)
କୋଲକତା: କୋରୋନା ଟେଷ୍ଟ କଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି(Sourav Ganguly) । ତେବେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗତ ଏକ ସପ୍ତାହ ହେଲା ହୋମ କ୍ୱାରେଣ୍ଟାଇନରେ ଥିଲେ । ତାଙ୍କ ବଡ଼ ଭାଇ ସ୍ନେହାଶିଷ ଗାଙ୍ଗୁଲିଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା ।
ଗାଙ୍ଗୁଲିଙ୍କ ନିକଟତର ସୂତ୍ରରୁ ସୂଚନା ମିଳିଛି ଯେ, ସେ ନିଜର ରୋଗୀଣା ମା' ଓ ପରିବାର ସହ ରହୁଛନ୍ତି । ଯେଉଁଥିପାଇଁ ବଡ଼ ଭାଇଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ନିଜର ମଧ୍ୟ କୋରୋନା ଟେଷ୍ଟ କରାଇ ନେଇଥିଲେ । ତେବେ ତାଙ୍କର ରିପୋର୍ଟ ନେଗେଟିଭ ଆସିଛି ।
ସେପଟେ ବଡ଼ ଭାଇ ତଥା ପଶ୍ଚିମବଙ୍ଗ କ୍ରିକେଟ ଆସୋସିଏସନର ସଚିବ ସ୍ନେହାଶିଷ ଗାଙ୍ଗୁଲି ମଧ୍ୟ ଧୀରେ ଧୀରେ ସୁସ୍ଥ ହେଲେଣି । ଯାହା ଜଣାପଡ଼ିଛି, ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ । ସ୍ନେହାଶିଷଙ୍କ ପତ୍ନୀ, ଶାଶୁ ଓ ଶ୍ୱଶୁରଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା ।
କହିରଖୁଛୁ, ଏପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ୫୦ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୨୦ ହଜାରରୁ ଉର୍ଦ୍ଧ୍ୱ ଆକ୍ଟିଭ କେସ ମଧ୍ୟ ରହିଛି । କୋଲକତା ପୋଲିସର ୫ଶହରୁ ଅଧିକ କର୍ମଚାରୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା ।