ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ନିକଟରେ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଏହା ତାଙ୍କର ଦ୍ୱିତୀୟ ପାଳି। ସେ ଦ୍ୱିତୀୟ ଥର ପାଇଁ ଅବସର ଗ୍ରହଣ କରିଥିଲେ।
Trending Photos
)
ପାଟନା: ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ନିକଟରେ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଏହା ତାଙ୍କର ଦ୍ୱିତୀୟ ପାଳି। ସେ ଦ୍ୱିତୀୟ ଥର ପାଇଁ ଅବସର ଗ୍ରହଣ କରିଥିଲେ। ଏହାପୂର୍ବରୁ ସେ ୨୦୦୯ ମସିହାରେ ସେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଅବସର ନେଇଥିଲେ। ବକ୍ସରରୁ ତାଙ୍କ ପାଇଁ ଯେଉଁ ଟିକେଟ ଆଶା କରାଯାଉଥିଲା, ସେତେବେଳେ କିନ୍ତୁ ବିଜେପି ତାଙ୍କୁ ଟିକେଟ ଦେଇନଥିଲା। ଫଳରେ ପ୍ରାୟ ନଅ ମାସ ପରେ ସେ ପୁଣି ପୋଲିସ ସେବାରେ ଯୋଗ ଦେଇଥିଲେ।
ତେବେ ଚଳିତ ମାସ ଶେଷରୁ ଆରମ୍ଭ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି ଗୁପ୍ତେଶ୍ୱର ପାଣ୍ଡେ। ନିର୍ବାଚନ ପୂର୍ବରୁ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ହେଉ ଅବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସମାଲୋଚନା କରିବା ହେଉ, ପ୍ରତିଟି ମନ୍ତବ୍ୟରେ ସେ ଚର୍ଚ୍ଚାରେ ରହିଥିଲେ। ତେବେ ଡିଜିପି ପଦରୁ ଇସ୍ତଫା ପ୍ରଦାନ କରିବା ପରେ ଗୁପ୍ତେଶ୍ୱର ପାଣ୍ଡେ ଗତ ୨୭ ତାରିଖରେ ଜେଡ଼ିୟୁରୁ ସାମିଲ ହୋଇଥିଲେ।
ସେବେଠାରୁ ହି ସେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଥିଲା। ତାଙ୍କୁ ବିଧାନସଭା ନିର୍ବାଚନ ପାଇଁ ବକ୍ସରରୁ ଟିକେଟ ମିଳିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଦଳ ପକ୍ଷରୁ ତାଙ୍କୁ ନିରାଶ କରାଯାଇଛି। ଗତକାଲି ଜେଡ଼ିୟୁ ପକ୍ଷରୁ ୧୧୫ଟି ଆସନ ପାଇଁ ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ୨୦୦୯ ଭଳି ଏଥର ମଧ୍ୟ ନିରାଶ ହେବାକୁ ପଡ଼ିଛି ଗୁପ୍ତେଶ୍ୱରଙ୍କୁ।
ଫଳରେ ଗୁପ୍ତେଶ୍ୱରଙ୍କ ଏଭଳି ନିରାଶ ହେବା ଫଳରେ ଲୋକମାନେ ସୋସିଆଲ ମିଡ଼ିଆ ଓ ଫୋନ ଯୋଗେ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ଆରମ୍ଭ କରିଦେଇଥିଲେ। ଏପରି କାହିଁକି ହେଲା, କେମିତି ହେଲା ଏଭଳି ଅନେକ ପ୍ରଶ୍ନ ଲୋକମାନେ ତାଙ୍କୁ ପଚାରିବା ଆରମ୍ଭ କରିଦେଇଛନ୍ତି। ତେବେ ଲୋକମାନଙ୍କ ଠାରୁ ଏଭଳି ବାରମ୍ବାର ଫୋନ ପାଇଁ ଗୁପ୍ତେଶ୍ୱର ମଧ୍ୟ ନିଜର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ପ୍ରତିକ୍ରିୟା ରଖିଥିଲେ।
ଫେସବୁକରେ ଗୁପ୍ତେଶ୍ୱର ଲେଖିଥିଲେ କି, ମୁଁ ନିଜର ଶୁଭଚିନ୍ତକଙ୍କ ଏକାଧିକ ଫୋନକଲ ପାଇଁ ସମସ୍ୟାରେ ପଡ଼ୁଛି। ମୁଁ ସେମାନଙ୍କର ଚିନ୍ତା ଓ ସମସ୍ୟାକୁ ବୁଝିପାରୁଛି। ମୁଁ ଅବସର ନେବା ପରେ ସମସ୍ତଙ୍କର ଆଶା ଥିଲା କି ମୁଁ ନିର୍ବାଚନ ମୈଦାନରେ ଲଢିବି ବୋଲି। କିନ୍ତୁ ମୋତେ ବିଧାନସଭା ପାଇଁ ଟିକଟ ନ ମିଳିବାରୁ ମୁଁ ନିର୍ବାଚନ ଲଢିପାରୁନାହିଁ। ମୁଁ ଆପଣମାନଙ୍କର ସେବା ସାରା ଜୀବନ କରିବାକୁ ପ୍ରସ୍ତୁତ ରହିଛି। ଦୟାକରି ମୋତେ ଫୋନ କରନ୍ତୁ ନାହିଁ। ସେ ବିହାର ଓ ବକ୍ସରର ଜନତାଙ୍କ ପାଇଁ କାମ କରିବାକୁ ଚାହୁଁଛନ୍ତି। ବକ୍ସର ଓ ବିହାରର ସମସ୍ତ ନାଗରିକଙ୍କୁ ମୁଁ ପାଦ ଛୁଇଁ ପ୍ରଣାମ ଜଣାଉଛି। ବର୍ତ୍ତମାନ ସ୍ଥିତିରେ ଅଧିକ କିଛି କହି ପାରୁନାହିଁ। ମୋତେ ଆପଣଙ୍କ ଆଶିର୍ବାଦ ଓ ଭଲପାଇବା ଆଶା କରୁଛି। ନମସ୍କାର ବୋଲି ସେ ଲେଖିଛନ୍ତି।
ସେପଟେ ଗୁପ୍ତେଶ୍ୱରଙ୍କ ଦଳରେ ସାମିଲ ହେବା ପରେ ରାଜନୈତିକ ମାହୋଲ ମଧ୍ୟ ବେଶ ଉଷ୍ମ ହୋଇ ପଡ଼ିଥିଲା। ରାଜ୍ୟ ରାଜନୀତିରେ ମଧ୍ୟ ହଇଚଇ ସୃଷ୍ଟି ହୋଇଥିଲା। ବକ୍ସର ହେଉଛି ଗୁପ୍ତେଶ୍ୱରଙ୍କ ହୋମଟାଉନ। ତେବେ ଆସନ ବୁଝାମଣା ସମୟରେ ଏହି ବକ୍ସର ଆସନଟି ବିଜେପି ଅଧିନକୁ ଚାଲିଯାଇଛି। ଯଦିଓ ବିଜେପି ବକ୍ସରକୁ ଛାଡ଼ି ଅନ୍ୟ ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି, କିନ୍ତୁ ବକ୍ସର ଆସନରେ ନାଁ ଘୋଷଣା କରିନାହିଁ। ତେବେ ଗୁପ୍ତେଶ୍ୱରଙ୍କୁ ବିଜେପି ପ୍ରାର୍ଥୀ କରିବା ନେଇ ବର୍ତ୍ତମାନ ମଧ୍ୟ ଆଶା ଲାଗି ରହିଛି।