)
ନୂଆଦିଲ୍ଲୀ: ଦୀପାବଳିରେ ଆତଙ୍କବାଦୀମାନେ ଦେଶରେ ଏକ ବଡ଼ ଆକ୍ରମଣ ଯୋଜନା କରୁଥିଲେ। ହେଲେ ସୁରକ୍ଷା ବାହିନୀ ଆଲର୍ଟ ଥିବା କାରଣରୁ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ଫେଲ୍ ମାରିଲା। ଦୀପାବଳି ପୂର୍ବରୁ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଏହି ଅପରେସନ୍ ସମୟରେ ଆଜି ଦକ୍ଷିଣ କାଶ୍ମୀରର ଶୋପିଆନ୍ ଜିଲ୍ଲା ହେଫ୍ ଅଞ୍ଚଳରେ ଏକ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି) ଠାବ ହୋଇଥିଲା। ସୁରକ୍ଷା ବାହିନୀ ପକ୍ଷରୁ ବେଶ୍ ସତର୍କତାର ସହ IEDକୁ ନଷ୍ଟ କରାଯାଇଛି।
ସ୍ଥାନୀୟ ପୋଲିସ ଏବଂ ସୁରକ୍ଷା ବାହିନୀ ଦ୍ୱାରା ଆରମ୍ଭ ହୋଇଥିବା ଏହି ଅପରେସନରେ ବଡ଼ ସଫଳତା ମିଳିଥିବାରୁ ସ୍ଥାନୀୟ ଲୋକେ ଖୁବ ପ୍ରଶଂସା କରିଛନ୍ତି । ଏହାର କିଛି ସମୟ ପରେ ସାଧାରଣ ଯାତାୟାତ ପୁଣିଥରେ ଆରମ୍ଭ ହୋଇଥିଲା। କାଶ୍ମୀର ପୋଲିସ ଘଟଣା ସମ୍ପର୍କରେ ଏକ ମାମଲା ରୁଜୁ କରିଛି । ବିସ୍ଫୋରକ ଲଗାଇବା ପଛରେ ପ୍ରକୃତରେ କାହାର ହାତ ଅଛି ସେ ସମ୍ପର୍କରେ ଜାଣିବା ପାଇଁ ପ୍ରୟାସ ଚାଲିଛି । କାଶ୍ମୀରର ଜଣେ ଅଧିକାରୀ କହିଛନ୍ତି ଯେ, ଦୀପାବଳିର ପବିତ୍ର ଅବସରରେ ସମ୍ଭାବ୍ୟ ଜୀବନ ଏବଂ ସମ୍ପତ୍ତି କ୍ଷତି ପହଞ୍ଚାଇବାକୁ ହୋଇଥିବା ଷଡଯନ୍ତ୍ର ବିଫଳ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ସୁରକ୍ଷା ବାହିନୀ ଅଞ୍ଚଳରେ ସତର୍କ ରହିଛନ୍ତି।