ନିର୍ବାଚନ ପୂର୍ବରୁ ବୋମା ଜବତ, ବିଫଳ ହେଲା ନକ୍ସଲଙ୍କ ଷଡଯନ୍ତ୍ର
Advertisement

ନିର୍ବାଚନ ପୂର୍ବରୁ ବୋମା ଜବତ, ବିଫଳ ହେଲା ନକ୍ସଲଙ୍କ ଷଡଯନ୍ତ୍ର

ବିହାରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଆସନ ଭାବେ ଜଣାଶୁଣା ଇମାମଗଞ୍ଜ ବିଧାନସଭା।

ନିର୍ବାଚନ ପୂର୍ବରୁ ବୋମା ଜବତ, ବିଫଳ ହେଲା ନକ୍ସଲଙ୍କ ଷଡଯନ୍ତ୍ର

ପାଟନା: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ବିହାର ବିଧାନସଭା ନିର୍ବାଚନ (Bihar Assembly Poll 2020) ଲାଗି ଆସନ୍ତାକାଲି ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ମତଦାନ। ବିହାରରେ ଭୋଟ ଗ୍ରହଣ ହେବା ପୂର୍ବରୁ ରାଜ୍ୟର ଗୟା (Gaya) ଜିଲ୍ଲାରେ ଇମାମଗଞ୍ଜ ବିଧାନସଭା ଆସନ (Imamganj Assembly Constituency) ଅଞ୍ଚଳରୁ ବୋମା ଜବତ କରାଯାଇଛି। 

ଏହାକୁ ବ୍ୟବହାର କରି ନକ୍ସଲପନ୍ଥୀ (Naxlite) କୌଣସି ବଡ ଆକ୍ରମଣ କରିବାକୁ ଯୋଜନା କରୁଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ସୁରକ୍ଷାବଳର ସତର୍କତା କାରଣରୁ ନକ୍ସଲଙ୍କ ଷଡଯନ୍ତ୍ର ବିଫଳ ହୋଇଛି। ଏଠାରେ ନକ୍ସଲଙ୍କ ପକ୍ଷରୁ ରୋସନଗଞ୍ଜ ଥାନା ଅଞ୍ଚଳରୁ ୨ଟି କେନ୍ ବୋମା (Cane Bomb) ରଖାଯାଇଥିଲା । ଆଗକୁ ନିର୍ବାଚନ ରହିଥିବା ବେଳେ ଏହାକୁ ଭଣ୍ଡୁର କରିବା ସହ ସୁରକ୍ଷାବଳକୁ ଟାର୍ଗେଟ କରି ବୋମା ଖଞ୍ଜିଥିବା କୁହାଯାଇଛି। ବୋମା ଜବତ ହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ନକ୍ସଲଙ୍କ ପକ୍ଷରୁ ଆକ୍ରମଣ କରିବାକୁ ଯେଉଁ ଷଡଯନ୍ତ୍ର ହୋଇଥିଲା ତାହାକୁ ସମୟ ପୂର୍ବରୁ ବିଫଳ କରିଦେଇଛି ସୁରକ୍ଷାବଳ। ବିହାରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଆସନ ଭାବେ ଜଣାଶୁଣା ଇମାମଗଞ୍ଜ ବିଧାନସଭା। ଏଠାରୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହିନ୍ଦୁସ୍ତାମୀ ଆୱାମୀ ମୋର୍ଚ୍ଚା-ହାମ (Hindustan Awami Morcha) ଅଧ୍ୟକ୍ଷ ଜିତନରାମ ମାଞ୍ଝି (Jitanram Manjhi) ପ୍ରତିଦ୍ୱନ୍ଦିତା କରୁଛନ୍ତି। ଶାସକ ଏନଡିଏ (NDA) ମେଣ୍ଟ ପକ୍ଷରୁ ପ୍ରାର୍ଥୀ ହୋଇଥିବା ମାଞ୍ଝିଙ୍କ ବିରୁଦ୍ଧରେ ମୈଦାନକୁ ଓହ୍ଲାଇଛନ୍ତି ପୂର୍ବତନ ବାଚସ୍ପତି ଉଦୟ ନାରାୟଣ ଚୌଧୁରୀ। ସେ ରାଷ୍ଟ୍ରୀୟ ଜନତା ଦଳ-ଆରଜେଡି (Rastriya Janata Dal-RJD) ଟିକେଟରେ ନିର୍ବାଚନ ଲଢୁଛନ୍ତି।      

ଇମାମଗଞ୍ଜ ବିଧାନସଭା ଆସନ ବିହାରର ଏକ ନକ୍ସଲ ପ୍ରଭାବିତ ଅଞ୍ଚଳ (Naxlite Affected Area) ଭାବେ ଜଣାଶୁଣା। ଏଠାରୁ ବୋମା ଜବତ ହେବା ପରେ ଆଲର୍ଟ ହୋଇଉଠିଛି ସୁରକ୍ଷାବଳ। ଏପରିକି ନିରନ୍ତର ଭାବେ ବିହାର ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ (Search Opearation) ଚାଲିଛି। ମଙ୍ଗଳବାର ସୁରକ୍ଷା ବାହିନୀକୁ ୨ଟି ବୋମା ଜବତ କରିବା ପରେ ଏହାକୁ ତୁରନ୍ତ ନିଷ୍କ୍ରିୟ କରାଯାଇଥିଲା। ଅକ୍ଟୋବର ୨୮ ତାରିଖ ବୁଧବାର ବିହାରରେ ପ୍ରଥମ ପର୍ଯ୍ୟାୟରେ ୭୧ଟି ବିଧାନସଭା ଆସନ ପାଇଁ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ଯାହା ମଧ୍ୟରେ ରହିଛି ନକ୍ସଲ ପ୍ରଭାବିତ ଗୟା ଜିଲ୍ଲା।  ସୁରକ୍ଷା ଲାଗି ଏଠାରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି।