଦିନ ପ୍ରାୟ ୧୦ଟା ସୁଦ୍ଧା ସାରିବାକୁ ନିଷ୍ପତ୍ତି ହୋଇଛି | ପରେ ସାଢେ ୧୦ଟାରୁ ସାଢେ ୧୧ଟା ମଧ୍ୟରେ ଛେରା ପହଁରା ନୀତି ଶେଷ ହେବ | ପରେ ରଥଟଣା କାର୍ଯ୍ୟ ଆରମ୍ଭ ହେବାର ଅଛି | 

ସେପଟେ ଗତକାଲି ତିନି ରଥର ଦକ୍ଷିଣ ମୋଡ଼ କରାଯାଇଛି | ବାହୁଡ଼ା ସମୟରେ ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ  ତିନି ରଥର ଯାଞ୍ଚ କାମ ମଧ୍ୟ ଶେଷ ହୋଇଛି | ଏପରିକି ଆବଶ୍ୟକୀୟ ଛୋଟମୋଟ କାର୍ଯ୍ୟ ମଧ୍ୟ ଶେଷ ହୋଇଛି | ମଙ୍ଗଳବାର ମଧ୍ୟାହ୍ନରେ ପୂର୍ତ୍ତ ବିଭାଗର ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ମୁଖ୍ୟ ବିଶ୍ୱକର୍ମା ପ୍ରମୁଖ ରଥର ସ୍ଥିତି ଅନୁଧ୍ୟାନ କରିଥିଲେ |