)
ନୂଆଦିଲ୍ଲୀ: ଆରୋଗ୍ୟ ସେତୁ ଆପକୁ ନେଇ ବିରୋଧୀ କ୍ରମାଗତ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏହି କ୍ରମରେ ଆଜି(ସୋମବାର) ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଆରୋଗ୍ୟ ସେତୁ ଆପକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ସମସ୍ତ ସରକାରୀ ତଥା ବେସରକାରୀ କର୍ମଚାରୀଙ୍କୁ 'ଆରୋଗ୍ୟ ସେତୁ' ଆପ୍ ଡାଉନଲୋଡ୍ କରିବା ବାଧ୍ୟତାମୂଳକ ବୋଲି ମୋଦି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ଆପତ୍ତି କରିଛନ୍ତି ଥରୁର । ସୋମବାର ସେ କହିଛନ୍ତି ଯେ, ଭାରତରେ 'ସର୍ଭିଲାନ୍ସ ରାଜ' ପ୍ରତିଷ୍ଠା ପାଇଁ କୋଭିଡ-19କୁ ବାହାନା ଭାବରେ ବ୍ୟବହାର କରାଯିବା ଉଚିତ ନୁହେଁ ।
ସେ ଟ୍ୱିଟ୍ କରି କହିଛନ୍ତି ଯେ, ସରକାର ସମସ୍ତ କର୍ମଚାରୀଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବା ବାଧ୍ୟତାମୂଳକ କରି ଗୋପନୀୟତା ଏବଂ ଡାଟା ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି । ଭାରତରେ 'ସର୍ଭିଲାନ୍ସ ରାଜ' ପ୍ରତିଷ୍ଠା ପାଇଁ କୋଭିଡ-19କୁ ବାହାନା ଭାବରେ ବ୍ୟବହାର କରାଯିବା ଉଚିତ ନୁହେଁ ।
ନିକଟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଅଭିଯୋଗ କରିଥିଲେ ଯେ, 'ଆରୋଗ୍ୟ ସେତୁ' ଆପ୍ ହେଉଛି ଏକ ଅତ୍ୟାଧୁନିକ ମନିଟରିଂ ସିଷ୍ଟମ । ଯାହା ଗୋପନୀୟତା ଏବଂ ତଥ୍ୟ ସୁରକ୍ଷାକୁ ନେଇ ଚିନ୍ତାର କାରଣ ପାଲଟିଛି । ଉଲ୍ଲେଖନୀୟ ବିଷୟ ହେଉଛି, କୋରୋନା ସଂକ୍ରମଣର ସ୍ଥିତି ଜାଣିବା ପାଇଁ ସରକାର ଆରୋଗ୍ୟ ସେତୁ ଆପ୍ ଲଞ୍ଚ କରିଛନ୍ତି । ଖବର ଅନୁଯାୟୀ ଏହି ଆପକୁ କୋଟି କୋଟି ଲୋକ ଡାଉନଲୋଡ୍ କରିସାରିଛନ୍ତି ।