)
ନୂଆଦିଲ୍ଲୀ: କୋରୋନା ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ୍-୩ ଲାଗୁ କରାଯାଇଛି । ଯାହା ପରେ କଂଗ୍ରେସ ବର୍ତ୍ତମାନ ମୋଦି ସରକାରଙ୍କୁ ଟାର୍ଗେଟ କରିଛି । ଦଳ ତରଫରୁ ସରକାରଙ୍କୁ ପ୍ରଶ୍ନ ପଚାରି କୁହାଯାଇଛି ଯେ, ଲୋକଙ୍କୁ ଲକଡାଉନରୁ ବାହାର କରିବା ପାଇଁ ଯୋଜନା ବିଷୟରେ କୁହନ୍ତୁ । କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା କହିଛନ୍ତି ଯେ, କୋରୋନା ଭୂତାଣୁ ତଥା ଅର୍ଥନୀତିର ମୁକାବିଲା ପାଇଁ ସରକାର କଣ କରିବେ । ତାହା ସରକାରଙ୍କୁ କହିବା ଉଚିତ ।
କଂଗ୍ରେସ ଲକଡାଉନର ଅବଧି ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ ପଚାରିଛି । ଦଳ କହିଛି ଯେ, ଏହା ସମ୍ପୂର୍ଣ୍ଣ ରୂପେ କେବେ ଶେଷ ହେବ ? ସୁର୍ଜେୱାଲା ପ୍ରବାସୀ ଶ୍ରମିକମାନଙ୍କ ଠାରୁ ଭଡା ନ ନେଇ ଘରକୁ ପଠାଇବା ପାଇଁ ଟ୍ରେନ୍ ବ୍ୟବସ୍ଥା କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହି ସମୟରେ ସେ କୃଷକ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ (ଏମଏସଏମଇ) ଏବଂ ବେତନ ପ୍ରାପ୍ତ ଶ୍ରେଣୀର ଲୋକଙ୍କୁ ରିଲିଫ ଯୋଗାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।
ଭିଡିଓ କନଫରେନ୍ସିଂ ଜରିଆରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ରଣଦୀପ ସୁର୍ଜେୱାଲା କହିଛନ୍ତି ଯେ, "ଗୃହ ମନ୍ତ୍ରଣାଳୟ ଶୁକ୍ରବାର ସନ୍ଧ୍ୟାରେ ଏହି ନିର୍ଦ୍ଦେଶ ଜାରି କରି ମେ ୧୭ ତାରିଖ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ଲକଡାଉନ୍ କାର୍ଯ୍ୟକାରୀ କରିଛି । ଏହି ସମୟ ମଧ୍ୟରେ ନା ପ୍ରଧାନମନ୍ତ୍ରୀ ଦେଖାଦେଲେ ନା ଦେଶକୁ ସମ୍ବୋଧିତ କଲେ, ନା ଗୃହମନ୍ତ୍ରୀ ଆସିଲେ ନାହିଁ । ଏପରିକି କୌଣସି ଅଧିକାରୀ ଆଗକୁ ଆସିଲେ ନାହିଁ । କେବଳ ଏକ ସରକାରୀ ଆଦେଶ ଆସିଲା ।"