)
ନୂଆଦିଲ୍ଲୀ: ହେଲିକ୍ୟାପ୍ଟର ଦୁର୍ଘଟଣାରେ ଜେନେରାଲ ବିପିନ ରାୱତ ଶହୀଦ ହେବା ପରେ ତାଙ୍କ ସ୍ଥାନରେ ଦେଶର ନୂଆ CDS ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି ବର୍ତ୍ତମାନର ଭାରତୀୟ ସ୍ଥଳ ସେନାଧ୍ୟକ୍ଷ ଏମଏମ ନରୱଣେ। ଯଦିଓ ଦେଶର ୩ ସେନାଧ୍ୟକ୍ଷ ଏହି ପଦ ପଦ ପାଇଁ ପ୍ରବଳ ଦାବିଦାର ଅଛନ୍ତି।
ଗତ ବୁଧବାର ତାମିଲନାଡ଼ୁର ପାହାଡ଼ିଆ ଜିଲ୍ଲା ନୀଳଗିରିର କୁନ୍ନୁର ଠାରେ ଏକ ସେନା ହେଲିକ୍ୟାପ୍ଟର Mi-17 V5 ଦୁର୍ଘଟଣା ହେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ସୁରକ୍ଷା କମିଟି (CSC) ବୈଠକ ଅଏନୁଷ୍ଠିତ ହୋଇଥିଲା। ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ କମିଟି ସଦସ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ବିପିନ୍ ରାୱତଙ୍କ ସ୍ଥାନରେ ନୂତନ CDS କିଏ ହେବେ ସେ ନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା। ବରିଷ୍ଠତା ଅନୁଯାୟୀ ସ୍ଥଳ ସେନାଧ୍ୟକ୍ଷ ନରୱଣେ ସର୍ବାଗ୍ରେ ଅଛନ୍ତି।
ଦେଶର ନୂଆ ସିଡିଏସ ଭାବେ କିଏ କାର୍ଯ୍ୟ କରିବେ ସେ ନେଇ ପ୍ରତିକ୍ରିୟା ରଖି ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି ନୂଆ CDS କି'ଏ ହେବେ ତାହା କେହି ଜାଣନ୍ତି ନାହି। ଏହି ପଦ ଏତେ ଗୁରୁତ୍ୱପୂର୍ଣ୍ଣ ଯେ ଏଥିପାଇଁ କେବଳ ଜଣେ ବରିଷ୍ଠ ଏବଂ ଅଭିଜ୍ଞ ସେନା ଅଧିକାରୀଙ୍କୁ ଚୟନ କରାଯାଇଥାଏ। ଏହି ଦୃଷ୍ଟିକୋଣରୁ ଦେଶର ତିନି ସେନାର ମୁଖ୍ୟ ଏହି ପଦ ପାଇଁ ପ୍ରବଳ ଦାବିଦାର ଅଛନ୍ତି। ସିଡିଏସ ନିଯୁକ୍ତି ପାଇଁ କୌଣସି ବ୍ୟବସ୍ଥିତ ଢାଞ୍ଚା ନାହିଁ। ହେଲେ ଏନେଇ କୁହାଯାଉଛି ତିନି ସେନା ମୁଖ୍ୟଙ୍କ ମଧ୍ୟରୁ ଯିଏ ସବୁଠାରୁ ବରିଷ୍ଠ ତଥା ଅଭିଜ୍ଞ ତାଙ୍କୁ ଚୟନ କରାଯାଇପାରେ। ଏହି ପରିପ୍ରେକ୍ଷୀରେ ନୌସେନା ଅଧିକାରୀ ଆଡମିରାଲ କରମବୀର ସିଂହ ହେଉଛନ୍ତି କନିଷ୍ଠ।

ସ୍ଥଳ ସେନାଧ୍ୟକ୍ଷ ଏମଏମ ନରୱଣେ ଏବଂ ବାୟୁସେନା ମୁଖ୍ୟ ବିବେକ ରାମ ଚୌଧୁରୀଙ୍କ ମଧ୍ୟରୁ ୬୦ ବର୍ଷୀୟ ସ୍ଥଳ ସେନାଧ୍ୟକ୍ଷ ନରୱଣେ ହେଉଛନ୍ତି ବରିଷ୍ଠ। ଜେନେରାଲ ବିପିନ୍ ରାୱତଙ୍କ ପରେ ତାଙ୍କୁ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ସାମରିକ ଯୁଦ୍ଧର ସବୁଠାରୁ ବଡ ବିଶେଷଜ୍ଞ। ଯଦି ବର୍ତ୍ତମାନ ସେନାଧ୍ୟକ୍ଷ ନରୱଣେ ଦେଶର ନୂଆ ସିଡିଏସ ଭାବେ ନିଯୁକ୍ତ ହୁଅନ୍ତି ତାହେଲେ ଓଡିଆ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ନୂଆ ସ୍ଥଳସେନା ମୁଖ୍ୟ ହୋଇପାରନ୍ତି।