)
କାନାଡା: ରବିବାର ଦିନ କାନାଡା ପୋଲିସ ବୈଙ୍କୁବର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । କାରଣ ଏହି ସନ୍ଦିଗ୍ଧ ଜଣକ ଏକ ଲାଇବ୍ରେରୀ ଭିତରେ ପଶି ଆଖିବୁଜା ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲା । ଅଭିଯୁକ୍ତଙ୍କ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ଯେତେବେଳେ ଏହି ଘଟଣା ଘଟିଲା, ଏହି ଘଟଣାର ଭିଡିଓ ନିକଟସ୍ଥ ସପିଂ ମଲରେ ଲାଗିଥିବା ସିସିଟିଭି (CCTV) କ୍ୟାମେରାରେ ରେକର୍ଡ ହୋଇଥିଲା । ଯେଉଁଥିରେ ଅଭିଯୁକ୍ତ ଲୋକଙ୍କ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ସୂଚନାନୁୟାୟୀ, ଲାଇବ୍ରେରୀ (Library)ରେ ଲୋକଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ନାମ ହେଉଛି ୟାନିକ୍ । ତାଙ୍କ ବୟସ ୨୮ ବର୍ଷ । ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି ପୋଲିସ । ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ପୋଲିସ କହିଛି।
ତେବେ ପୀଡିତାଙ୍କ ପରିଚୟ ପୋଲିସ (Police) ପ୍ରକାଶ କରିନାହିଁ। ମୃତକଙ୍କ ବୟସ ପ୍ରାୟ ୨୦ବର୍ଷ ଥିଲା। ତାଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଏହି ସମୟରେ ଆକ୍ରମଣରେ ଆହତ ଅନ୍ୟ ଲୋକଙ୍କୁ ଶୀଘ୍ର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେମାନଙ୍କୁ ଚିକିତ୍ସା କରାଯାଉଛି ।
ବୈଙ୍କୁବର ପୋଲିସ କହିଛି ଯେ ଅଭିଯୁକ୍ତଙ୍କ ପୃଷ୍ଠଭୂମି ସମ୍ପର୍କରେ ଆମେ ତଥ୍ୟ ଅନୁସନ୍ଧାନ କରୁଛୁ। ସୂଚନା ଅନୁଯାୟୀ, ସେ ବ୍ରିଟିଶ (British Colombia) କଲୋମ୍ବିଆର ବାସିନ୍ଦା । ପୀଡିତା ଏବଂ ଅଭିଯୁକ୍ତ ପରସ୍ପରକୁ ଜାଣିଛନ୍ତି କି ନାହିଁ ଆମେ ଅନୁସନ୍ଧାନ କରୁଛୁ। ଅଭିଯୁକ୍ତ କାହିଁକି ଏପରି କଲା, ତାଙ୍କର ଉଦ୍ଦେଶ୍ୟ କ’ଣ, ଏହାର ମଧ୍ୟ ଅନୁସନ୍ଧାନ କରାଯାଉଛି।