ଦୀର୍ଘ ୧୭ ଦିନ ଧରି ଚିକିତ୍ସିତ ହେବା ପରେ ସାମାନ୍ୟ ସୁସ୍ଥ ହୋଇ ଓଡିଶା ଫେରିବା ପାଇଁ ସେ ଇଚ୍ଛା ପ୍ରକାଶ କରିଥିଲେ ।
Trending Photos
)
ସରୋଜ ବେହେରା, ଭୁବନେଶ୍ୱର: ହାଇଦ୍ରାବାଦରୁ ଆସି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଓଡ଼ିଆ ସିନେମାର ବରିଷ୍ଠ ତଥା ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି । ଅସୁସ୍ଥତା ହେତୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍ରେ ସେ ଗତ ମାସରୁ ଚିକିତ୍ସିତ ହେଉଥିଲେ । ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ୱରକୁ ଅଣାଯାଇଛି । ଏଠାରେ କେୟାର ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।
ଦୀର୍ଘ ୧୭ ଦିନ ଧରି ଚିକିତ୍ସିତ ହେବା ପରେ ସାମାନ୍ୟ ସୁସ୍ଥ ହୋଇ ଓଡିଶା ଫେରିବା ପାଇଁ ସେ ଇଚ୍ଛା ପ୍ରକାଶ କରିଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ପରେ ପରିବାର ଲୋକେ ଓ ସିନେ ସଂଘ ତାଙ୍କୁ ଆଣିଥିଲେ । କେୟାର ହସ୍ପିଟାଲର ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ସେ ୨୨ ଘଣ୍ଟାର .ଯାତ୍ରା କରି ଭୁବନେଶ୍ୱର କେୟାର ହସ୍ପିଟାଲରେ ପହଞ୍ଚିଥିଲେ । ହସ୍ପିଟାଲରେ ଆମ୍ବୁଲାନ୍ସ ପହଞ୍ଚିବା ବେଳେ ବିଜୟ ମହାନ୍ତିଙ୍କୁ ଦେଖିବା ପାଇଁ ଅଭିନେତା ଶ୍ରୀତମ ଦାସ, ଅଭିନେତ୍ରୀ ଉଷସୀ ମିଶ୍ର ଓ ପୁଷ୍ପା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ବିଜୟ ମହାନ୍ତି ଓଡିଆ ସିନେ ଜଗତର ପୁରୁଖା ଅଭିନେତା । ସେ କେବେ ବି ହାରିବା ଶିଖି ନାହାଁନ୍ତି । ଖୁବଶୀଘ୍ର ସୁସ୍ଥ୍ୟ ହୋଇ ଫେରିବେ ବୋଲି ଉପସ୍ଥିତ ଅଭିନେତା ଅଭିନେତ୍ରୀ କହିଛନ୍ତି । ଓଡିଶାର ବୀର ପୁତ୍ର ବୋଲି ଆଖ୍ୟା ଦେଇ ଅଭିନେତା ଶ୍ରୀତମ ଦାସ କହିଛନ୍ତି ଯେ ବିଜୟଙ୍କ ଭଳି ଅଭିନେତା ମିଳିବା ବହୁତ ମୁସକିଲ ।
ବିଜୟଙ୍କୁ ଆଣିବାକୁ ଶୁକ୍ରବାର ସନ୍ଧ୍ୟାରେ ଏହି ସ୍ୱତନ୍ତ୍ର ଆମ୍ବୁଲାନ୍ସ ଭୁବନେଶ୍ୱରରୁ ହାଇଦ୍ରାବାଦ ଅଭିମୁଖେ ଯାଇଥିଲା । ଦୁଇ ମେଡିକାଲର ଡାକ୍ତରଙ୍କ ମଧ୍ୟରେ ଆଲୋଚନା ପରେ ତାଙ୍କୁ ସଡ଼କ ପଥରେ ଅଣାଯିବାକୁ ନିଷ୍ପତ୍ତି ହୋଇଥିଲା । ବିଜୟ ମହାନ୍ତିଙ୍କୁ ଓଡ଼ିଶା ଫେରାଇ ଆଣିବା ନିମନ୍ତେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଅଭିନେତା ଅଖିଳ ପଟ୍ଟନାୟକ ସହାୟତାର ହାତ ବଢ଼ାଇଥିଲେ । ମେ’ ୨୭ ତାରିଖରେ ବିଜୟ ମହାନ୍ତି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍କୁ ଚେକ୍ଅପ୍ ପାଇଁ ଯାଇଥିବା ବେଳେ ହୃଦ୍ଘାତର ଶିକାର ହୋଇଥିଲେ । ସେହିଦିନ ଠାରୁ ସେ ସେଠାରେ ଚିକିତ୍ସିତ ହେଉଛନ୍ତି । ବିଜୟ ମହାନ୍ତିଙ୍କ ଅବଦାନ ଓଡିଆ ସିନେ ଇଣ୍ଡଷ୍ଟ୍ରି ପାଇଁ ଅତୁଳନୀୟ ରହିଛି । ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ସେ ଆସିବା ପରେ ବଲିଉଡ ମୁହାଁ ହୋଇପାରିଥାନ୍ତେ । ହେଲେ ସେ ଓଡିଶାକୁ ନିଜ କର୍ମମାଟି ଭାବେ ଚୟନ କରିଥିଲେ ।