)
ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ଓ ମହାରାଷ୍ଟ୍ର ସରକାର ମଧ୍ୟରେ ଆଇନଗତ ଲଢ଼େଇ ଜାରି ରହିଛି । ଆସନ୍ତା ୨୨ ତାରିଖକୁ ହାଇକୋର୍ଟ ଶୁଣାଣି ଘୁଞ୍ଚିଥିବା ବେଳେ ନିଜ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି କଙ୍ଗନା । ସେପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପ୍ରତି କଙ୍ଗନାଙ୍କ ବୟାନ ବିରୋଧରେ ମଧ୍ୟ ବମ୍ବେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ବୁଧବାର ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ବେଆଇନ ନିର୍ମାଣ ନୋଟିସ ଲଗାଇ ବିଏମସି କଙ୍ଗନାଙ୍କ ଅଫିସର କିଛି ଅଂଶ ଭାଙ୍ଗିବାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି ।
ବିଏମସିର କାର୍ଯ୍ୟାନୁଷ୍ଠାନକୁ ବିରୋଧୀ ଦଳ ସମେତ ନିଜ ସହଯୋଗୀ ଦଳର ନେତା ଆକ୍ରୋଶମୂଳକ ପଦକ୍ଷେପ କହିବା ପରେ ଫସିଯାଇଛନ୍ତି ମହାରାଷ୍ଟ୍ର ସରକାର । ଆସନ୍ତା ୧୪ ତାରିଖ ସୁଦ୍ଧା ତଥ୍ୟ ସହ ସମ୍ପୂର୍ଣ୍ଣ ଅଭିଯୋଗ ଦାଖଲ କରିବାକୁ କଙ୍ଗନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ବୁଧବାର ବିଏମସି ବୁଲଡୋଜର ଲଗାଇ ଅଫିସରେ ଭଙ୍ଗାରୁଜା କରୁଥିବା ବେଳେ କାର୍ଯ୍ୟାନୁଷ୍ଠାନ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ କଙ୍ଗନା ରଣାୱତ । କଙ୍ଗନାଙ୍କ ଅନୁପସ୍ଥିତିରେ ଅଫିସ ଭଙ୍ଗା ଯାଉଥିବାରୁ ତୁରନ୍ତ କୋର୍ଟ ବିଏମସି କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଥିଲେ ।
ପରେ ଘଟଣାକୁ ନେଇ ସହଯୋଗୀ ଏନସିପି ଅଧ୍ୟକ୍ଷ ଶରଦ ପାୱାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ସହ ଘଟଣାକୁ ବିରୋଧ କରିଥିଲେ । ସେପଟେ ବିଏମସିର କାର୍ଯ୍ୟାନୁଷ୍ଠାନକୁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିହାରୀ ମଧ୍ୟ ନିନ୍ଦା କରିଥିଲେ । ଗୁରୁବାର ନିଜ କାର୍ଯ୍ୟାଳୟରେ ପହଞ୍ଚିବା ପରେ କଙ୍ଗନା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ୍ କରିଥିଲେ । ଉଦ୍ଧବଙ୍କୁ ବଂଶବାଦର ନମୁନା କହିବା ସହ ଶିବସେନାକୁ ସୋନିଆ ସେନା ବୋଲି କହି ଆକ୍ଷେପ କରିଥିଲେ କଙ୍ଗନା । ଉଭୟ କଙ୍ଗନା ଓ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ମାମଲା ବିଚାରାଧିନ ରହିଥିବାବେଳେ ଏବେ କଙ୍ଗନାଙ୍କ ସମର୍ଥନରେ ବାହାରିଛି ଇଣ୍ଡିଆନ ମୋସନ ପିକଚର ଆସୋସିଏସନ ବା ଆଇଏମପିଏ ।