)
କୁନ୍ନୁର: ତାମିଲନାଡୁର କୁନୁର ନିକଟରେ ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ଭିଡିଓ ତିଆରି କରିଥିବା ବ୍ୟକ୍ତିଙ୍କ ମୋବାଇଲ୍ ଫୋନକୁ ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି। ଏହି ଦୁର୍ଘଟଣାରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ ଏବଂ ଅନ୍ୟ ୧୨ ଜଣଙ୍କର ମୃତ୍ୟୁ ଘଟିଛି।
କୋଏମ୍ବାଟୁର ବାସିନ୍ଦା ଜୋ (ଫଟୋଗ୍ରଫର) ତାଙ୍କ ବନ୍ଧୁ ନାଜର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଫଟୋ ଉଠାଇବା ପାଇଁ ଡିସେମ୍ବର ୮ରେ ନୀଳଗିରି ଜିଲ୍ଲାର କାଟେରୀ ଅଞ୍ଚଳର ପାହାଡକୁ ଯାଇଥିଲେ। CDSଙ୍କ ହେଲିକପ୍ଟର ଦୁର୍ଘଟଣାର କିଛି ମିନିଟ୍ ପୂର୍ବରୁ ସେ ମୋବାଇଲ୍ ଫୋନରେ ହେଲିକପ୍ଟରର ଏକ ଭିଡିଓ ରେକର୍ଡ କରିଥିଲେ। କୁହୁଡ଼ିରେ ହେଲିକପ୍ଟରର ଅଦୃଶ୍ୟ ହେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାର ତଦନ୍ତର ଏକ ଅଂଶ ଭାବରେ ଜିଲ୍ଲା ପୋଲିସ କୋଏମ୍ବାଟୁରର ଫୋରେନସିକ୍ ଲ୍ୟାବକୁ ଜୋଙ୍କ ମୋବାଇଲ୍ ଫୋନ୍ ପଠାଇଛି।
ପୋଲିସର ସୂଚନାନୁସାରେ, ଫଟୋଗ୍ରାଫର ଏବଂ ଅନ୍ୟ କେତେକ ବ୍ୟକ୍ତି, ବଣୁଆ ଜନ୍ତୁର ଗତିବିଧି ହେତୁ ଏକ ସୀମିତ ଅଞ୍ଚଳ ଥିବା ଘଞ୍ଚ ଜଙ୍ଗଲକୁ କାହିଁକି ଯାଇଥିଲେ ତାହା ଜାଣିବା ପାଇଁ ମଧ୍ୟ ଅନୁସନ୍ଧାନ କରାଯାଉଛି। ଏହି ସମୟରେ, ଚେନ୍ନାଇ ପାଣିପାଗ ବିଭାଗରୁ ଦୁର୍ଘଟଣା ଦିନର ତାପମାତ୍ରା ଏବଂ ପାଣିପାଗ ସମ୍ବନ୍ଧୀୟ ସୂଚନା ପୋଲିସ ବିଭାଗ ମାଗିଛି। ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ସଂଗ୍ରହ କରିବାକୁ ପୋଲିସ ପ୍ରତ୍ୟେକ୍ଷଦର୍ଶୀଙ୍କୁ ପଚରାଉଚରା କରୁଛି।
ବୁଧବାର କୁନୁରର କାଟେରୀ-ନାନଜାପାନାଚାଟ୍ରାମ ଅଞ୍ଚଳରେ ସେନାର MI-17 V5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାପରେ ଜେନେରାଲ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରୁ ବଞ୍ଚିଥିବା ଭାରତୀୟ ବାୟୁସେନା ଅଧିକାରୀ କ୍ୟାପଟେନ ବରୁଣ ସିଂ ବେଙ୍ଗାଲୁରୁରେ ଚିକିତ୍ସିତ ହେଉଛନ୍ତି। ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି।