କୋରୋନା ଚିକିତ୍ସାରେ ମ୍ୟାଲେରିଆ ଔଷଧକୁ ନେଇ ମତଭେଦ ! ଇସ୍ତଫା ଦେଲେ ବ୍ରାଜିଲ ସ୍ୱାସ୍ଥ୍ୟ ମନ୍ତ୍ରୀ
Advertisement
Article Detail0/zeeodisha/odisha682140

କୋରୋନା ଚିକିତ୍ସାରେ ମ୍ୟାଲେରିଆ ଔଷଧକୁ ନେଇ ମତଭେଦ ! ଇସ୍ତଫା ଦେଲେ ବ୍ରାଜିଲ ସ୍ୱାସ୍ଥ୍ୟ ମନ୍ତ୍ରୀ

ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନେଲସନ ଟିଶ । 

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ବିଶ୍ୱରେ ତାଣ୍ଡବ ରଚୁଛି କୋରୋନା । ଏପର୍ଯ୍ୟନ୍ତ ୩ଲକ୍ଷରୁ ଉର୍ଦ୍ଧ୍ୱ ଜୀବନ ଗଲାଣି । ବିଶ୍ୱବ୍ୟାପୀ ସର୍ବାଧିକ ଆକ୍ରାନ୍ତ ଦେଶ ମଧ୍ୟରେ ଷଷ୍ଠ ସ୍ଥାନରେ ରହିଛି ବ୍ରାଜିଲ । ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫ ହଜାର ଛୁଇଁବାକୁ ବସିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ନାକେଦମ୍ ହୋଇପଡ଼ିଛି ଦେଶ । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ବଡ଼ ଖବର । ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନେଲସନ ଟିଶ । 

ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋ ପ୍ରଥମରୁ ତ କୋରୋନା ସଙ୍କଟକୁ ଏତେ ଗୁରୁତ୍ୱ ଦେଇନଥିଲେ । ମହାମାରୀ ବ୍ୟାପିବା ନେଇ ବୈଜ୍ଞାନିକଙ୍କ ଚେତାବନୀକୁ ମଧ୍ୟ ଭ୍ରୁକ୍ଷେପ କରିନଥିଲେ । ଭାଇରସ୍ ବିପଦକୁ ଅତି ହାଲୁକା ଭାବେ ନେଇଥିଲେ ବ୍ରାଜିଲ ରାଷ୍ଟ୍ରପତି । ଦେଶର ଅର୍ଥବ୍ୟବସ୍ଥା ଉପରେ ହିଁ ଫୋକସ କରିଥିଲେ । ଆଉ ଏବେ ଯାହାର ପରିଣାମ ବ୍ରାଜିଲକୁ ଭୋଗିବାକୁ ପଡ଼ୁଛି । 

ସଂଘୀୟ ଗଭର୍ଣ୍ଣର ଏବଂ ବ୍ରାଜିଲର ସୁପ୍ରିମକୋର୍ଟ କୋରୋନା ସଙ୍କଟରୁ ଦେଶକୁ ରକ୍ଷା କରିବା ପାଇଁ ଲକାଡାଉନ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ଦେଶବ୍ୟାପୀ ଲକଡାଉନ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ଥିଲା, ଏହାର ନେତୃତ୍ୱ ନେଇଥିଲେ ରାଷ୍ଟ୍ରପତି ଜାୟର ବୋଲସୋନାରୋ । ବ୍ରାଜିଲ ରାଷ୍ଟ୍ରପତିଙ୍କ ଯୁକ୍ତି ଏହା ଥିଲା ଯେ, ଯଦି ଲକଡାଉନ୍ ହେବ ତେବେ ଦେଶବାସୀ ଭୋକରେ ମରିଯିବେ । 

ତେବେ ସଂଘୀୟ ଗଭର୍ଣ୍ଣର ଏବଂ ରାଷ୍ଟ୍ରପତିଙ୍କ ମଧ୍ୟରେ ଏହି ମତପାର୍ଥକ୍ୟ ଭିତରେ ଦେଶରେ କୋରୋନା ସମ୍ପୂର୍ଣ୍ଣ ଭାବେ କାୟାବିସ୍ତାର କରିଚାଲିଥିଲା । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଥିଲା । ଏବେ ତ ଶବ ରଖିବା ପାଇଁ ମଧ୍ୟ ସ୍ଥାନ ନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗ୍ରାମୀଣ କ୍ଷେତ୍ରରେ ମଧ୍ୟ କୋରୋନା ଭାଇରସ୍ ପହଞ୍ଚିସାରିଛି । ଅନ୍ୟପଟେ ସଙ୍କଟକୁ ସ୍ୱୀକାର କରିବାରେ ଏବେବି ନାରାଜ ବ୍ରାଜିଲ ରାଷ୍ଟ୍ରପତି । 

ରାଷ୍ଟ୍ରପତି ବୋଲସୋନାରୋ ଜିମ୍ ଏବଂ ସେଲୁନକୁ ମଧ୍ୟ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ସେ ଏହାକୁ ଅତ୍ୟାବଶ୍ୟକୀୟ ସେବା ଭାବେ ଗ୍ରହଣ କରିଛନ୍ତି । ତେଣୁ ଗଭର୍ଣ୍ଣରଙ୍କ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି । ତାଙ୍କ କହିବା କଥା ଏହା ଯେ, ସ୍ୱାସ୍ଥ୍ୟ ହିଁ ଜୀବନ । ଆଉ ଜିମ୍, ସେଲୁନ ଇତ୍ୟାଦି ସ୍ୱଚ୍ଛତା ପରିସରଭୁକ୍ତ । ତେଣୁ ଏହା ମଧ୍ୟ ଜୀବନ ! ଏହି ସବୁ କ୍ଷେତ୍ରରେ ୧୦ ଲକ୍ଷରୁ ଅଧିକ ଲୋକ ଚାକିରି କରୁଥିବା ଯୁକ୍ତି ମଧ୍ୟ ଦର୍ଶାଇଛନ୍ତି ବୋଲସୋନାରୋ । 

କାହିଁକି ଇସ୍ତଫା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ବ୍ରାଜିଲର ସ୍ୱାସ୍ଥ୍ୟ ମନ୍ତ୍ରୀ ନେଲସନ ଟିଶ ଶୁକ୍ରବାର ଇସ୍ତଫା ଦେଇଛନ୍ତି । ଏହି ପଦରେ ସେ ମାସେରୁ ମଧ୍ୟ କମ୍ ସମୟ ରହିଥିଲେ । ମାସେ ମଧ୍ୟରେ ବ୍ରାଜିଲରେ ଦୁଇଜଣ ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦେଲେଣି । ଯାହା କୁହାଯାଉଛି, ନେଲସନ ଟିଶ ଏବଂ ଦକ୍ଷିଣପନ୍ଥୀ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କ ଭିତରେ ପୂର୍ବରୁ ହିଁ ମତଭେଦ ଥିଲା । ନେଲସନ ଟିଶ ଭଲ ଭାବରେ ଜାଣିଥିଲେ ଯେ, ରାଷ୍ଟ୍ରପତି ଲୋକଙ୍କ ସ୍ୱାସ୍ଥ୍ୟ ଅପେକ୍ଷା ଅର୍ଥ ବ୍ୟବସ୍ଥାକୁ ଅଧିକ ଧ୍ୟାନ ଦେଉଛନ୍ତି । 

ତେବେ ଇସ୍ତଫା ଦେବାର କାରଣ, ଆଣ୍ଟି ମ୍ୟାଲେରିଆ ଡ୍ରଗ । କୋରୋନା ଚିକିତ୍ସା ପାଇଁ ଏହି ଡ୍ରଗ ବ୍ୟବହାର କରିବାକୁ ଅନୁମୋଦନ କରିଥିଲେ ରାଷ୍ଟ୍ରପତି  ବୋଲସୋନାରୋ । ମାତ୍ର ଏହାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ, ଟିଶ ବିରୋଧ କରୁଥିଲେ । ଶେଷରେ ଇସ୍ତଫା ଦେଇଛନ୍ତି । 

;